ବିଶ୍ୱାସରୁ ବିଜ୍ଞାନ ଯାଏଁ : ପ୍ରକୃତିର ସଙ୍କେତରୁ ଜଣାପଡେ ମୌସୁମୀର ଆଗମନ

କେବେ ଭାବିଛନ୍ତି ପୂର୍ବକାଳରେ ଯେତେବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୋଲି କିଛି ନଥିଲା କିମ୍ବା ଆଧୁନିକ ଯନ୍ତ୍ରର ଉଦ୍ଭାବନ ହୋଇନଥିଲା ସେତେବେଳେ ଲୋକେ ମୌସୁମୀର ଆଗମନ ସମ୍ପର୍କରେ ଜାଣୁଥିଲେ କିପରି ? ଯେତେବେଳେ ଟିଭି କିମ୍ବା ମୋବାଇଲର ବ୍ୟବହାର ଜଣାନଥିଲା ଲୋକେ କିପରି ସଂକେତ ପାଉଥିଲେ ମୌସୁମୀ ଆଗମନ ଓ ପ୍ରତ୍ୟାବର୍ତ୍ତନର ? ବିନା କୌଣସି ଆଧୁନିକ ଯନ୍ତ୍ର ଓ ଜ୍ଞାନକୌଶଳ ଦ୍ୱାରା ପ୍ରତିବର୍ଷ କିପରି ଜଣା ପଡ଼ୁଥିଲା ମୌସୁମୀ କୃଷି ଅନୁକୂଳ ଅଥବା ପ୍ରତିକୂଳ ହେବ ?

ମୌସୁମୀ ଆଗମନକୁ ଆପଣ କିପରି ଜାଣନ୍ତି ? ସାଧାରଣତଃ କଳାବାଦଲ ଦେଖି ମନ୍ଦମନ୍ଦ ଠାଣିରେ ମୟୁର ତାର ପୁଛ ବିସ୍ତାର କରି ନାଚିବା, ସବୁଜ ରଙ୍ଗ ପତ୍ରର ଚାଦରରେ ଢାଙ୍କି ହୋଇ, ଡାଳ ମାନଙ୍କରେ କଦମ୍ବ ଫୁଲର ପ୍ରଷ୍ଫୁଟନ କିମ୍ବା ଝଡ଼ ପୂର୍ବରୁ ବେଙ୍ଗଙ୍କ ରଡ଼ି ଆଦିରୁ ଆଭାସ ମିଳେ ଯେ ମୌସୁମୀ ତାର ସ୍ୱାଗତ ଅପେକ୍ଷାରେ । ହେଲେ କେବଳ କ’ଣ ଏତିକି ? ଏସବୁ ବାଦ୍ ବି କିଛି ଏମିତି ସଂକେତ ଅଛି ଯାହାକୁ ନେଇ ଲୋକେ ସୂଚନା ପାଆନ୍ତି ଧାରାଶ୍ରାବଣ କିମ୍ବା ଆସନ୍ନ ମରୁଡ଼ି ସମ୍ପର୍କରେ ।

ପୂର୍ବରୁ ଲୋକେ ଟିଭି କିମ୍ବା ମୋବାଇଲ୍ ଆପ୍ସ ଉପରେ ନିର୍ଭରଶୀଳ ନଥିଲେ । କିନ୍ତୁ ବିଭିନ୍ନ ପ୍ରାକୃତିକ ସଙ୍କେତ ମାଧ୍ୟମରେ ସେମାନଙ୍କୁ ଆଭାସ ମିଳୁଥିଲା ବର୍ଷର ମୌସୁମୀ କେବେ ଆସିବ ଓ କିପରି ରହିବ । ଏହା କୌଣସି ପୋଥିଗତ ବିଦ୍ୟା କିମ୍ବା ମନଗଢ଼ା କାହାଣୀ ନଥିଲା । ବରଂ ଏହାଥିଲା ପାରମ୍ପରିକ ଶୈଳୀରେ ପୂର୍ବଜଙ୍କ ଠାରୁ ପର ପିଢ଼ିକୁ ଦିଆଯାଇଥିବା ମୁଖନିସୃତ ଜ୍ଞାନ । କୌଣସି ନିର୍ଦ୍ଧିଷ୍ଟ ସ୍ଥାନର ଲୋକଙ୍କ ବିଶ୍ୱାସ ଓ ବାସ୍ତବ ଅନୁଭୂତିରୁ ହିଁ ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରିହେଉଥିଲା ସେସମୟରେ । ଯାହା ଆଗରେ ଆଧୁନିକ ପାଣିପାଗ ମଡେଲ୍ ବି ଫେଲ୍ ମାରେ।

ମୌସୁମୀର ପୂର୍ବାଭାଷ ପକ୍ଷୀଙ୍କ କାକଳି
ମୌସୁମୀ ଆଗମନ ପୂର୍ବରୁ ପକ୍ଷୀ ମାନେ ଏହାର ପୂର୍ବାଭାଷ ପାଆନ୍ତି । ସେମାନଙ୍କ ଉଡ଼ିବା, ବସା ବାନ୍ଧିବା ଶୈଳୀ, କାକଳି ଆଦି ମୌସୁମୀ ଆଗମନକୁ ସୂଚାଇଥାଏ । ରାଜ୍ୟର କିଛି ସ୍ଥାନରେ ଚାଷୀ ମାନେ ପକ୍ଷୀଙ୍କ ଗତିବିଧିରୁ ପାଣିପାଗ ପୂର୍ବାନୁମାନ କରନ୍ତି ଓ ସେହି ଅନୁଯାୟୀ କୃଷିକାର୍ଯ୍ୟ ପାଇଁ ପ୍ରସ୍ତୁତ ହୁଅନ୍ତି। ଟିଟିରି ନାମକ ଏକ ପକ୍ଷୀ, ମୌସୁମୀ ପୂର୍ବାନୁମାନକାରୀ ପକ୍ଷୀ ଭାବେ ବେଶ୍ ପରିଚିତ । ସେହିପରି କୋହଲା ପବନ ବହିଲେ କିମ୍ବା କଳା ବାଦଲ ଦେଖିଲେ ବେଙ୍ଗ ମାନେ ପାଆନ୍ତି ବର୍ଷା ଆସିବାର ସଂକେତ ।

ବିଶ୍ୱାସରୁ ବିଜ୍ଞାନ ଯାଏଁ
ଏ ସମ୍ପର୍କରେ ଆମେ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ,ପାଇକଡ଼ାକୁଲଗୁଡ଼ା ଗାଁର ଜଣେ କନ୍ଧ ସଂପ୍ରଦାୟର ଚାଷୀ କୃଷ୍ଣ କହଁରଙ୍କ ସହ କଥା ହୋଇଥିଲୁ । ଆଉ ତାଙ୍କ ଠାରୁ ସାଉଁଟିଥିଲୁ ଭିନ୍ନ ଏକ ଅନୁଭୂତି । ତାଙ୍କ ସହ କଥା ହେବା ବେଳେ ପାରମ୍ପରିକ ତଥ୍ୟକୁ ନେଇ ତାଙ୍କ ମନରେ ଥିବା ପ୍ରଗାଢ଼ ବିଶ୍ୱାସକୁ ଆମେ ଅନୁଭବ କରିପାରିଥିଲୁ । ତାଙ୍କୁ ପଚାରିବାରୁ ଜଣାପଡ଼ିଥିଲା ଯେ, ଏବେ ବି ସେମାନେ ପ୍ରକୃତିର ସଂକେତ ଉପରେ ଭରସା ଓ ବିଶ୍ୱାସ କରନ୍ତି । ସେ କୁହନ୍ତି, ‘କୌଣସି କୃତ୍ରିମ ଯନ୍ତ୍ରପାତିଠୁ ଅଧିକ ପ୍ରକୃତି ଉପରେ ଆମର ପ୍ରଗାଢ଼ ବିଶ୍ୱାସ ରହିଛି । ଏମିତି ବହୁତ କିଛି ଘଟଣା ଘଟେ, ଯାହାକୁ ଦେଖି ଆମେ ମୌସୁମୀ ସମ୍ପର୍କରେ ସୂଚନା ପାଉ ।’ ‘ଜଙ୍ଗଲକୁ ଗାଈ-ଗୋରୁ ଚରାଇବା ପାଇଁ ହେଉ କି ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଗଲାବେଳେ ଆମେ ପ୍ରକୃତିର ବିଭିନ୍ନ ସଂକେତକୁ ନିରିକ୍ଷଣ କରୁ ।’ ସେ କୁହନ୍ତି, ‘ମୌସୁମୀ ଆଗମନ ପୂର୍ବରୁ ପ୍ରଥମେ ପାହାଡ଼-ପର୍ବତରେ କୁହୁଡ଼ି ଭଳି ଦେଖାଯାଏ । ଏକ ନିର୍ଦ୍ଦିଷ୍ଟ ପର୍ବତରେ ଧୁନ୍ଦୁରା (କୁହୁଡ଼ି) ଭଳି ଦୃଶ୍ୟମାନ ହେଲେ ଆମେ ଜାଣୁ ଯେ, ଖୁବଶୀଘ୍ର ମୌସୁମୀର ଆଗମନ ହେବାକୁ ଯାଉଛି। ବିଭିନ୍ନ ପଶୁପକ୍ଷୀଙ୍କ ଗତିବିଧିକୁ ଆମେ ନିରିକ୍ଷଣ କରୁ। “ଦେଲାକାତି” ନାମକ ଏକ ପକ୍ଷୀର ବସାବନ୍ଧା ଶୈଳୀରୁ ଆମେ ମୌସୁମୀ ଆଗମନର ସୂଚନା ପାଉ’ ।

