ଏମିତି ବି ହୁଏ ଭସାଣି, ଡଙ୍ଗାରେ ନେଇ କରାହୁଏ ବିସର୍ଜନ

କେନ୍ଦ୍ରାପଡା: ଏମିତି ତ ଆପଣ ଅନେକ ଭସାଣି ଦେଖିଥିବେ କିନ୍ତୁ ପ୍ରତିବର୍ଷ କେନ୍ଦ୍ରାପଡା ରାଜନଗର ବ୍ଲକର ହଂସୁଆ ନଦୀରେ ହେଉଥିବା ଭସାଣି ସବୁଠାରୁ ନିଆରା । ଅନ୍ୟ ସବୁସ୍ଥାନରେ ମାଙ୍କ ବିସର୍ଜନ ପୁର୍ବରୁ ସହରରେ ପରିକ୍ରମା କରାଯାଇ ନଦୀରେ ବିସର୍ଜନ କରାଯାଏ କିନ୍ତୁ ରାଜନଗରରେ ୫ଦିନ ଧରି ପୂଜା ସରିବା ପରେ ମାଙ୍କ ମୂର୍ତ୍ତୀକୁ ନୌକାରେ ରଖି ପରିକ୍ରମା କରାଯିବା ପରେ ନଦୀରେ ବିସର୍ଜନ କରାହୁଏ ।
କେବେଠାରୁ ଏହି ପରମ୍ପରା ରାଜନଗର ଅଂଚଳରେ ଚାଲିଆସିଛି ତାହାର ତଥ୍ୟ କାହାପାଖରେ ନାହିଁ ତଥାପି କିଛି ପୁରୁଖା ଲୋକ କୁହନ୍ତି, ପ୍ରାୟ ୨୦୦ ବର୍ଷ ତଳେ କନିକା ରାଜା ଏହି ପରମ୍ପରାକୁ ଆରମ୍ଭ କରିଥିଲେ । ନିଜ ରାଜ୍ୟକୁ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ଓ ରାଜ୍ୟବାସୀଙ୍କର ଉନ୍ନତି ପାଇଁ ସେ ଦେବୀ ମାଙ୍କର ପୂଜା ଆରମ୍ଭ କରିଥିଲେ । ସେତେବେଳେ ମାଙ୍କୁ ମେଲାଣି ଦେବା ପୂର୍ବରୁ ଚାପନୌକାରେ ମାଙ୍କ ମୂର୍ତ୍ତୀ ରଖି ହଂସୁଆ ନଦୀରେ ସାତଥର ପରିକ୍ରମା କରିବା ପରେ ବିସର୍ଜନ କରୁଥିଲେ । ସେହି ପରମ୍ପରାକୁ ଉଜ୍ଜୀବିତ ରଖିବାପାଇଁ ଏବେବି ରାଜନଗର ଅଂଚଳର ବିଭିନ୍ନ ଗାଁର ପୂଜାକମିଟି ମା ଦୁର୍ଗାଙ୍କୁ ମେଲାଣି ଦେବା ପୂର୍ବରୁ ଗାଁ ଗାଁରେ ଶୋଭାଯାତ୍ରାରେ ନିଆଯାଏ, ଭକ୍ତମାନେ ଦର୍ଶନକରି ମାଙ୍କ ଧୂପ, ଦୀପ ନଡିଆଦେଇ ପୂଜା କରନ୍ତି । ଏହାପରେ ନୌକାରେ ସାତଥର ପରିକ୍ରମା କରିବା ପରେ ନଦୀରେ ବିସର୍ଜନ କରାଯାଏ ।


