କଞ୍ଚାମାଲ ଅଭାବ, ପ୍ରାକୃତିକ ବିପର୍ଯ୍ୟୟ କୁମ୍ଭାରଙ୍କ ପାଇଁ ବଡ ସମସ୍ୟା

ଭୁବନେଶ୍ୱର ରେ ଅନୁଷ୍ଠିତ ମୃତ୍ତିକା ପ୍ରଦର୍ଶନୀ ରେ ଭାଗ ନେଇଛନ୍ତି ରାଜ୍ୟ କୋଣ ଅନୁକୋଣର କଳାକାର । ସେମାନଙ୍କର ସୁନ୍ଦର ସୁନ୍ଦର କଳାକୃତୀ ଗ୍ରାହକମାନଙ୍କୁ ବେଶ ଆକୃଷ୍ଟ କରିଥିଲା। କିନ୍ତୁ ଟେରାକୋଟା କାମ ପାଇଁ ଶିଳ୍ପୀ ଟିଏ କି କି ସମସ୍ୟାର ସମ୍ମୁଖୀନ ହେଉଛି ସେ ନେଇ ଏକ ରିପୋର୍ଟ।

ଭୁବନେଶ୍ୱର: ଗତ ୧୦- ୧୨ ବର୍ଷ ହେବ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେଉଥିବା ମୃତ୍ତିକା ପ୍ରଦର୍ଶନୀରେ ଭାଗନେଇ ଆସୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବରକୁଳ ଗାଁର ସରୋଜ କୁମାର ରାଉତ। ୩୮ ବର୍ଷୀୟ ସରୋଜ ଜଣେ ରାଜ୍ୟ ସରକାର ଙ୍କ ପୁରସ୍କାର ପ୍ରାପ୍ତ ଟେରାକୋଟା ଶିଳ୍ପୀ ଏବଂ ଏ ବର୍ଷ ସେ ଲୋକଙ୍କୁ ପ୍ରଦର୍ଶିତ କରିବା ପାଇଁ ଆଣିଛନ୍ତି ୭-୮ ଫୁଟ୍ ର ଟେରାକୋଟା ରେ ତିଆରି ଗଛର ଗଣ୍ଡି ଯେଉଁ ଥିରେ ସମ୍ପୂର୍ଣ୍ଣ ରାମାୟଣ ବିଷୟ ବସ୍ତୁ ଗଢା ଯାଇଛି। ଏହାର ମୂଲ୍ୟ ରହିଛି ୩ ଲକ୍ଷ ଟଙ୍କା। ଏହାଛଡା ତାଙ୍କ ଷ୍ଟଲରେ ସେ ଗଢିଥିବା ଟେରାକୋଟାର ରଥ ରହିଛି ଯେଉଁ ଥିରେ ଜଗନ୍ନାଥଙ୍କ ବିଭିନ୍ନ ରୂପକୁ ବେଶ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି।

୬ଟି ଘୋଡା ଟାଣୁଥିବା ଏହି ରଥର ମୂଲ୍ୟ ୨ ଲକ୍ଷ ଟଙ୍କା। ଏ କଳାକୃତିଗୁଡିକ ମହଙ୍ଗା ଲାଗୁଥିଲେ ବି ଏଗୁଡିକ ତାଙ୍କର ମାଷ୍ଟର ପିସ ବୋଲି କୁହନ୍ତି ଶିଳ୍ପୀ ସରୋଜ। ଏହି ପ୍ରଦର୍ଶନୀରେ ଭାଗ ନେଇଥିବା ଅନ୍ୟତମ ଟେରାକୋଟା ଶିଳ୍ପୀ ହେଉଛନ୍ତି ୫୪ ବର୍ଷିୟ ନିରଞ୍ଜନ ବେହେରା। ସେ କୁହନ୍ତି, ଏହି ୧୦-୧୫ ବର୍ଷ ଭିତରେ ମାଟି ତିଆରି ଜିନିଷର ଦାମ ବଢିଛି ସତ କିନ୍ତୁ ମାଟିର ଅଭାବ ଓ କଂଚାମାଲ ର ଦାମ ଯୋଗୁଁ ଟେରାକୋଟା କଳାକ୍ରୁତି ର ଦାମ ବଢିଛି ଏକଥା ଗ୍ରାହକ ବୁଝିବାକୁ ନାରାଜ। ସେମାନଙ୍କ ମତରେ ମାଟି ଜିନିଷ ପୁଣି ଏତେ ଦାମ କଣ। କେନ୍ଦାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତେରଗାଁର ନିରଞ୍ଜନ କୁମ୍ଭାର ପରିବାରରୁ ଆସିଥିବାରୁ ପାରମ୍ପରିକ ଭାବେ ସେ ଏହି ଵୃତ୍ତିକୁ ଆପଣେଇଲେ କିନ୍ତୁ ତାଙ୍କର ଆଗ୍ରହ ଯୋଗୁଁ ସେ ପରବର୍ତ୍ତୀ ସମୟରେ ମାଷ୍ଟର ଟ୍ରେନର ଭାବେ କାମ ଆରମ୍ଭ କଲେ। ୧୯୯୯ ମସିହାରୁ ଟେରାକୋଟା ଶିଳ୍ପୀ ଭାବେ କାମ କରି ଆସୁଥିବା ନିରଞ୍ଜନ କୁହନ୍ତି ସେତେବେଳେ ମାଟି ପାଇବାକୁ ଅସୁବିଧା ହେଉନଥିଲା। ନଦୀ ପଠା, ପତିତ ଜମି, ଗୋଚର ଜମି, ଅନାବାଦି ଜମି ନଚେତ କୁମ୍ଭାର ଦଣ୍ତା ଥିଲା। କିନ୍ତୁ ଧିରେ ଧିରେ ସରକାର ଚକ ବନ୍ଦୀ କରି ଜମି ଗୁଡିକ ନେଇଯିବା ଫଳରେ ମାଟି ମିଳିବାକୁ ସମସ୍ୟା ଦେଖାଦେଲା। ଏବେ ବାଧ୍ୟ ହୋଇ ସେମାନଙ୍କୁ ମାଟି କିଣିବାକୁ ପଡୁଛି।

