ଜଙ୍ଗଲ ଥିଲା, ଜୀବିକା ବି । ହେଲେ ଉତ୍ସବ ନଥିଲା । ଯେତେବେଳେ ଅଭାବ ଆସିଲା ସେତେବେଳେ କିଛି ଅଭିନବ ଉପାୟ ବି ଆସିଲା । ଜଙ୍ଗଲ, ଜୀବିକା ସହ ଯୋଡ଼ି ହେଲା ପରମ୍ପରା । ପାଳନ ହେଲା ଉତ୍ସବ । ଯେଉଁ ସିଆଳି ପତ୍ର ପିଢ଼ି ପିଢ଼ିଙ୍କୁ ରୋଜଗାର ଦେଇ ଆସିଛି ତାର ସୁରକ୍ଷା ସହ ଜଙ୍ଗଲ ସଂରକ୍ଷଣ ପାଇଁ ଜନ୍ମ ନେଲା ‘ସିଆଳି ଉତ୍ସବ’ । ଧୀରେ ଧୀରେ ଏ ଉତ୍ସବ ଆଜି ଏକ ଅଭିଯାନରେ ପରିଣତ ହୋଇଛି ଏବଂ ଗ୍ରାମୀଣ ମହିଳାଙ୍କ ରୋଜଗାରକୁ ସୁରକ୍ଷିତ କରିବା ସହ ସେମାନଙ୍କୁ ଜଙ୍ଗଲ ସୁରକ୍ଷାର ଜାଗ୍ରତ ପ୍ରହରୀ ସଜାଇ ଦେଇଛି । ଯେଉଁ ମହତ ଉଦ୍ଦେଶ୍ୟ ନେଇ ଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଆଜି ତାହା ମହାନ ପର୍ବରେ ପରିଣତ ହୋଇଛି ।

ଗ୍ରାମୀଣ ମହିଳାଙ୍କ ଜଙ୍ଗଲ ଓ ଜୀବିକା ସୁରକ୍ଷାର ମାଧ୍ୟମ ସାଜିଛି ସିଆଳି ଉତ୍ସବ । ସିଆଳି ପତ୍ର ଉପରେ ନିର୍ଭରଶୀଳ ଆଦିବାସୀ, ଦଳିତ ଓ ଅନ୍ୟ ମହିଳାମାନେ ଏହାକୁ ଘରେ ଓ ବିକ୍ରି ପାଇଁ ବ୍ୟବହାର କରନ୍ତି । ଧୀରେ ଧୀରେ ଜଙ୍ଗଲରେ ସିଆଳି ଲତା କମି ଯାଉଥିବାରୁ ଏହାର ସଂରକ୍ଷଣ ପାଇଁ ବି ଏବେ ସେମାନେ କାମ କରୁଛନ୍ତି । ଅଧିକ ସିଆଳି ମଞ୍ଜି ଲଗାଇ ଜଙ୍ଗଲକୁ ସଂରକ୍ଷଣ ସାଙ୍ଗକୁ ସିଆଳି ଲତାକୁ ବଞ୍ଚାଇ ରଖିବାର ପ୍ରୟାସ ଜାରି ରଖିଛନ୍ତି ।
ବର୍ଷା ଆଗମନ ସହିତ ଓଡ଼ିଶାରେ ଯେତେବେଳେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଳନ ହୁଏ । ସେହି ସମୟରେ ରାଜ୍ୟ ରାଜଧାନୀରୁ ପ୍ରାୟ ୮୪ କି.ମି ଦୂର ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକରେ କିଛି ଗ୍ରାମୀଣ ମହିଳା ଏହି ସିଆଳି ଉତ୍ସବ ପାଳନରେ ବ୍ୟସ୍ତ ଥାଆନ୍ତି । ଯାହା ଜଙ୍ଗଲ ସଂରକ୍ଷଣ ଓ ପୁନଃସୃଜନର ଏକ ନିଆରା ପର୍ବ ।

କାହିଁକି ସିଆଳି ଉତ୍ସବ?