ପୂର୍ବରୁ ଶିକ୍ଷକତା କରୁଥିବା ରଞନ ଦାସଙ୍କ କହିବା ଅନୁସାରେ, ଆଗେ ଏହି ଚାପନୌକାରେ ସାତଥର ପରିକ୍ରମା କରିବା ପରେ ଭକ୍ତମାକେ ନଦୀରେ ପହଁରି ପହଁରି ଡଙ୍ଗା ପାଖକୁ ଯାଇ ମାଙ୍କୁ ମେଲାଣି ଦେଉଥିଲେ । କିନ୍ତୁ ଗତ କିଛି ବର୍ଷ ହେବ ହଂସୁଆ ନଦୀରେ କୁମ୍ଭୀର ଆତଙ୍କ ଯୋଗୁଁ ପ୍ରଶାସନ ପକ୍ଷରୁ ଏହାକୁ ବାରଣ କରାଯାଇଛି । ହଂସୁଆ ନଦୀ ଭିତରକନିକା ଜାତୀୟ ଉଦ୍ୟାନ ସହ ସଂଯୋଗ ହେତୁ ଭିତରକନିକାରୁ ଅନେକ କୁମ୍ଭୀର ହଂସୁଆ ନଦୀକୁ ଚାଲି ଆସୁଛି । ଫଳରେ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆଉଜଣେ ରାଜନଗର ବାସିନ୍ଦା ଶଙ୍କର ଦାସ କୁହନ୍ତି, ଆଗେ ରାଜନଗରରେ ଅନେକ ନଈ ନାଳ ଥିବାରୁ ପୂଜା କମିଟି ମାନେ ମାଙ୍କୁ ମେଲାଣି ଦେବାପୂର୍ବରୁ ନୌକାରେ ଦୁର୍ଗାଙ୍କୁ ବସାଇ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ନେଉଥିଲେ ଯେଉଁଠି ଗାଁ ଲୋକେ ମାଙ୍କୁ ଶେଷଥର ଦର୍ଶନ କରି ବିଦାୟ ଦେଉଥିଲେ । ଏବେ ସବୁଆଡେ ବ୍ରିଜ ହୋଇଯାଇଥିଲେ ମଧ୍ୟ ଗାଁ ଲୋକେ ଏବେ ମଧ୍ୟ ଏହି ପରମ୍ପରାକୁ ଜାରି ରଖିଛନ୍ତି ।


ଏବର୍ଷ ୨୦ରୁ ଉର୍ଦ୍ଧ୍ୱ ମେଢ ହୋଇଥିବାବେଳେ ବିସର୍ଜନ ଦିନ ୨୦ଟି ଚାପନୌକାରେ ମେଢକୁ ବସାଯାଇ ପରିକ୍ରମା କରାଯାଇଥିଲା । ଶ୍ରୀ ଦାସ କୁହନ୍ତି, ଗୋପାଳ ସଂପ୍ରଦାୟର ଲୋକମାନେ ମେଢକୁ କାନ୍ଧେଇ ଆଣି ପୂର୍ବରୁ ସଜାଯାଇଥିବା ଚାପନୌକାରେ ବସାନ୍ତି । ଏହି ଚାପ ନୌକା ଛଡା ଅନ୍ୟ ନୌକାରେ ଲୋକମାନେ ଘଂଟ ଘଂଟା ବଜାଇ ହୁଳହୁଳି ଦେଇ ମାଙ୍କୁ ମେଲାଣି ଦେଲାବେଳେ ଚର୍ତୁଦିଗ ପ୍ରକମ୍ପିତ ହୋଇଉଠେ । ଏଣଳି ଏକ ନିଆରା ଢଙ୍ଗର ବିସର୍ଜନ ଦେଖିବା ପାଇଁ ରାଜନଗର ଛଡା ଆଖପାଖ ଅଂଚଳର ଅନେକ ଭକ୍ତ ଆସନ୍ତି । ଏଥିପାଇଁ ହଂସୁଆ ନଦୀର ଦୁଇ ପାଖ ଓ ବ୍ରିଜ ଉପରେ ଶହ ଶହ ଦେଖଣାହାରୀଙ୍କ ଭିଡ ଜମିଯାଏ ।
ଗାଁ ଲୋକଙ୍କ କହିବା ଅନୁସାରେ ଯଦିଓ ଅନେକ ଲୋକ ଡଙ୍ଗାରେ ଯାଇ ମାଙ୍କୁ ମେଲାଣି ଦେଇ ଆସନ୍ତି ହଂସୁଆ ନଦୀରେ କୁମ୍ଭୀରର ଆତଙ୍କ ରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ଅଘଟଣ ଘଟିନାହିଁ ।

Leave a Reply

Your email address will not be published. Required fields are marked *