ପିଲାଟି ଦିନେ ଖେଳାବୁଲା ବୟସରେ ଖେଳନାଠୁ ଅଧିକ, ପ୍ରକୃତି ତାଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା । ଜଙ୍ଗଲ ପରିବେଶ ତାଙ୍କ ମନକୁ ଏକ ଭିନ୍ନ ଶାନ୍ତି ଆଣି ଦେଉଥିଲା । ଖୁବ କମ୍ ବୟସରେ ପରିବେଶ ପ୍ରତି ତାଙ୍କର ଭଲପାଇବା ତାଙ୍କୁ ବୃକ୍ଷରୋପଣ ପ୍ରତି ଆକୃଷ୍ଟ କରିଥିଲା । ସେ ହେଉଛନ୍ତି, ନବରଙ୍ଗପୁର ଜିଲ୍ଲା ବାଗନାଗୁଡ଼ାର ତପନ ବିଷୋୟୀ । ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସମୟକ୍ରମେ ବୃକ୍ଷରୋପଣ ପାଲଟିଯାଇଛି ତାଙ୍କର ନିଶା ।
୨୦୨୦ ମସିହାରେ କରୋନାର କରାଳ ରୂପ ତାଙ୍କ ମନକୁ ଆନ୍ଦୋଳିତ କରିଥିଲା । ଏହି ସମୟରେ ଅମ୍ଳଜାନର ଅଭାବ ଯୋଗୁଁ ଲୋକଙ୍କ ଜୀବନହାନୀ,ତାଙ୍କୁ ଏତେ ବ୍ୟଥିତ କରିଥିଲା ତପନଙ୍କୁ । ସେ ଅଧିକରୁ ଅଧିକ ଗଛ ଲଗାଇବାକୁ ଅଣ୍ଟା ଭିଡ଼ିଲେ । ଆଗକୁ ଯେପରି ଅମ୍ଳଜାନ ଅଭାବରୁ କାହାର ମୃତ୍ୟୁ ନହୁଏ, ସେଥିପାଇଁ ସେ ଶପଥ ନେଲେ । ନିଜେ ଗଛ ଲଗାଇବା ସହିତ ସାଙ୍ଗସାଥୀ ଓ ନିଜ ଆତ୍ମୀୟସ୍ୱଜନଙ୍କୁ ମଧ୍ୟ ଉତ୍ସାହିତ କରିଥାନ୍ତି ଗଛ ଲଗାଇବାକୁ । ସେ ବୃକ୍ଷରୋପଣ କରି ସମାଜକୁ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଉଛନ୍ତି . । ଆଉ ସ୍ଥାନୀୟ ଅଞ୍ଚଳରେ “ବୃକ୍ଷ ମଣିଷ” ଭାବେ ସୃଷ୍ଟି କରିଛନ୍ତି ନିଜର ନୂଆ ପରିଚୟ ।

ତପନଙ୍କ ପିଲାଦିନ
ପିଲାଟି ଦିନରୁ ତପନଙ୍କର ଗଛ ପ୍ରତି ଏକ ସ୍ୱତନ୍ତ୍ର ଭଲ ପାଇବା ରହିଆସିଛି । ସେ ସ୍ କହନ୍ତି ପ ପିଲାଟି ଦିନରୁ ଯେଉଁଠି ଖାଲ ସ୍ଥାନ ଦେଖୁଥିଲି ଗଛଟିଏ ଲଗାଇ ଦେଉଥିଲି । ନିଜର ପିଲା ଦିନର ଅନୁଭୂତିକୁ ମନେ ପକାଇ ତପନ କୁହନ୍ତି, ଛୋଟବେଳୁ ମୁଁ ଯେଉଁଠି ଖାଲିଯାଗା ଦେଖୁଥିଲି, ଗଛ ଲଗାଇବାକୁ ଭଲ ପାଉଥିଲି। କିନ୍ତୁ ସମୟକ୍ରମେ ଏହା ମୋର ନିଶା ପାଲଟିଗଲା। ଅନେକ ସମୟରେ ପୋଡ଼ୁଚାଷ ଓ ସହରିକରଣ ନାଁରେ ବହୁ ସଂଖ୍ୟାରେ ଗଛ ବଳି ପଡ଼ୁଥିବା ତାଙ୍କ ମନରେ ଆଲୋଡ଼ନ ସୃଷ୍ଟି