ସିଆଳି ଉତ୍ସବ ଭଳି ଏକ ଅଭିନଵ ପର୍ବ ସମ୍ପର୍କରେ ଡେଙ୍ଗାଝରି ଗାଁର ୬୫ ବର୍ଷୀୟା ଶଶୀ ପ୍ରଧାନ କୁହନ୍ତି, ଆମେ ଏହି ପର୍ବ ପାଳନ କରୁଛୁ ସିଆଳି ଲତାକୁ ବଞ୍ଚାଇବା ପାଇଁ । ଏହା ଶାଳ ଗଛ ଚାରିପାଖରେ ବଢ଼େ ଏବଂ ଆମ ଜୀବିକା ଏହା ଉପରେ ନିର୍ଭର କରେ । ମୁଖ୍ୟତଃ ସ୍ନାନ ପୂର୍ଣ୍ଣିମା ଦିନ ଏହି ଉତ୍ସବ ପାଳନ କରିବାର ପ୍ରମୁଖ କାରଣ ହେଲା, ବର୍ଷାରେ ସିଆଳି ମଞ୍ଜି ଅଙ୍କୁରିତ ହେବାରେ ସାହାଯ୍ୟ କରେ ।
ଶଶୀ କୁହନ୍ତି, ହରିଡ଼ା, ବାହାଡ଼ା, କେନ୍ଦୁପତ୍ର, ମହୁଲ, ଛତୁ, ଶାଗ, କନ୍ଦମୂଳ ଓ ମହୁ ବ୍ୟତୀତ ଆମେ ସିଆଳି ପତ୍ର ଉପରେ ବିଶେଷ ନିର୍ଭର କରୁ । ପ୍ରତିଦିନ ସକାଳେ ପତ୍ର ତୋଳି, ଥାଳି ସିଲେଇ କରୁ । କିଛି ଘରେ ବ୍ୟବହାର କରୁ ଏବଂ ବଳକା ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରି ଅତିରିକ୍ତ ଆୟ କରୁ । କିନ୍ତୁ ଗତ କିଛି ବର୍ଷ ଧରି ଜଙ୍ଗଲରେ ସିଆଳି ଲତା କମି ଯାଉଥିବା ଦେଖାଗଲା । ସିଆଳି ଥାଳି ବିକ୍ରି ଆୟର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇଥିବାରୁ ଏହାକୁ ନେଇ ମହିଳାମାନେ ଚିନ୍ତିତ ଥିଲେ । ଆୟର ଏହି ଉତ୍ସକୁ ବଞ୍ଚାଇ ରଖିବାକୁ ପ୍ରୟାସ କଲେ । ଶେଷରେ ଅଧିକ ସିଆଳି ମଞ୍ଜି ଲଗାଇ ଜଙ୍ଗଲକୁ ପୁନଃସୃଜନ କରିବାକୁ ସ୍ଥିର କଲେ । ଏପରି ଭାବେ ଆରମ୍ଭ ହେଲା ସିଆଳି ଉତ୍ସବ । ବିଶେଷ କରି, ରଣପୁର ବ୍ଲକର ୯ଟି ଗ୍ରାମ ପଞ୍ଚାୟତ ଯଥା, ଦର୍ପନାରାୟଣପୁର, ବାଉଁଶଗଡ଼, ବଳଭଦ୍ରପୁର, ମଝିଆଖଣ୍ଡ, ବନ୍ଧମୁଣ୍ଡ, ପଟିଆ, ଡମସାହି, କାନ୍ଦପଡ଼ା ଓ ଖତିଆର ମହିଳାମାନେ ଏଥିରେ ଯୋଗ ଦେଲେ ।

ଉତ୍ସବର ଦିନ ମହିଳାମାନେ ସକାଳୁ ଉଠି ଘର ସଫା କରନ୍ତି । ଝୋଟି, ଚିତା ଦିଅନ୍ତି, ପୋଡ଼ ପିଠା, କାକରା, ମଣ୍ଡା, ମୁଆଁ, ଚକୁଳି ପିଠା, ଚୁଡ଼ାଘଷା ଆଦି ପାରମ୍ପରିକ ପିଠା ଓ ମିଠା ଆଗ୍ରହର ସହ ତିଆରି କରନ୍ତି ବୋଲି ଶଶୀ କୁହନ୍ତି । ପ୍ରତି ଥର ଏହି ଉତ୍ସବ ବିଭିନ୍ନ ଗାଁରେ ପାଳନ ହେଉଥିବା ବେଳେ ଚଳିତ ବର୍ଷ ସ୍ଥାନୀୟ ରାଉତରାପୁର ଗ୍ରାମରେ ପାଳନ ହୋଇଛି ।
ସେହିପରି ରାଉତରାପୁର ଗ୍ରାମର ୨୮ ବର୍ଷୀୟା ରଞ୍ଜିତା ପ୍ରଧାନ କୁହନ୍ତି, ପରିବାରକୁ ଏକାଠି କରିବା ପାଇଁ ଏସବୁ ପ୍ରସ୍ତୁତ କରୁ । ଜଙ୍ଗଲକୁ ଯାଇ ମା’ ବନଦୁର୍ଗାଙ୍କୁ ଏହି ପ୍ରସାଦ ଅର୍ପଣ କରୁ । ସିଆଳି ଲତାର ଭଲ ବୃଦ୍ଧି ପାଇଁ ପୂଜା ସହ ଭୋଗ ଅର୍ପଣ କରି ଜଙ୍ଗଲ ଦେବୀଙ୍କ ଆଶୀର୍ବାଦ ନେଉ ।

ମଞ୍ଜି ଲଗାଣ
ମଞ୍ଜି ଲଗାଣକୁ ନେଇ ବସୁନ୍ଧରାର ଜିଲ୍ଲା କ୍ଷେତ୍ର ସଂଯୋଜକ ଭାଗ୍ୟଲକ୍ଷ୍ମୀ ବିଶ୍ୱାଳ କୁହନ୍ତି, ପ୍ରାକୃତିକ ଭାବେ ଅଧିକାଂଶ ମଞ୍ଜି ନଷ୍ଟ ହୋଇଯାଉଥିଲା । ତେଣୁ ମଞ୍ଜି ସଂଗ୍ରହ କରି, ତାକୁ ଶୁଖାଇ ବିଭିନ୍ନ ଝରଣା କୂଳରେ ଲଗାଇବାକୁ ସ୍ଥିର କଲୁ । ମାର୍ଚ୍ଚ-ଏପ୍ରିଲ ମାସରେ ମହିଳାମାନେ ମଞ୍ଜି ସଂଗ୍ରହ କରନ୍ତି । ତା’ପରେ ଗୋବର, ଗୋମୂତ୍ର, ଉଇହୁଙ୍କା ମାଟି ଓ ପାଉଁଶ ମିଶାଇ ସିଡବଲ ଭଳି ଛୋଟ ଛୋଟ ଗୁଳା ତିଆରି କରନ୍ତି ଏବଂ ଭିତରେ ମଞ୍ଜି ରଖି ଖରାରେ ଶୁଖାନ୍ତି । ଏହା ମଞ୍ଜିକୁ ଭଲ ଅଙ୍କୁରୋଦଗମ ପାଇଁ ସାହାଯ୍ୟ କରେ । ପୂଜା ପରେ ମହିଳାମାନେ ଶାଢ଼ିର ଆଞ୍ଚଳରେ ମଞ୍ଜି ଗୁଳା ଧରି ଉପଯୁକ୍ତ ସ୍ଥାନ ଖୋଜି ଲଗାଇଥାନ୍ତି ।
୩୫ ବର୍ଷୀୟା ସୁକାନ୍ତି ନାୟକ କୁହନ୍ତି, ପୂଜା ସମୟରେ ଆମ ସହିତ କୀର୍ତ୍ତନିଆ ଦଳ ମଧ୍ୟ ଯାଆନ୍ତି ଏବଂ ସେମାନେ ସିଆଳି ଉତ୍ସବର ମହତ୍ତ୍ୱକୁ ବୁଝାନ୍ତି । ୨୦୦୨ ମସିହାରୁ ବସୁନ୍ଧରା ଏହି ଉତ୍ସବ ପାଳନକୁ ସମର୍ଥନ ଓ ସହଯୋଗ କରିଆସୁଛି । ଏବେ ଏହି ସିଆଳି ଉତ୍ସବ ପର୍ବରେ ସମ୍ବଲପୁର ଓ କନ୍ଧମାଳର ମହିଳାମାନେ ମଧ୍ୟ ସାମିଲ ହେଉଛନ୍ତି । ଧୀରେ ଧୀରେ ଏହା ବିସ୍ତାରିତ ହେବାରେ ଲାଗିଛି ଏବଂ ପରମ୍ପରା ସହ ଯୋଡ଼ି ହେଉଛି ।
କରୋନା କାଳ କଥା ମନେପକାଇ ୫୫ ବର୍ଷୀୟା ସତ୍ୟଭାମା କୁହନ୍ତି, ଜଣେ ମହିଳା ଦିନକୁ ପ୍ରାୟ ୪୦୦ ଥାଳି ସିଲେଇ କରନ୍ତି । ୧୦୦ ଥାଳି ପାଇଁ ୭୦-୮୦ ଟଙ୍କା ପାଆନ୍ତି । କିନ୍ତୁ ମହାମାରୀ କରୋନା କାଳରେ ଲକଡାଉନ୍ ସବୁ କିଛି ବଦଳାଇ ଦେଲା । ମନ୍ଦିର ଓ ହୋଟେଲ ବନ୍ଦ ହୋଇଯିବାରୁ ବ୍ୟବସାୟୀମାନେ ପତ୍ର ନେବାକୁ ଆସିଲେନି । ଫଳରେ ବହୁତ କ୍ଷତି ସହିଲୁ। ସେ ସମୟ ଯେ କେତେ କଷ୍ଟ ହୋଇଛି ମନେପଡିଲେ ଆଜି ବି ଆଖିରେ ଲୁହ ଆସିଯାଏ ।
ଭାଗ୍ୟଲକ୍ଷ୍ମୀ କୁହନ୍ତି, ସରକାର ଯଦି ଓରମାସ ବା ଓଏଲଏମ ମାଧ୍ୟମରେ ଏହି ଥାଳି କିଣନ୍ତି, ତେବେ ଏହାକୁ ପ୍ରସ୍ତୁତ କରୁଥିବା ମହିଳାମାନଙ୍କ ଆୟ ବଢ଼ିବ ଏବଂ ଥର୍ମୋକଲ ବ୍ୟବହାର କମିବା ସହ ପରିବେଶ ସୁରକ୍ଷିତ ରହିବ ।
ସିଆଳି ପାଇଁ ଜଙ୍ଗଲ ସୁରକ୍ଷା
ଜଙ୍ଗଲ ସୁରକ୍ଷାର ରାସ୍ତା ଦେଖାଇଲା ସିଆଳି । ଯେତେବେଳେ ଜୀବିକା କଥା ଆସିଲା ଏବଂ ଜଙ୍ଗଲ ନିର୍ଭରଶୀଳ ସାଜିଲା ସେତେବେଳେ ଜଙ୍ଗଲକୁ ସଂରକ୍ଷିତ କରିବାର ଚିନ୍ତା ମୁଣ୍ଡରେ ପଶିଲା । ଏହି କ୍ରମରେ ଏବେ ରଣପୁରର ଶତାଧିକ ମହିଳା ପ୍ରତିଦିନ ଜଙ୍ଗଲରେ ପହରା ଦିଅନ୍ତି । ସେମାନେ ଏ ପର୍ଯ୍ୟନ୍ତ ୫୦୦ ଏକରରୁ ଅଧିକ ଜଙ୍ଗଲକୁ କାଠ ଚୋରଙ୍କ କବଳରୁ ରକ୍ଷା କରିଆସିଛନ୍ତି ।

ସତ୍ୟଭାମା କୁହନ୍ତି, ଖାଦ୍ୟ ଓ ଜୀବିକା ପାଇଁ ଆମେ ଜଙ୍ଗଲ ଉପରେ ନିର୍ଭରଶୀଳ । ସେ ଆମ ମା । ତେଣୁ ଜଙ୍ଗଲ ମା’ ର ସୁରକ୍ଷା ଆମର ପ୍ରଥମ ଏବଂ ପ୍ରମୁଖ କର୍ତ୍ତବ୍ୟ ।
ତେବେ ସିଆଳି ଉତ୍ସବ କେବଳ ଏକ ପର୍ବ ନୁହେଁ, ବରଂ ଏହା ମହିଳାମାନଙ୍କ ଦ୍ୱାରା ଜଙ୍ଗଲ ସଂରକ୍ଷଣ, ଜୀବିକା ସୁରକ୍ଷା ଓ ଓଡ଼ିଆ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟ ବା ମିଶ୍ରଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯାହା ଆଜି ସଫଳତାର ସହ ପ୍ରତିଫଳିତ ।