“ଦେଲାକାତି” ପକ୍ଷୀ ଯଦି ନିର୍ଦ୍ଦିଷ୍ଟ ପର୍ବତର ଝରଣା ଉପର ଭାଗରେ ବସା ବାନ୍ଧେ ତେବେ ଜଣାପଡେ ଯେ, ଏ ବର୍ଷ ମୌସୁମୀ ଟିକେ ବିଳମ୍ବରେ ଆସିବ । ଚାଷବାସ ପାଇଁ ଆମକୁ ଯେଉଁ ସମୟରେ ବର୍ଷା ଆବଶ୍ୟକ, ତା ଠାରୁ ସାମାନ୍ୟ ବିଳମ୍ବରେ ମୌସୁମୀ ଆସିବ ବୋଲି ସଂକେତ ମିଳେ । ସେହିପରି ଅନ୍ୟ ଏକ ପକ୍ଷୀ କାଟିପଟ୍ଟା କେଉଁ ଦିଗକୁ ମୁହଁ କରି ବସାବାନ୍ଧୁଛି ବୋଲି ଲକ୍ଷ୍ୟ ରଖାଯାଏ । କେଉଁ ଦିଗରେ ବସା ବାନ୍ଧିଲେ ଚାଷ ଉପକୂଳ ବର୍ଷା ଅଥବା ସ୍ୱଳ୍ପ ବର୍ଷା ହେବ ,ତାହା ଜଣାପଡେ । ଯଦି କାଟିପଟ୍ଟା ପକ୍ଷୀ ଉତ୍ତର ଦିଗକୁ ବସା ବାନ୍ଧେ, ତେବେ ମୌସୁମୀ ବର୍ଷା ବିଳମ୍ବରେ ଆସିବ । ସେହିପରି ଦକ୍ଷିଣ, ପୂର୍ବ କିମ୍ବା ପଶ୍ଚିମ ଦିଗକୁ ମୁହଁ କରି ବସାବାନ୍ଧିଲେ,ଚାଷ ଉପଯୋଗୀ ବର୍ଷା ହେବ ବୋଲି ଲୋକବିଶ୍ୱାସ ରହିଛି ।

କୃଷ୍ଣ କୁହନ୍ତି, ‘କେବଳ ଏତିକି ନୁହେଁ, ପ୍ରକୃତି ଆମକୁ ଏତେ ଚମତ୍କାର ଶୈଳୀରେ ଭିନ୍ନଭିନ୍ନ ସଂକେତ ଦିଏ, ସେଥିରୁ ଆମକୁ ଜଣାପଡ଼ିଯାଏ ଯେ ଚାଷ ପାଇଁ କେବେ ପ୍ରସ୍ତୁତ ହେବାକୁ ହେବ’। ‘କେବଳ ସେତିକି ନୁହେଁ, ଜଙ୍ଗଲର ବିଭିନ୍ନ ବୃକ୍ଷଙ୍କ ଠାରୁ ମଧ୍ୟ ଆମକୁ ବିଭିନ୍ନ ସଂକେତ ମିଳେ’ । ଏକ ନିର୍ଦ୍ଦିଷ୍ଟ ବୃକ୍ଷର ଫୁଲ ମଧ୍ୟ ପାଣିପାଗ ସଂକେତ ଦିଏ । ସେ କୁହନ୍ତି, ‘ “କୁମ୍ବେ” ନାମକ ଗଛରେ ଫୁଲ ଧରିବା ସମୟରେ ଆମେ ଏହାକୁ ନିରିକ୍ଷଣ କରୁ । ତାର ଫୁଲ ଫୁଟିବା ଶୈଳୀ ବି ସବୁବେଳେ ସମାନ ନଥାଏ । ଏହି ଫୁଲଟି ଏକ ମାଳ ସଦୃଶ ପ୍ରଷ୍ଫୁଟନ ହୁଏ । ଯଦି ଫୁଲଟି ମାଳର ପ୍ରଥମ ଭାଗରୁ ଅର୍ଥାତ୍ ଡେମ୍ଫ ଆଡ଼ୁ ପ୍ରଷ୍ଫୁଟନ ଆରମ୍ଭ କରେ, ତେବେ ଆମେ ଜାଣୁ ଯେ ଚଳିତ ବର୍ଷ ଶୀଘ୍ର ମୌସୁମୀ ଆସିବ, ଯଦି ମଝି ଆଡ଼କୁ ଫୁଲ ଧରେ, ତେବେ ବର୍ଷର ମଧ୍ୟଭାଗ ଆଡ଼କୁ ଅର୍ଥାତ୍ ଚାଷୀଙ୍କ ପାଇଁ ଅନୁକୂଳ ବର୍ଷା ଆସିବ । ଆଉ ଯଦି ମାଳର ଶେଷ ଭାଗକୁ ଅର୍ଥାତ୍ ଡେମ୍ଫର ଶେଷଭାଗ ଆଡ଼କୁ ଫୁଲ ଧରେ, ତେବେ ମୌସୁମୀ ଏଥର ଆମକୁ ଧୋଇଦେବ ଅର୍ଥାତ୍ ପ୍ରବଳବର୍ଷା ଆଶଙ୍କା ରହିଛି ବୋଲି ଆମେ ବିଶ୍ୱାସ କରୁ’ ।