କରୁଥିଲା । ତେଣୁ ବୃକ୍ଷରୋପଣକୁ ସେ ବ୍ରତ ଭାବେ ନିଜ ଜୀବନରେ ଆପଣେଇ ନେଲେ । ସ୍କୁଲ,କଲେଜ,ସ୍ମଶାନ,ପୋଖରୀ ହୁଡ଼ା, ଛକ ଆଉ ଯେକୌଣସି ଖାଲି ଯାଗା ମିଳିଲେ, ସେ ଗଛ ଲଗାନ୍ତି । ତପନ କୁହନ୍ତି, ‘ପ୍ରଥମେ ମୁଁ ବର ଓ ଔଶସ୍ଥ ଗଛ ଲଗାଇବା ଆରମ୍ଭ କରିଥିଲି। ପରେ ଧିରେଧିରେ ବନବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରି କିଛି ଔଷଧୀୟ ଗଛ ଆଣି ଲଗାଇବା ଆରମ୍ଭ କଲି ।’
ସମସ୍ୟାରୁ ସମାଧାନ
ଏହାଛଡ଼ା ଅନ୍ୟ ଏକ ସମସ୍ୟା ମଧ୍ୟ ତପନଙ୍କ ମନକୁ ଆନ୍ଦୋଳିତ କରିଥିଲା । ଅନେକ ସମୟରେ ନବରଙ୍ଗପୁରରେ ବଜ୍ରପାତ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ଘଟୁଥିଲା । ଆଦିବାସୀ ଓ ସ୍ଥାନୀୟ ଅଞ୍ଚଳର ଲୋକମାନେ ଜଙ୍ଗଲକୁ କାଠ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଉଥିବା ବେଳେ ନିୟମିତ ବଜ୍ରପାତ୍ରର ଶିକାର ହେଉଥିଲେ । ଅନେକ ସମୟରେ ଅକାଳରେ ବହୁ ଜୀବନହାନୀ ମଧ୍ୟ ହେଉଥିଲା। ଯାହାକି ତପନଙ୍କ ମନକୁ ବିଚଳିତ କରୁଥିଲା । ଏହାର ସମାଧାନ ପାଇଁ ସେ ମନେ ମନେ ଭାବୁଥିବା ବେଳେ ଜାଣିବାକୁ ପାଇଥିଲେ ତାଳଗଛ ଦ୍ୱାରା ବଜ୍ରାଘାତକୁ ରୋକିହେବ । ତେଣୁ ସେ ତାଳଗଛ ଲଗାଇବାକୁ ଚିନ୍ତାକଲେ । ସବୁଠୁ ଅଧିକ ଅମ୍ଳଜାନ ଯୋଗାଉଥିବା ବର, ନିମ୍ବ ଓ ଆମ୍ବ ଭଳି ଗଛ ଅଧିକରୁ ଅଧିକ ରୋପଣ କରିବା ଉପରେ ସେ ଗୁରୁତ୍ୱାରୋପ କଲେ । ତପନ କୁହନ୍ତି ‘ବର ଓ ଅଶ୍ୱସ୍ଥ ଗଛକୁ ଲୋକେ ପବିତ୍ର ଗଛ ରୂପେ ପୂଜା କରନ୍ତି । ତେଣୁ ସେସବୁ ଗଛ ଲଗାଇଲେ ଲୋକେ ତାକୁ ନଷ୍ଟ କରିବା ପରିବର୍ତ୍ତେ, ଗଛଗୁଡ଼ିକ ପ୍ରତି ଲୋକେ ଯତ୍ନବାନ ହେବେ । ତେଣୁ ମୁଁ ବର ଓ ଅଶ୍ୱସ୍ଥ ଗଛ ଅଧିକ ଲଗାଇବାକୁ ଗୁରୁତ୍ୱ ଦେଲି । ପାରମ୍ପରିକ ପ୍ଲାଣ୍ଟେସନ ଗଛ ସହିତ ଏପର୍ୟ୍ୟନ୍ତ ତପନ ୧୫୦ରୁ ଅଧିକ ବରଗଛ ଓ ଏକ ହଜାରୁ ଉର୍ଦ୍ଧ୍ୱ ବିଭିନ୍ନ ଔଷଧୀୟ ଗଛ ଲଗାଇଛନ୍ତି । ସବୁଠୁ ବଡ଼ କଥା ହେଲା ତପନ ଅଳିଆ ଆବର୍ଜନାରେ ଉଠିଥିବା ବରଗଛ କିମ୍ବା କୌଣସି କାନ୍ଥରେ ଉଠିଥିବା ଗଛକୁ ସଂଗ୍ରହ କରି ବିଭିନ୍ନ ସ୍ଥାନରେ ଲଗାନ୍ତି । ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ହେଲା ତପନ ବୃକ୍ଷରୋପଣରେ ନିଜକୁ ବ୍ରତୀ କରିଛନ୍ତି ।
ସମାଜସେବାର ସାଧନା
କେବଳ ସେତିକି ନୁହେଁ ତପନ ନିଜ ସାଙ୍ଗସାଥୀଙ୍କୁ ନେଇ ‘ସୋସାଇଟି ଫର୍ ସୋସିଆଲ ଇକୋନୋମିକ ଡେଭେଲପମେଣ୍ଟ’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ଗଠନ କରିଛନ୍ତି । ବିଶେଷ କରି ବୃକ୍ଷରୋପଣ ଓ ଜନମଙ୍ଗଳକାରୀ କାର୍ୟ୍ୟ ହେଉଛି ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ । ୨୦୦୯ରୁ ଆରମ୍ଭ ହୋଇଥିବା ଏହି ସଂଗଠନ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ଦିଗରେ ଗୁରୁତ୍ୱାରୋପ କରୁଛି । ସେ କୁହନ୍ତି, ଏହି ସଂଗଠନର ସଦସ୍ୟ ମାନେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ସହିତ ସେଗୁଡିକର ରକ୍ଷଣାବେକ୍ଷଣ ମଧ୍ୟ କରନ୍ତି । ଏହାସହ ବିଭିନ୍ନ ସ୍ଥାନରୁ ଚାରା ସଂଗ୍ରହ କରି ଲୋକଙ୍କୁ ବାଣ୍ଟିବା ଓ ଗଛ ଲଗାଇବାକୁ ଲୋକଙ୍କୁ ସଚେତନ କରିବା ଦିଗରେ ଏହି ସଂଗଠନ କାର୍ୟ୍ୟ କରି ଆସୁଛି । ନିଜର ଜନ୍ମଦିନ, ନିଜ ମା-ବାପାଙ୍କ ବିବାହ ବାର୍ଷିକୀ, ନିଜ ଆଖପାଖରେ ଥିବା ପିଲାଙ୍କ ପାଇଁ ଗଛ ଲଗାଇବା ସହିତ ସେ ଅନ୍ୟ ମାନଙ୍କୁ ମଧ୍ୟ ଏଥିପାଇଁ ଉତ୍ସାହିତ କରନ୍ତି ।
ନବରଙ୍ଗପୁର ଜିଲ୍ଲାର ପ୍ରାୟ ୪୦ ପ୍ରତିଶତରୁ ଅଧିକ ଜଙ୍ଗଲଭୂମି ରହିଛି । ଏଠାରେ ବିଭିନ୍ନ ଲୋପ ପାଇ ଯାଉଥିବା ଗଛ ମାନ ଦେଖିବାକୁ ମିଳେ । କିନ୍ତୁ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ଏହା ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ଲାଗିଥିଲା । ତେଣୁ ପୁଣି କିପରି ନୂଆ କରି ଜଙ୍ଗଲ ସୃଷ୍ଟି କରିହେବ, ସେଥିପାଇଁ ଅଣ୍ଟା ଭିଡ଼ିଛନ୍ତି ତପନ । ଜିଲ୍ଲାର ୧୦ଟି