 

ମାଟିର ଅଭାବ

ଭୁବନେଶ୍ୱରରେ ନିଜର ଟେରାକୋଟା ଷ୍ଟୁଡିଓ କରିଥିବା ସରୋଜ କୁହନ୍ତି, ଗାଁରେ ଯେଉଁଠି କୁମ୍ଭାରମାନଙ୍କ:ଠାରୁ ମାଟି କିଣିବାକୁ ପଡୁଛି ସେଠି ଭୁବନେଶ୍ୱରରେ କୁଆଡୁ ମିଳିବ। ୧୦ ବର୍ଷ ତଳେ ଟ୍ରକ ପିଛା ଯେଉଁ ମାଟିର ମୂଲ୍ୟ ୨୦୦-୩୦୦ ଟଙ୍କା ଥିଲା ଏବେ ତାର ଦାମ ୫୦୦୦ ରୁ ୭୦୦୦ ଟଙ୍କା ପଡୁଛି। ଜଣେ ଶିଳ୍ପୀକୁ ବର୍ଷକୁ ୨ ରୁ ୩ ଟ୍ରକ ମାଟି ଆବଶ୍ୟକ କରୁଛି । ତେବେ ଯାଇ ସେ ବର୍ଷ କୁ ୨ -୩ ଲକ୍ଷ ରୋଜଗାର କରିପାରିବ ବୋଲି କୁହନ୍ତି ନିରଞ୍ଜନ।

ସରୋଜଙ୍କ କହିବା ଅନୁସାରେ ଆଗରୁ ନୂଆ ଗାଁ ଲିଙ୍ଗିପୁରରେ ତାଙ୍କ ଷ୍ଟୁଡିଓ ରେ ମାଟିର ଆବଶ୍ୟକତା ପୂରଣ ପାଇଁ ସେ ଆଖପାଖ ଖାଲି ଜାଗାରୁ ଭଲ ମାଟି ଆଣୁଥିଲେ। କିନ୍ତୁ ପରେ ଆପାର୍ଟମେଣ୍ଟଗୁଡିକ ଗଢ଼ି ଉଠିବା ଫଳରେ ତାଙ୍କୁ ମାଟି ମିଳିବା ସମସ୍ୟା ହେଲା। ତେବେ ଭଲ ଟେରାକୋଟା କାମ ପାଇଁ ଚିକିଟା ମାଟି, ବାଲି ଓ ଧଳା ମାଟି ଆବଶ୍ୟକ ପଡେ ଯାହା ଏବେ ସୁବିଧା ରେ ମିଳୁନାହିଁ।