ଯଦି କୁମ୍ବେ ଗଛରେ ଫୁଲ ପ୍ରଷ୍ଫୁଟନ ପ୍ରକ୍ରିୟା ଠିକ୍ ଭାବେ ହୁଏ, ତେବେ ଚଳିତ ବର୍ଷ ଆମକୁ ଚାଷ ଉପଯୋଗୀ ବର୍ଷା ଅର୍ଥାତ୍ ଉପଯୁକ୍ତ ପରିମାଣର ବର୍ଷା ହେବ ବୋଲି ଜଣାପଡେ । ଏହି ଫୁଲ ପ୍ରଷ୍ଫୁଟନ ପ୍ରକ୍ରିୟାକୁ ନିରିକ୍ଷଣ କରି ଚାଷ ପାଇଁ ଯୋଜନା ହୁଏ । କୃଷ୍ଣ କୁହନ୍ତି, ‘କେବଳ ଏତିକି ନୁହେଁ ପୋକ ମାନେ ବି ଦିଅନ୍ତି ପାଣିପାଗ ସୂଚନା’। ତାଙ୍କ କହିବା ମୁତାବକ, ‘କାଦାଗୁଡ଼ୁମ୍ୱେଲି ନାମକ ଏକ ପୋକ ରହିଛି । ଯାହା ଶରୀରର ଆରମ୍ଭ ଭାଗରେ ଯଦି କାଦୁଅ ଲାଗେ ତେବେ ଶୀଘ୍ର ବର୍ଷା, ମଧ୍ୟଭାଗରେ ଲାଗିଲେ ବର୍ଷର ମଧ୍ୟମଭାଗରେ ବର୍ଷା ଓ ଶରୀରର ଶେଷ ଭାଗରେ କାଦୁଅ ଲାଗିଥିଲେ ମୌସୁମୀ ଆସିବାରେ ବିଳମ୍ବ ହେବ ବୋଲି ଆମେ ବିଶ୍ୱାସ କରୁ’ । ସେହିପରି ନାଲି ଟୁକୁଟୁକୁ ସାଧବ ପୋକ ଯଦି ସମୟ ପୂର୍ବରୁ ଦେଖିବାକୁ ମିଳନ୍ତି, ତେବେ ବର୍ଷର ପ୍ରଥମ ବର୍ଷା ଠିକ୍ ପରିମାଣରେ ହେବ ବୋଲି ଜଣାପଡ଼େ । ସାଧବ ପୋକ ଶରୀରର ମହକରୁ ବି ଜଣାପଡ଼େ କେତେ ପରିମାଣର ବର୍ଷା ହେବ ।