ବ୍ଲକ ତେନ୍ତୁଳିଖୁଣ୍ଟି, ଭରଣପୁର, କୁକୁଡ଼ାବାଇ, ବିଜରାଗୁଡ଼ା, ରଙ୍ଗମାଟୁଗୁଡ଼ା,ବାଗନାଗୁଡ଼ା,ନନ୍ଦାହାଣ୍ଡି,ନବରଙ୍ଗପୁର,ନୂଆଁଗୁଡ଼ା,ଭରଣପୁର ଆଦି ସ୍ଥାନରେ ବୃକ୍ଷରୋପଣ କରି ସ୍ଥାନୀୟ ଅଞ୍ଚଳରେ ସବୁଜବଳୟ ସୃଷ୍ଟି ପାଇଁ ପ୍ରୟାସ ଜାରି ରଖିଛନ୍ତି ସେ । ସେ ନିଜେ ବୃକ୍ଷରୋପଣ କରିବା ସହିତ ଅନ୍ୟ ମାନଙ୍କୁ ବିଭିନ୍ନ ଗଛର ଚାରା ବାଣ୍ଟି ବୃକ୍ଷରୋପଣ ପାଇଁ ଆଗ୍ରହ ସୃଷ୍ଟି କରାନ୍ତି । ତାଙ୍କର ଏହି ପ୍ରୟାସ ପାଇଁ ୨୦୧୨-୧୩ ଓ ୨୦୨୫-୨୬ ମସିହାରେ ତାଙ୍କୁ ବନବିଭାଗ ପକ୍ଷରୁ ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଛି । ଏହାସହ ତାଙ୍କ ସ୍ୱେଚ୍ଛାସେବୀ ସଂଗଠନକୁ ପ୍ରକୃତିମିତ୍ର ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି । କେବଳ ସେତିକି ନୁହେଁ ଏହି ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ମାନେ ବିଭିନ୍ନ ସ୍ଥାନରେ ସଚେତନତା କାର୍ୟ୍ୟକ୍ରମ ମାନ ଆୟୋଜନ କରି ଆଜିର ଯୁବପିଢ଼ୀଙ୍କୁ ମଧ୍ୟ ବୃକ୍ଷରୋପଣ ଓ ଏହାର ରକ୍ଷଣାବେକ୍ଷଣ ଦିଗରେ ସଚେତନ କରାଉଛନ୍ତି ।
ତପନ କୁହନ୍ତି, ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ପ୍ରକାରର ଗଛ ଦେଖିବାକୁ ମିଳେ । ବିଭିନ୍ନ ଔଷଧୀୟ ବୃକ୍ଷ ଏଠିକାର ଜଙ୍ଗଲରେ ଭରପୁର ରହିଛି । ସେସବୁ ଗଛ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଯେପରିକି ବିଭିନ୍ନ ପ୍ରକାରର ଲୋପ ପାଇଯାଉଥିବା ବିଭନ୍ନ ପାର୍କରେ ଗଛ ମାନଙ୍କୁ ଲଗାଯାଇଥଛି । ଜିଲ୍ଲାରେ ଚରକ ବନ, ଶ୍ରୀ ବନ ଆଦି ପାର୍କ ମାନ ନିର୍ମାଣ କରାଯାଇଛି । ଏହାସହ ସରକାରଙ୍କ ତରଫରୁ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଔଷଧୀୟ ବୃକ୍ଷକୁ ନେଇ ବର୍ଣ୍ଣବୋଧ ପାର୍କ ନିର୍ମାଣ କରାଯାଇଛି । ଯାହାକି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ତପନ କୁହନ୍ତି । ସେ କୁହନ୍ତି, ଆଗରୁ ଲୋକେ ଏହିସବୁ ଔଷଧୀୟ ବୃକ୍ଷ ଓ ଅନ୍ୟାନ୍ୟ ଗଛକୁ ନଷ୍ଟ କରିଦେଉଥିଲେ । କିନ୍ତୁ ସରକାରଙ୍କ ଦୃଷ୍ଟି ଆକର୍ଷଣ ହେବାପରେ ଗଛ ନଷ୍ଟ ଉପରେ ରୋକ ଲାଗିବା ସହିତ ଧୀରେଧୀରେ ଲୋକେ ଏନେଇ ସଚେତନ ମଧ୍ୟ ହେଉଛନ୍ତି । ନବରଙ୍ଗପୁରରେ ପୂର୍ବରୁ ବହୁଳ ପରିମାଣରେ ଜଙ୍ଗଲ ଭରି ରହିଥିଲା । କିନ୍ତୁ ସ୍ଥାନୀୟ ଅଞ୍ଚଳର ଲୋକେ ପୋଡ଼ୁଚାଷ, ମକା,ମାଣ୍ଡିଆ ଓ ଧାନ ଆଦି ଚାଷ କରିବା ପାଇଁ ଜଙ୍ଗଲକୁ କାଟିବାରେ ଲାଗିଲେ । ଫଳରେ ପୂର୍ବାପେକ୍ଷା ଗଛସଂଖ୍ୟା କମିବାରେ ଲାଗିଥିଲା । କିନ୍ତୁ ଏନେଇ ସରକାରଙ୍କ ହସ୍ତକ୍ଷେପ ପରେ ବିଭିନ୍ନ ସଚେତନମୂଳକ କାର୍ୟ୍ୟକ୍ରମ ଓ ବନୀକରଣ ଦ୍ୱାରା କିଛିକାଂଶରେ ଜଙ୍ଗଲର ପୁନରୁଦ୍ଧାର ଓ ନୂଆ ଜଙ୍ଗଲ ସୃଷ୍ଟି ହୋଇପାରିଛି ।
ସମାଜସେବାର ସାଧନା
ତପନ ଯେ କେବଳ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ଦିଗରେ କାମ କରନ୍ତି,ତାହା ନୁହେଁ । ସମାଜସେବା ପ୍ରତି ମଧ୍ୟ ତାଙ୍କ ମନରେ ରହିଛି ବେଶ୍ ରୁଚି । ସମାଜର ତଳୁଆ ଶ୍ରେଣୀର ଲୋକଙ୍କୁ ସହାୟତା କରିବା ପାଇଁ ତାଙ୍କ ପ୍ରୟାସରେ ମା’ “ଭଣ୍ଡାରଘରଣୀ’’ ନାମରେ ଏକ ଚାରିଟେବଲ ଟ୍ରଷ୍ଟ ମଧ୍ୟ ଗଢ଼ିଉଠିଛି । ଏହି ଟ୍ରଷ୍ଟର ସଦସ୍ୟ ମାନେ ମିଶି ବିଭିନ୍ନ ଉନ୍ନତି ମୂଳକ ତଥା ସଚେତନମୂଳକ କାର୍ୟ୍ୟକ୍ରମର ଆୟୋଜନ କରନ୍ତି । ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରନ୍ତି । ଏହା ସହ ଯେଉଁ ରୋଗୀଙ୍କୁ ରକ୍ତର ଆବଶ୍ୟକତା ରହିଛି, ସେମାନଙ୍କ ପାଇଁ ବ୍ଲଡ ବ୍ୟାଙ୍କରୁ ରକ୍ତ ଯୋଗାଡ଼ କରିବାରେ ମଧ୍ୟ ଏହି ସଂସ୍ଥା କାମ କରେ । କେବଳ ସେତିକି ନୁହେଁ, ଯେଉଁ ଲୋକମାନେ ବିଭିନ୍ନ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି କିମ୍ବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ଅବଗତ ନାହାନ୍ତି, ସେମାନଙ୍କୁ ଏସବୁ ସୁବିଧା କିପରି ମିଳିପାରିବ ସେଥିପାଇଁ କାର୍ୟ୍ୟ କରିବା ଏହି ସଂସ୍ଥାର ମୂଳଲକ୍ଷ୍ୟ । ସ୍ଥାନୀୟଅଞ୍ଚଳର ଶ୍ରମିକ ମାନଙ୍କୁ କିପରି ରୋଜଗାରକ୍ଷମ କରିହେବ, ସେ ଦିଗରେ ମଧ୍ୟ ଏହି ସଂସ୍ଥା କାମ କରେ ।
ଆଗାମୀ ପିଢ଼ୀ ପାଇଁ ଗଛର ଆବଶ୍ୟକତା ନିତାନ୍ତ ଜରୁରୀ । ଏଥିପାଇଁ ଯୁବପିଢ଼ୀଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି । ସ୍ଥାନୀୟ ଅଞ୍ଚଳରେ ତପନ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଦିଗରେ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଦୁଃଖର ବିଷୟ କିଛି ଖଳପ୍ରକୃତିର ଲୋକ ଇର୍ଷା ପରାୟଣ ହୋଇ କିମ୍ବା ସଚେତନତାର ଅଭାବରୁ ତପନ ଲଗାଇଥିବା ଗଛକୁ ନଷ୍ଟ କରି ଦିଅନ୍ତି । ଯାହା ତାଙ୍କ ମନକୁ ଗଭୀର ଆଘାତ ଦିଏ । ତଥାପି ସେ ହାର ମାନିନାହାନ୍ତି । ବରଂ ପରିବେଶ ସୁରକ୍ଷା ଦିଗରେ ବିଭିନ୍ନ ସଚେତନମୂଳକ କାର୍ୟ୍ୟକ୍ରମର ଆୟୋଜନ କରି ତପନ, ବୃକ୍ଷରୋପଣ ପାଇଁ ଲୋକଙ୍କୁ ଉତ୍ସାହିତ କରନ୍ତି । ଏହାଛଡ଼ା ତପନ କୁହନ୍ତି, ସ୍କୁଲ, କଲେଜର ଛାତ୍ରଛାତ୍ରୀ ଓ କୁନିକୁନି ପିଲାଙ୍କୁ ବୃକ୍ଷରୋପଣ ପ୍ରତି ଆକୃଷ୍ଟ କରିବାକୁ ସେ ଅନବରତ ଚେଷ୍ଟା ଜାରି ରଖିଛନ୍ତି । ଆଗକୁ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ସହିତ ଆଜିର ଯୁବପିଢ଼ୀ କିପରି ଏହାପ୍ରତି ମନବଳାଇବେ, ତାପାଇଁ ମଧ୍ୟ ଚେଷ୍ଟା ଚଳାଇଛନ୍ତି ସେ ।
ଆଜିର ସ୍ୱାର୍ଥପର ଦୁନିଆରେ ସମାଜ ପାଇଁ କାମ କରିବାକୁ ନିଃସ୍ୱାର୍ଥପର ଭାବେ ନିଜକୁ ବ୍ରତି କରିବା ଖୁବ୍ କମ୍ ଲୋକଙ୍କ ପାଖରେ ଦେଖିବାକୁ ମିଳେ । କିନ୍ତୁ ତପନ ପିଲାବେଳୁ ଯେମିତି ନିଜ ଜୀବନକୁ ସମାଜସେବା ପାଇଁ ଉତ୍ସର୍ଗ କରିବାର ସଂକଳ୍ପ ନେଇଛନ୍ତି । ବୃକ୍ଷରୋପଣ ଯେପରି ତାଙ୍କ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି । ଏଥିପାଇଁ ତାଙ୍କୁ ବୃକ୍ଷ ମାନବ ଭାବେ ଯେଉଁ ନୂଆ ପରିଚୟ ମିଳିଛି, ତାକୁ ସୁଚାରୁରୂପେ ତୁଲାଉଛନ୍ତି ତପନ ।