ଏହି ପ୍ରଦର୍ଶନୀ ରେ ଭାଗ ନେଇଥିବା ଅନେକ ଶିଳ୍ପୀ କହିଥିଲେ ଯେ କଞ୍ଚା ମାଲ ସାଙ୍ଗକୁ ଆଉ ଏକ ସମସ୍ୟା ହେଲା ଭାଟିରେ ପୋଡିବା। ନିରଞ୍ଜନ କୁହନ୍ତି ଭାଟିରେ ପୋଡିବାକୁ ହେଲେ ଜାଳେଣି ଆବଶ୍ୟକ- ଗାଁରେ ଜାଳେଣି ମିଳିବା ସମସ୍ୟା ହେତୁ ସେମାନଙ୍କୁ କିଣିବାକୁ ପଡୁଛି। ତାଙ୍କ କହିବା କଥା ଭାଟି ଧୁଆଁ ରୁ ହେଉଥିବା ପ୍ରଦୂଷଣ ଯୋଗୁଁ ଅନେକ ସ୍ଥାନରେ ଏହାକୁ ବାରଣ କରାଯାଉଛି। ସେଥିପାଇଁ ସେ ଗ୍ୟାସ ଚୁଲାରେ ପୋଡିବାକୁ ବାଧ୍ୟ ହେଉଛନ୍ତି। ତେବେ ଗାଡି ମଟର ଓ ବାଣ ଦ୍ବାରା ଏତେ ବାୟୁ ପ୍ରଦୁଷଣ ହେଉଥିଲେ ହେଁ ପ୍ରଶାସନ କୁମ୍ଭାରର ଭାଟି ପୋଡାକୁ ନେଇ ପ୍ରଶ୍ନ କରୁଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟ

ଗତ କିଛି ବର୍ଷ ହେବ କୁମ୍ଭାରଙ୍କ ପାଇଁ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି ପ୍ରାକୃତିକ ବିପର୍ଯ୍ୟୟ । ବିଶେଷ କରି ଉପକୂଳ ଜିଲ୍ଲାର କୁମ୍ଭାରମାନେ ବାତ୍ୟା , ବନ୍ୟା ଓ ଅତ୍ୟଧିକ ବ୍ରଷ୍ଟିପାତ ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା କହିଛନ୍ତି। ଆଗେ ସରକାର ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତି ଆକଳନ ସମୟରେ ଚାଷଜମି ଥିବା ଓ ନଥିବା ଚାଷୀ ଏଭଳି ଦୁଇ ଭାଗ କରି ଅର୍ଥ ଦେଉଥିଲେ କିନ୍ତୁ କୁମ୍ଭାରଙ୍କୁ ତାଙ୍କ କଳାକୃତୀ କ୍ଷୟକ୍ଷତି ପାଇଁ, ଅତଧିକ ବର୍ଷା ଯୋଗୁଁ କାମ କରି ନପାରିବା ସେଥିପାଇଁ କୌଣସି ଅର୍ଥ ମିଳେନାହିଁ। ଏବେ କୁମ୍ଭାରମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ଭାବେ ୪,୧୦୦ ଟଙ୍କା ମିଳୁଛି ଯାହା ଖୁବ୍ କମ୍ ବୋଲି କୁହନ୍ତି ନିରଞ୍ଜନ। ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ଦିନକୁ ଦିନ ବଢୁଥିବାରୁ ସଠିକ୍ ସର୍ଭେ କରି କୁମ୍ଭାର କାରିଗରଙ୍କୁ ତାଙ୍କ କ୍ଷୟକ୍ଷତିର ମୁଲ୍ୟାଙ୍କନ କରି ପ୍ରାପ୍ୟ ଦେବା ଆବଶ୍ୟକ ବୋଲି କହିଛନ୍ତି।

ମହିଳାଙ୍କ ଯୋଗଦାନ

୨୦୦୫ ମସିହାରେ ରାଜସ୍ଥାନ ଢାଞ୍ଚାରେ ଓଡ଼ିଶାରେ ମ୍ୟୁଜିକ୍ ଡଲ ତିଆରି କରି ବେଶ ଖ୍ୟାତି ପାଇଥିବା ମାଷ୍ଟର ଟ୍ରେନର ନିରଞ୍ଜନ ଏହାରି ଭିତରେ ୩୦ଜଣଙ୍କୁ ଟ୍ରେନିଂ ଦେଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ୭-୮ ଜଣ ନିଜ ଓ୍ୱାର୍କସପ କରି ନିଜ ଗୋଡ଼ ରେ ଠିଆ ହୋଇ ସାରିଲେଣି। ନିରଞ୍ଜନଙ୍କୁ ତାଙ୍କ ଟେରାକୋଟା କାମରେ ପ୍ରଥମରୁ ତାଙ୍କ ସ୍ତ୍ରୀ ସବିତା ବେହେରା ସହଯୋଗ କରିଆସୁଛନ୍ତି। ନିରଞ୍ଜନ ଗଢ଼ିବା ପୋଡିବା ଦାୟିତ୍ୱ ନେଉଥିବା ବେଳେ ରଂଗ କରିବା ଏବଂ ପ୍ରଦର୍ଶନୀ ଗୁଡିକରେ ବିକ୍ରୀ କରିବା ସମୟରେ ସେ ସଂପୂର୍ଣ୍ଣ ସହଯୋଗ କରିଥାନ୍ତି। ସେହିପରି ସରୋଜଙ୍କ ପତ୍ନୀ ପ୍ରଭାତି ଦାସ ନିଜେ ଟେରାକୋଟା ଶିଳ୍ପୀ ଓ ସେ ମଧ୍ୟ କରିଥିବା କିଛି କଳାକୃତୀ ଏହି ପ୍ରଦର୍ଶନୀ ରେ ଆଣିଥିଲେ।

ତେବେ ଟେରାକୋଟା କାମରେ ମହିଳାଙ୍କ ଯୋଗଦାନ ବିଷୟରେ ନିରଞ୍ଜନ କୁହନ୍ତି, ସ୍ବୟଂ ସହାୟିକା ଗୋଷ୍ଠୀ ହେବାପରେ ଅନେକ ମହିଳା ଏ କ୍ଷେତ୍ରରେ ପ୍ରବେଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟ୍ରେନିଂ ପାଇ ସେମାନେ ବିଭିନ୍ନ ପ୍ରକାରର ଟେରାକୋଟା କାମ କରି ପରିବାର ପୋଷଣ କରି ପାରୁଛନ୍ତି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଲୁଣୁକୁଆ ଗାଁର ସ୍ବୟଂ ସହାୟିକା ଗୋଷ୍ଠୀ ଏହି ପ୍ରଦର୍ଶନୀ ରେ ସେମାନଙ୍କ କଳାକୃତୀ ପ୍ରଦର୍ଶନ କରିଛନ୍ତି। ଏହି ଗୋଷ୍ଠୀର ସଦସ୍ୟା ଦ୍ରୋପଦୀ ବେହେରା କୁହନ୍ତି, ଗତ ୮ ବର୍ଷ ଧରି ସେମାନେ ବିଭିନ୍ନ ପ୍ରଦର୍ଶନୀ ଯାଇ ନିଜ ହାତ ତିଆରି କଳାକୃତୀ ପ୍ରଦର୍ଶନ କରୁଛନ୍ତି। ଗ୍ରାହକଙ୍କ ସହ ସିଧାସଳଖ କଥା ହୋଇପାରୁଥିବାରୁ ସେମାନଙ୍କ ଆବଶ୍ୟକତା କୁ ବୁଝି ଆରବର୍ଷକୁ ସେମିତି ଜିନିଷ ଆଣିବାକୁ ଚେ଼ଷ୍ଟା କରନ୍ତି। ତେବେ ଏବର୍ଷ କେଉଁ ଜିନିଷର ଚାହିଦା ଅଧିକ ପଚାରିବାରେ ସେ କୁହନ୍ତି, ଏବେ ଲୋକେ ମାଟିପାତ୍ର ରେ ଖାଦ୍ୟ ରାନ୍ଧିବାକୁ ପସନ୍ଦ କରୁଥିବାରୁ ସେଇ ଜିନିଷ ଗୁଡିକର ଚାହିଦା ବେଶୀ ବଢିଛି। ପ୍ରଦର୍ଶନୀ ଗୁଡ଼ିକୁ ଛାଡି ଦେଲେ ଟେରାକୋଟା ଓ ମାଟି ଜିନିଷ କିଣିବାକୁ ଲୋକଙ୍କ ଚାହିଦା ଆଉ ଆଗଭଳି ନଥିବାରୁ କୁମ୍ଭାର ପରିବାରର ପର ପିଢି ଏଥିପ୍ରତି ଆଗ୍ରହୀ ହେଉନାହାଁନ୍ତି। କିନ୍ତୁ ମାଟି କଳାକୃତୀ ପ୍ରତି ଆଗ୍ରହ ରଖୁଥିବା କିଛି ଯୁବକ ଯୁବତୀ ଟେରାକୋଟା କାମ କରିବାକୁ ଆଗେଇ ଆସୁଛନ୍ତି। ତେବେ ସରକାର ସେମାନଙ୍କୁ ପ୍ରୋତ୍ସାହନ ଦେଲେ ସେମାନେ ଆହୁରି ଆଗକୁ ବଢି ପାରନ୍ତେ ବୋଲି ଏହି ପ୍ରଦର୍ଶନୀ ରେ ଭାଗ ନେଇଥିବା ଅନେକ କାରିଗର କହିଛନ୍ତି।

Leave a Reply

Your email address will not be published. Required fields are marked *