କୃଷ୍ଣ କୁହନ୍ତି, ‘ଭାଲୁକୁ ସାଧାରଣତଃ ଆମେ ହିଂସ୍ର ପଶୁଟିଏ ବୋଲି ଜାଣୁ । କିନ୍ତୁ ଆମ ଆଦିବାସୀଙ୍କ ପାଇଁ ସେ ଏକ ପାଣିପାଗର ବାର୍ତ୍ତାବାହକ ଭଳି କାମ କରେ । ତାର ଗତିବିଧିରୁ ଆମେ ଜାଣିପାରୁ ଚଳିତ ବର୍ଷର ମୌସୁମୀ ଓ ଚାଷକାର‌୍ୟ୍ୟ କିପରି ହେବ’। ସେ କୁହନ୍ତି, ‘ଭାଲୁ ତାର ପାଦରେ ଯେଉଁ ଦିଗକୁ ରାମ୍ପୁଡ଼େ ସେହି ଅଞ୍ଚଳର ଚାଷ ଭଲ ଫସଲ ଦେବ । ଅର୍ଥାତ ଯଦି ଭାଲୁ ଉତ୍ତର ଦିଗକୁ ରାମ୍ପିବା ଚିହ୍ନ ମିଳେ, ତେବେ କିଛିଦିନ ଆମେ ତାହା ଉପରେ ଲକ୍ଷ୍ୟ ରଖୁ । ସେ ଯଦି ବାରମ୍ବାର ଉତ୍ତର ଦିଗ ଆଡ଼କୁ ରାମ୍ପିଛି ତେବେ ଚଳିତ ବର୍ଷ ଅନ୍ୟ ଦିଗ ଠାରୁ ଅପେକ୍ଷାକୃତ ଭାବେ ସେହି ଦିଗର ଚାଷକାର‌୍ୟ୍ୟ ବେଶ୍ ଭଲ ଫସଲ ଦେବ’। ‘ସେହିପରି ଏକ ନିର୍ଦ୍ଦିଷ୍ଟ ଫଳଗଛ ନଦୀ କୂଳରେ ଦେଖିବାକୁ ମିଳେ । ତାର ନାଁ ହେଉଛି, ପିପରଡ଼ି ବୃକ୍ଷ । ଏହି ବୃକ୍ଷର ଫଳ ଓ ଫୁଲକୁ ନିରିକ୍ଷଣ କଲେ ମୌସୁମୀ ବର୍ଷା କେବେ ଆସିବ ଆମକୁ ସଂକେତ ମିଳେ । ପିପରଡ଼ି ଫୁଲ ଧରିବା ପ୍ରକ୍ରିୟା ଯଦି ଶୀଘ୍ର ହୁଏ, ତେବେ ମୌସୁମୀ ଅପେକ୍ଷାକୃତ ଶୀଘ୍ର ଆସିବ । ଯଦି ମଝିମଝିଆ ସମୟରେ ଫୁଲ ଧରେ ତେବେ କିଛିଦିନ ବିଳମ୍ବରେ ବର୍ଷା ଆସିବ । ପିପରଡ଼ି ବୃକ୍ଷର ଫଳ ପାଚିବା ମାତ୍ରେ ଜଣାପଡ଼େ, ଆମକୁ ଚାଷ ଉପକୂଳ ବର୍ଷା ହେବ ।’ ‘ଏହାସହ ଆକାଶର କେଉଁ ମେଘଖଣ୍ଡରେ ବର୍ଷା ସମ୍ଭାବନା ଅଛି, ତାକୁ ଆମେ ନିରିକ୍ଷଣ କରି ଠଉରାଇ ନେଉ ।’

ବେଙ୍ଗ ମାନେ କାହିଁକି …
ଏହାଛଡ଼ା ଉଭୟଚର ପ୍ରାଣୀ ବେଙ୍ଗ, ମଧ୍ୟ ଦିଅନ୍ତି ମୌସୁମୀର ସଂକେତ । ସାଧାରଣତଃ ବେଙ୍ଗମାନେ ଆର୍ଦ୍ର ଓ ଜଳବାୟୁ ପରିବର୍ତ୍ତନ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ । ଜଳବାୟୁ ଆର୍ଦ୍ର ହେଲେ ମାଟି ଥଣ୍ଡା ହେବାକୁ ଲାଗେ । ଏହି ସମୟରେ ବେଙ୍ଗ ମାନେ ବାହାରକୁ ବାହାରି ନିଜର ସାଥୀ ଖୋଜନ୍ତି । ସେମାନଙ୍କର ସାମୂହିକ ରଡ଼ି ଲୋକଙ୍କ ପାଇଁ ଏକ ସଙ୍କେତ ପାଲଟିଯାଏ ଯେ, ଖୁବଶୀଘ୍ର ମୌସୁମୀ ଆଗମନ ହେବାକୁ ଯାଉଛି। ସେହିପରି ଆମ ଚାରିପାଖରେ ରହୁଥିବା ପଶୁମାନେ ମଧ୍ୟ ପାଣିପାଗ ପରିବର୍ତ୍ତନର ଅନୁଭବ କରନ୍ତି । ସେମାନଙ୍କ ହାବଭାବରୁ ମୌସୁମୀର ଆଗମନ ସମ୍ପର୍କରେ ଜଣାପଡ଼େ। ମୌସୁମୀ ଆସିବା ପୂର୍ବରୁ ଗୃହପାଳିତ ପଶୁଙ୍କ ବ୍ୟବହାରରେ ପରିବର୍ତ୍ତନ ହୁଏ । ସେମାନେ ଅସ୍ତବ୍ୟସ୍ତ ହୋଇପଡ଼ନ୍ତି ଓ ଦଳବଦ୍ଧ ଭାବେ ଗୋଟିଏ ସ୍ଥାନକୁ ଚାଲିଯାନ୍ତି । ଓଡ଼ିଶାର କିଛି ଗ୍ରାମାଞ୍ଚଳରେ ବିଶ୍ୱାସ ରହିଛି ନିମ୍ବ ଗଛରେ ଫଳ ଧରିଲେ ୧୦ରୁ ୧୫ ଦିନ ମଧ୍ୟରେ ମୌସୁମୀ ଆସିବାର ସମ୍ଭାବନା ରହିଛି । ସେହିପରି କିଛି ସ୍ଥାନରେ ପଳାଶ ଫୁଲକୁ ମଧ୍ୟ ପାଣିପାଗ ସଂକେତ ଭାବେ ମାନନ୍ତି ଲୋକେ । ଏହାକୁ ଦେଖି ଲୋକେ ଚାଷବାସ କରିବାକୁ ତତ୍ପର ହୋଇ ଉଠନ୍ତି ।

ସମଗ୍ର ଭାରତ ତଥା ରାଜ୍ୟର କୃଷି ଅର୍ଥନୀତିରେ ମୌସୁମୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କାରଣ ବର୍ଷ ଯାକର ଫସଲ ଅମଳ, ସମ୍ପୂର୍ଣ୍ଣ ଭାବେ ଏହା ଉପରେ ହିଁ ନିର୍ଭର କରେ । କେବଳ କୃଷିକାର୍ଯ୍ୟ ନୁହେଁ ଦୈନନ୍ଦିନ ବ୍ୟବହାର ପାଇଁ ଜଳସଂଗ୍ରହ ମଧ୍ୟ ଉପଯୁକ୍ତ ମୌସୁମୀ ଉପରେ ନିର୍ଭରଶୀଳ । ନଚେତ୍ ମରୁଡ଼ି, ଜଳସଂକଟ ଭଳି ପରିସ୍ଥିତି ଉପୁଯେ । କୁହନ୍ତି,ଜଳବିହୁନେ ସୃଷ୍ଟିନାଶ, ଜଳବହୁଳେ ସୃଷ୍ଟିନାଶ । ୨୦୦୦ ବର୍ଷ ପୂର୍ବେ ଯେତେବେଳେ ଋତୁ ଓ ଋତୁଚକ୍ରର ଆବିଷ୍କାର ହୋଇନଥିଲା,ତାର ଯଥେଷ୍ଟ ପୂର୍ବରୁ ଓଡ଼ିଶାର ନାବିକ ମାନେ ମୌସୁମୀ ବାୟୁ ସମ୍ପର୍କରେ ବେଶ୍ ଅବଗତ ଥିଲେ । ଏହା ଦ୍ୱାରା ସେମାନଙ୍କୁ ନୌବାଣିଜ୍ୟ ପାଇଁ ସମୟ ନିର୍ଦ୍ଧାରଣରେ ସହାୟକ ହେଉଥିଲା । ସେମାନେ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହିତ ହେଉଥିବା ସମୟରେ ନୌଯାତ୍ରା ଆରମ୍ଭ କରୁଥିଲେ ଓ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ବେଳେ ବାଣିଜ୍ୟ ବ୍ୟବସାୟ ସାରି ଘରବାହୁଡ଼ା ହେଉଥିଲେ । ଏହା ଛଡ଼ା ବିଭିନ୍ନ ଜରୁରୀକାଳିନ ବ୍ୟବସ୍ଥା ମଧ୍ୟ କରି ରଖୁଥିଲେ ।

ପ୍ରତିବର୍ଷ ଜୁନ ୧ ତାରିଖ ବେଳକୁ ମୌସୁମୀ, କେରଳ ଛୁଏଁ । ମୌସୁମୀ ଓଡ଼ିଶା ମୁହାଁ ହେଲା ବେଳକୁ ଜୁନ୍ ୧୦ ତାରିଖ ହୋଇଯାଏ । ଚଳିତବର୍ଷ ମୌସୁମୀ ଟିକେ ବିଳମ୍ବରେ ଆସିଛି। ଲଗାତାର ଜଳବାୟୁ ପରିବର୍ତ୍ତନ ଏବେ ଏକ ବଡ଼ ସମସ୍ୟା ହୋଇ ମୁଣ୍ଡ ଟେକିଛି । ସମୟ ପୂର୍ବରୁ କିମ୍ବା ବହୁ ବିଳମ୍ବରେ ଲଗାତାର ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜି ବହୁ ଧନଜୀବନ ନଷ୍ଟ ହେବା ସହ ଚାଷକାର‌୍ୟ୍ୟରେ ବାଧକ ସାଜିଛି ।

କାହିଁକି ଜରୁରୀ ମୌସୁମୀ ପୂର୍ବାନୁମାନ
ଓଡ଼ିଶାର କୃଷି ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରେ । ତେଣୁ ଯେଉଁ ବର୍ଷ କମ୍ ବର୍ଷା ହୁଏ, ସେହି ବର୍ଷ ଫସଲ ଅମଳ କମ୍ ହୁଏ । ଅନ୍ୟପକ୍ଷେ ଭଲ ବର୍ଷା ଭଲ ଫସଲ ଅମଳ ପାଇଁ ଅନୁକୂଳ ହୋଇଥାଏ । କିନ୍ତୁ ଅତ୍ୟଧିକ ବର୍ଷା ବିନାଶକାରୀ । ତେଣୁ ପରିବେଶ ଓ ଅର୍ଥନୀତି ଦୃଷ୍ଟିକୋଣରୁ ମୌସୁମୀର ପୂର୍ବାନୁମାନ, ଏହାର ଆଗମନ ଓ ପ୍ରତ୍ୟାବର୍ତ୍ତନ ଉପରେ ଜ୍ଞାନ ନିହାତି ଗୁରୁତ୍ୱପୂର୍ଣ୍ଣ । ମୌସୁମୀର ପୂର୍ବାନୁମାନ କରିବା ଭାରତୀୟ ପାଣିପାଗ ବିଭାଗ ଓଗଊର ଏକ ନିୟମିତ କାମ । ସମଗ୍ର ଦେଶ ପାଇଁ ୧୦ରୁ ୩୦ ଦିନ ପୂର୍ବରୁ ପାଣିପାଗ ସମ୍ବନ୍ଧୀୟ ପୂର୍ବାନୁମାନ ରିପୋର୍ ପ୍ରଦାନ କରେ ଓଗଊ ।

ଏଲନିନୋର ପ୍ରଭାବ

ଏଲନିନୋ ଏକ ଜଳବାୟୁ ପ୍ରକ୍ରିୟା ଯାହା ସାଧାରଣ ଜଳବାୟୁ କ୍ଷେତ୍ରରେ ବ୍ୟାହତ ସୃଷ୍ଟି କରେ । ଏହା ଜଳବାୟୁ ପରିବର୍ତ୍ତନ କରି ତାପମାତ୍ରା ଅଧିକ କରିବା ସହିତ ଏହାର ପ୍ରଭାବରେ ପଶ୍ଚିମା ପବନ ବହିଥାଏ । ସମଗ୍ର ବିଶ୍ୱର ତାପମାତ୍ରା ବୃଦ୍ଧି ସହିତ ଜଳବାୟୁରୁ ଆର୍ଦ୍ରତା କମିଥାଏ । ଯାହା ଦ୍ୱାରା କେଉଁଠି ପ୍ରବଳ ବର୍ଷା ତ କେଉଁଠି ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୁଏ । ଏଲ୍ ନିନୋ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ କ୍ଷେତ୍ର ଦୁର୍ବଳ ହୋଇ ଭାରତରେ ସ୍ୱାଭାବିକ ମୌସୁମୀରେ ବ୍ୟାହତ ସୃଷ୍ଟି ହୋଇଥାଏ । ପାଣିପାଗରେ ପରିବର୍ତ୍ତନ ଯୋଗୁ ଋତୁକଳୀନ ବର୍ଷାର ପରିମାଣ ଯଥେଷ୍ଟ ହ୍ରାସ ପାଏ ଓ ଲଘୁଚାପଜନିତ ବର୍ଷା ଅଧିକ ହୁଏ । ପରିଣାମ ସଦୃଶ କୃଷି ଓ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼େ ।

ଏ ସମ୍ପର୍କରେ କୃଷ୍ଣ କହଁରଙ୍କୁ ପଚାରିବାରୁ ସେ କହନ୍ତି, ମଣିଷ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛି । ଆମ ମନରେ ଅଧିକ ପାଇବାର ଲୋଭ ପାଇଁ ହିଁ ଆମକୁ ବିଭିନ୍ନ ପ୍ରାକୃତିକ ଦୁର୍ବିପାକର ଶିକାର ହେବାକୁ ପଡ଼ୁଛି । ଆଧୁନିକ ସମୟର ହାଇବ୍ରିଡ୍ ବିହନ, ବିଭିନ୍ନ ପ୍ରକାରର ରାସାୟନିକ ସାର ଆଦିର ପ୍ରୟୋଗ ଦ୍ୱାରା ଜଳବାୟୁ ଉପରେ ଏହାର ପ୍ରଭାବ ପଡ଼ୁଛି । ଯାହା ଦ୍ୱାରା ଅସମୟରେ ଲଘୁଚାପ ବଳୟ ସୃଷ୍ଟି, ବନ୍ୟା, ମରୁଡ଼ି ଭଳି ପରିସ୍ଥିତି ଉପୁଜୁଛି । ଆମକୁ ପ୍ରକୃତି ଯାହା ଦେଇଛି, ତାକୁ ନେଇ ଓ ପ୍ରକୃତିକୁ ସୁହାଇଲା ଭଳି କାମ କଲେ ଏସବୁ ସମସ୍ୟାର ସମାଧାନ ହୋଇପାରନ୍ତା । ଆମକୁ ପ୍ରକୃତି ଯେଉଁ ପ୍ରାକୃତିକ ବିହନ ଦେଇଛି, ତାକୁ ନେଇ ଚାଷ କରିବା ପରିବର୍ତ୍ତେ ଆମେ ଅଧିକ ଅମଳ ପାଇଁ ଚାଷ ଜମିରେ ଅଧିକ ରାସାୟନିକ ପଦାର୍ଥ ପ୍ରୟୋଗ କରୁଛେ । ଆମେ ବୁଝିବାକୁ ଚେଷ୍ଟା କରୁନେ ଯେ, ସେହି ବିହନ ଆମ ଜମି ପାଇଁ ଉପଯୁକ୍ତ ହେବ କି ନାହିଁ । ଏହା ପ୍ରକୃତିକୁ ଅବମାନନା ସଦୃଶ ହେଉଛି । ଫଳରେ ତାର ବୋଝ ସହିନପାରି ପ୍ରକୃତି ଅପ୍ରାକୃତିକ ଭାବେ ପରିବର୍ତ୍ତନ ହେଉଛି । କୃଷ୍ଣ କୁହନ୍ତି, ‘ଶିକ୍ଷା ବ୍ୟବସ୍ଥାରେ ପ୍ରାକୃତିକ ଜ୍ଞାନ ସମ୍ପୂର୍ଣ୍ଣ ଲୋପ ପାଇବାକୁ ବସିଲାଣି । ଏହି ଜ୍ଞାନକୁ ପଛରେ ପକାଇ ନୂଆ ଜ୍ଞାନ କୌଶଳକୁ ପ୍ରାଧାନ୍ୟତା ଦିଆଯାଉଛି । ଆଧୁନିକ ଜ୍ଞାନକୌଶଳକୁ ମୁଁ ଭୁଲ ବୋଲି କହୁନି …କିନ୍ତୁ ପାରମ୍ପରିକ ଓ ପ୍ରକୃତି ପ୍ରଦତ୍ତ ଜ୍ଞାନକୌଶଳ ବି ସମ୍ପୂର୍ଣ୍ଣ ରୂପେ ଭୁଲ ନୁହେଁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଚାରିଆଡ଼େ ଲଘୁଚାପ ଜନିତ ବର୍ଷା ହେଉଥିବା ବେଳେ ଆମ ଅଞ୍ଚଳରେ ଏବେ ଯାଏଁ ବର୍ଷା ହୋଇନାହିଁ, ବରଂ ଖରା ହେଉଛି । ତେଣୁ ପ୍ରକୃତିର ସଂକେତକୁ ଆମେ ସତ ବୋଲି ମାନୁ’।

ସେ କୁହନ୍ତି, ହୁଏତ ଏହା କାହା ପାଇଁ ଅନ୍ଧବିଶ୍ୱାସ ହୋଇପାରେ । କିନ୍ତୁ ଆମ ପାଇଁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆମେ ଆମ ପିଲାଙ୍କୁ ପାଠପଢ଼ାଇବା ସହ ଚାଷ ଜମି ଓ ଜଙ୍ଗଲକୁ ମଧ୍ୟ ଛୁଟିଦିନ ମାନଙ୍କରେ ନେଇକି ଯାଉ । ସେମାନଙ୍କୁ ପ୍ରକୃତି ସହିତ ଅଙ୍ଗାଙ୍ଗି ଭାବେ ଜଡ଼ିତ ହେବା ପାଇଁ ଉତ୍ସାହିତ କରୁ । ସେମାନେ ଆମଠୁ ଶୁଣିଶୁଣି ହିଁ ଏହି ବିଶ୍ୱାସ ଓ ସଂକେତ ସମ୍ପର୍କରେ ଜାଣନ୍ତି । ଠିକ୍ ଆମେ ଯେମିତି ଶିଖିଥିଲୁ ଆମ ପୂର୍ବପିଢ଼ିଙ୍କ ଠାରୁ ।

ଯୁଗ ବଦଳିଲାଣି, ସମୟର ତାଳେତାଳେ ବଦଳିଲାଣି ଜୀବନଶୈଳୀ । ଏବେ ବିଭିନ୍ନ ଆଧୁନିକ ପଦ୍ଧତିରେ ପାଣିପାଗ ସୂଚନା ମିଳୁଛି । ବୈଜ୍ଞାନିକ ମାନେ ନୂତନ ଜ୍ଞାନକୌଶଳରେ ବିଭିନ୍ନ ଯନ୍ତ୍ରପାତିର ଉଦ୍ଭାବନ କରୁଛନ୍ତି । କିନ୍ତୁ ଏବେ ବି ଗାଁ ଗହଳିର ଲୋକେ ପ୍ରକୃତିର ସଂକେତକୁ ବିଶ୍ୱାସ କରନ୍ତି । ବୈଜ୍ଞାନିକ ମାନେ ମଧ୍ୟ ହୃଦୟଙ୍ଗମ କରିଛନ୍ତି, ଏହି ପ୍ରାକୃତିକ ସଂକେତ ଗୁଡ଼ିକ ଆଗାମୀ ଦିନରେ ପାଣିପାଗ ପୂର୍ବାନୁମାନକୁ ଆହୁରି ଉନ୍ନତ କରିବାରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *