ଦଶହରା ସବୁବେଳେ ସଭିଁଙ୍କ ପାଇଁ ଖୁସି ଆଉ ମଉଜ କରିବାର ଦିନ ନଥାଏ ବରଂ ଅନେକଙ୍କ ପାଇଁ ଏହି ସମୟ ଅଧିକ ଟିକେ ରୋଜଗାର କରିବାର ସୁଯୋଗ ଦିଏ । ପାର୍ବଣ ସମୟରେ ମା ଦୁର୍ଗାଙ୍କ ସମ୍ମୁଖରେ ପାରମ୍ପରିକ ବାଦ୍ୟଯନ୍ତ୍ର, ମହୁରୀ, ଘଂଟ ଓ ଶଙ୍ଖ ବଜାଇବା ଏକ ପରମ୍ପରା ରହିଥିବାରୁ ଏହି ସମୟରେ ବାଦ୍ୟଯନ୍ତ୍ର ବଜାଉଥିବା ଗ୍ରୁପ ଗୁଡିକର ଚାହିଦା ବେଶ ବଢିଯାଏ । ଏଣୁ ପ୍ରତିବର୍ଷ ଦୁର୍ଗାପୂଜା ଆସିବାର କିଛିଦିନ ପୂର୍ବରୁ ଓଡ଼ିଶାର ବିଭିନ୍ନ ଗାଁ ଗହଳରୁ ଏହି ତେଲିଙ୍ଗି ବାଦ୍ୟ ବଜାଉଥିବା ଲୋକେ ସହରକୁ ଆସନ୍ତି ଅଧିକ କିଛି ରୋଜଗାର କରିବା ପାଇଁ । ଏବର୍ଷ ଦଶହରା ସମୟରେ ମା ଦୁର୍ଗାଙ୍କ ଆଗରେ ତେଲିଙ୍ଗି ବାଜା ବଜେଇବା ପାଇଁ ଓଡ଼ିଶାର ବିଭିନ୍ନ ଗାଁ ରୁ ଆସିଥିବା ସେମିତି କିଛି ବ୍ୟକ୍ତିଙ୍କୁ ଭେଟିଥିଲା ଷ୍ଟୋରିଜ ଓଡ଼ିଶା ।
ଭୁୁବନେଶ୍ୱର
ପ୍ରତିବର୍ଷ ଦୁର୍ଗାପୂଜା ଆସିବାର କିଛିଦିନ ପୂର୍ବରୁ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ବେଂଟପୁର ଗାଁର ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଉଥିବା ଦଳ ସଜବାଜ ହୋଇଯାଆନ୍ତି ଭୁବନେଶ୍ୱର ଆସି ମା ଦୁର୍ଗାଙ୍କ ଆଗରେ ପାରମ୍ପରିକ ବାଦ୍ୟ ବଜାଇବା ପାଇଁ । କାରଣ ଏହି ସମୟରେ ଦୁର୍ଗାପୂଜା ମେଢ ପାଇଁ ସେମାନଙ୍କର ପାରମ୍ପରିକ ତେଲିଙ୍ଗି ବାଜାର ଚାହିଦା ବେଶ ବଢିଯାଏ । ପୁଣି ପାର୍ବଣ ସମୟରେ ଚାଷ କାମରୁ କିଛିଟା ବିରତି ମିଳିଥାଏ, ଏଣୁ ଏହି ସମୟରେ ସହରକୁ ଆସି ସେମାନେ ନିଜର କୌଳିକ ବୃତି ବାଦ୍ୟଯନ୍ତ୍ର ବଜାଇ ଅଧିକ ରୋଜଗାର କରିବାକୁ ଚେଷ୍ଟା କରିଥାଆନ୍ତି । ବେଂଟପୁର ଗାଁର ଗୋଲକ ମଲ୍ଲିକ କୁହନ୍ତି, ମା ଦୁର୍ଗାଙ୍କ ଆଳତୀ, ହୋମ, ଓ ଭୋଗ ଲାଗିବା ସମୟରେ ପାରମ୍ପରିକ ତେଲିଙ୍ଗି ବାଜା ବଜାଇବାକୁ ଶୁଭ ସଂକେତ ଭାବରେ ଗ୍ରହଣ କରାଯାଉଥିବାରୁ ବାଦ୍ୟଯନ୍ତ୍ର ବଜାଉଥିବା ଲୋକଙ୍କ ଚାହିଦା ଅଧିକ । ପାରମ୍ପରିକ ବାଦ୍ୟଯନ୍ତ୍ରରେ ବ୍ୟବହୃତ ଢୋଲ, ମହୁରୀ ଓ ତାସାର ଆଜି ମଧ୍ୟ ଯଥେଷ୍ଟ ଚାହିଦା ରହିଛି । ସେ କୁହନ୍ତି, ଅନେକ ପୂଜା ମଣ୍ଡପରେ ଇଲେକଟ୍ରୋନିକ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଉଥିଲେ ମଧ୍ୟ ପାରମ୍ପରିକ ବାଜାର ଚାହିଦା ପୂର୍ବପରି ରହିଛି ।

(ପୁରୁଣା ଭୁବନେଶ୍ୱରରେ ଥିବା ମା ଦୁର୍ଗାଙ୍କର ଏକ ପୂଜା ମଣ୍ଡପ)
ବଂଚାଇ ରଖିଛନ୍ତି କୌଳିକ ବୃତି
ଓଡ଼ିଶାର ଗାଁ ଗହଳରେ ଅନ୍ୟ କୌଳିକ ବୃତି ଭଳି ପାରମ୍ପରିକ ବାଦ୍ୟଯନ୍ତ୍ର ତେଲିଙ୍ଗି ବାଜା ବଜାଉଥିବା ଲୋକେ ଆଜି ମଧ୍ୟ ନିଜର କୌଳିକ ବୃତିକୁ ବଂଚାଇ ରଖିବାକୁ ଚେଷ୍ଟା କରୁଛନ୍ତି । ବିଶେଷଜ୍ଞଙ୍କ ମତରେ ତେଲିଙ୍ଗି ବାଜା ଓଡ଼ିଆ ସଂସ୍କୃତି ସହ ଗଭୀର ଭାବେ ଜଡିତ । ଏହି ପାରମ୍ପରିକ ଲୋକବାଦ୍ୟ ଗାଁ ଗହଳିରେ ହେଉଥିବା ବିଭିନ୍ନ ପର୍ବପର୍ବାଣୀ, ଯାତ୍ରା ଓ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ମୋହିନୀ ଢୋଲ, ଯୋଡି ମହୁରୀ ଓ ଯୋଡି ଶଙ୍ଖର ସମ୍ମିଶ୍ରଣ ହିଁ ତେଲିଙ୍ଗି ବାଜା । ଶ୍ରୀଜଗନ୍ନାଥ ମନ୍ଦିରର ବିଭିନ୍ନ ନୀତିକାନ୍ତି ଯେପରିକି ବାଳଭୋଗ ବଢା ହେବା, ଆଜ୍ଞାମାଳ ଦେବା ସମୟରେ ତଥା ଋକ୍ମଣୀ କୃଷ୍ଣ ବିବାହ ସମୟରେ ଛଡି, କାହାଳୀ ଘଂଟ ଓ ତେଲିଙ୍ଗି ବାଜା ବଜାଯିବାର ବିଧି ରହିଛି । ଏହାଛଡା ବିଭିନ୍ନ ଶକ୍ତିପୀଠରେ ମଧ୍ୟ ତେଲିଙ୍ଗି ବାଜା ବଜାଇବାର ପ୍ରଥା ରହିଛି । କିନ୍ତୁ ଏହି ଗ୍ରୁପର ଅନ୍ୟତମ ସାଥୀ ଜଳଧର ମଲ୍ଲିକ କୁହନ୍ତି, ସେମାନଙ୍କର ତେଲିଙ୍ଗି ବାଜାରେ କେବଳ ଢୋଲ, ମହୁରୀ ଓ ତାସା ରହିଛି ଏବଂ ମା ଙ୍କ ଅଳତୀରେ ଏତିକି ହିଁ ଯଥେଷ୍ଟ ।
ସେ କୁହନ୍ତି, ଏମିତି ତ ଏହି ତେଲିଙ୍ଗି ବାଜାର ଗାଁରେ ଅଷ୍ଟ ପ୍ରହରୀ ରୁ ଆରମ୍ଭ କରି ମାଙ୍ଗଳିକ ଓ ସାଂସ୍କୃତିକ କାମରେ ବ୍ୟବହାର ହୁଏ କିନ୍ତୁ ପାର୍ବଣ ସମୟରେ ଏହାର ଆବଶ୍ୟକତା ବେଶି ବଢିଯାଏ । ପ୍ରତିବର୍ଷ ଦୁର୍ଗାପୂଜାରୁ କାଳିପୂଜା ଯାଏଁ ସେମାନେ ଭୁବନେଶ୍ୱରରେ ରହି ବିଭିନ୍ନ ପୂଜା ମଣ୍ଡପରେ ମାଙ୍କୁ ସେବା ଯୋଗାଇ ଥାଆନ୍ତି । ବେଂଟପୁର ପାଖ ଗୋଲରା ଗାଁରୁ ଆସିଥିବା ଜଳଧର କୁହନ୍ତି, ପ୍ରଥମେ ସେ ଏହି ବାଦ୍ୟ ବଜାଇବା କଳା ତାଙ୍କ ବାପାଙ୍କ ପାଖରୁ ଶିଖିଥିଲେ । ଛୋଟ ବେଳେ ତାଙ୍କ ବାପା ମହୁରୀ ବଜାଇବା ପାଇଁ ଏହି ପାର୍ବଣ ସମୟରେ ଭୁବନେଶ୍ୱରକୁ ଆସୁଥିବା ବେଳେ ସେ ମଧ୍ୟ ତାଙ୍କ ସାଙ୍ଗେ ଆସୁଥିଲେ । ପରେ ସେ ନିଜେ ମହୁରୀ ବଜାଇବା ଶିଖିବା ପରେ ଏହି ଦଳରେ ସାମିଲ ହୋଇ ପ୍ରତିବର୍ଷ ଭୁବନେଶ୍ୱରର ବିଭିନ୍ନ ମଣ୍ଡପକୁ ଆସନ୍ତି । ଏହି ସମୟ ହିଁ ସେମାନଙ୍କୁ ଅଧିକ ରୋଜଗାରର ସୁଯୋଗ ଦିଏ ।

(ପାର୍ବଣ ସମୟରେ ଭୁବନେଶ୍ୱର ଆସି ମା ଦୁର୍ଗାଙ୍କ ପାଖରେ ତେଲିଙ୍ଗି ବାଜା ବଜାଉଥିବା ବେଂଟପୁରର ବାଜା ଦଳ, ପ୍ରତିବର୍ଷ ସେମାନେ ଅଧିକ ରୋଜଗାର ଆଶାରେ ଏହି ମଣ୍ଡପ ଗୁଡିକୁ ଆସନ୍ତି)
ଚାଷ କାମରୁ ଫୁରସତ
ତେଲିଙ୍ଗି ବାଜା ବଜାଉଥିବା ଏହି ବାଜାବାଲା ମାନେ ଅନ୍ୟ ସମୟରେ ଭାଗଚାଷୀ ଭାବେ ଅନ୍ୟ ଜମିରେ କାମ କରି ନଚେତ ସହରରେ ଶ୍ରମିକ ଭାବେ କାମ କରି ପେଟ ପୋଷନ୍ତି । ବାଦ୍ୟଯନ୍ତ୍ରର ଏହି ଦଳରେ ଢୋଲ ବଜାଉଥିବା ୪୪ ବର୍ଷିୟ ବିପିନ ମଲ୍ଲିକ କୁହନ୍ତି, ଚାଷ କାମ କଲେ ବା ଦିନ ମଜୁରିଆ ଭାବେ ଖଟିଲେ ଦିନକୁ ୩୦୦ ରୁ ୪୦୦ ଟଙ୍କା ମିଳେ । କିନ୍ତୁ ଏହି ଦୁର୍ଗାପୂଜା ସମୟରେ ମା ଦୁର୍ଗାଙ୍କ ପାଖରେ ବାଜା ବଜେଇବାକୁ ଦିନକୁ ୧୦୦୦ ରୁ ଦେଢ ହଜାର ଯାଏଁ ଟଙ୍କା ମିଳେ । ମା ଦୁର୍ଗାଙ୍କ ପାଖରେ ୫ ଦିନ ବାଜା ବଜେଇବା ପାଇଁ ଅଅସୁତିବା ଏହି ଦଳଙ୍କ ଖାଇବା, ରହିବା ଦାୟିତ୍ୱ ପୂଜା କମିଟି ଆୟୋଜକ ମାନେ ବୁଝନ୍ତି । ପୁଣି ଭସାଣୀ ସମୟରେ ରାତି ସାରା ବାଜା ବଜାଉଥିବାରୁ ସେମାନଙ୍କୁ ଅଧିକ ଟଙ୍କା ମିଳେ । କେହି କେହି ଭକ୍ତ ପାର୍ବଣ ଋତୁ ଯୋଗୁଁ ଖୁସିରେ ଆମକୁ ଟିକେ ହାତଖର୍ଚ୍ଚ ବଢେଇ ଦିଅନ୍ତି ବୋଲି କୁହନ୍ତି ବିପିନ ।
ମା ଦୁର୍ଗାଙ୍କ ପୁଜାବେଳେ ଆବଶ୍ୟକ ପଡୁଥିବା ଏହି ତେଲିଙ୍ଗି ବାଜା ଶୁଭ ହେତୁ ଏହି ପୂଜା କମିଟି ଗୁଡିକ ମାସେ ଅଗରୁ ବାଦ୍ୟଯନ୍ତ୍ର ଦଳ ଗୁଡିକ ସହ ଆଲୋଚନା କରନ୍ତି । ଟଙ୍କା ପଇସା କଥା ଛିଣ୍ଡିବା ପରେ ସେମାନଙ୍କୁ କିଛି ଅଗ୍ରିମ ଟଙ୍କା ମଧ୍ୟ ମିଳେ । ବିପିନ କୁହନ୍ତି, ଆଗରୁ ବହୁତ କମ ଟଙ୍କା ମିଳୁଥିଲା କିନ୍ତୁ ଏବେ କିଛି ଆଖିଦୃଶିଆ ଟଙ୍କା ମିଳୁଛି । ଭସାଣୀ ଉତ୍ସବରେ ଡିଜେ ସାଉଣ୍ଡକୁ ବ୍ୟାନ କରାଯାଇଥିବାରୁ ସେମାନଙ୍କ ଚାହିଦା ବଢିଯାଇଛି । ପ୍ରାୟ ୧୦ବର୍ଷ ତଳେ ସେମାନଙ୍କ ଦଳକୁ ୫ ଦିନ ପାଇଁ ମାତ୍ର ୨ ହଜାର ଟଙ୍କା ମିଳୁଥିଲା । ଏବେ ୧୦ ହଜାର ଟଙ୍କା ପାଖାପାଖି ମିଳୁଛି, ଡିଜେ ବ୍ୟାନ ଯୋଗୁଁ ସେମାନଙ୍କୁ ଟିକେ ଭଲ ଅର୍ଥ ମିଳୁଛି । ହେଲେ ପାର୍ବଣ ନୁହେଁ ବରଂ ବାହାଘର ପ୍ରସେସନରେ ଭଲ ରୋଜଗାର ପାଇଁ ଗ୍ରାହକଙ୍କ ସହ ମୂଲଚାଲ କରିବାର ସୁଯୋଗ ମିଳିଥାଏ ବୋଲି ବିପିନ କୁହନ୍ତି । ଗାଁ ଗାଁରେ ଯେଉଁମାନେ ଏହି କୌଳିକ ବୃତିକୁ ଛାଡି ଦେବାକୁ ବସିଥିଲେ ସେମାନେ ଏବେ ପୁଣି ଏହି ବୃତିକୁ ନେଇ କିଛିଟା ରୋଜଗାର କରିପାରୁଛନ୍ତି ।
ତେବେ ପାର୍ବଣ ସମୟରେ ଗାଁରେ ପରିବାର ସହ ନ କଟାଇ ସହରକୁ ଆସି କାମକରିବା ନିଶ୍ଚିତ ଭାବେ କଷ୍ଟକର । ଏବିଷୟରେ ବାବୁନୀ ମଲ୍ଲିକ କୁହନ୍ତି, ପରିବାର କଥା ପିଲାଙ୍କ କଥା ନିଶ୍ଚିତ ଭାବେ ମନେପଡେ କିନ୍ତୁ ଅଧିକ କିଛି ରୋଜଗାର କରିବା ଆଶା ନେଇ ସେମାନେ ପାର୍ବଣ ସମୟରେ ପରିବାରଠାରୁ ଦୂରରେ ରହିବାକୁ ବାଧ୍ୟ ହୁଅନ୍ତି । ଅନ୍ୟ ଦିନରେ ଖଟୁଥିବା ମଜୁରିରୁ ଯାହା ମିଳେ ସେଥିରେ ଘରଖର୍ଚ୍ଚ ଚଳିଯାଏ ହାତରେ ଆଉ କିଛି ବଳେ ନାହିଁ । ଘରଖର୍ଚ୍ଚ ବାଦ ଆହୁରି ଯାବତୀୟ ଖର୍ଚ୍ଚ ଅଛି, ଯେପରି ପର୍ବବପର୍ବଣୀ, ପିଲାଙ୍କ ପାଠପଢା, ଘର ରିପାରିଂ ପୁଣି ଦେହ ପା -ଏହି ତେଲିଙ୍ଗି ବାଜା ବଜେଇ ଆମେ ଯାହା ଆୟ କରୁ ସେଥିରେ ଏସମସ୍ତ ଖର୍ଚ୍ଚ ଉଠିଯାଏ । ତେବେ ଆଗାମୀ ପିଢି ଏହି କୌଳିକ ବୃତିକୁ ଗ୍ରହଣ କରିବାରେ ଆଗ୍ରହୀ ନା ନାହିଁ ଏ ବିଷୟରେ ଜଳଧର କୁହନ୍ତି, ଗାଁର ଅଧିକାଂଶ ଯୁବକ ଏବେ କାମ ଆଶାରେ ବାହାର ରାଜ୍ୟକୁ ଚାଲିଯାଉଛନ୍ତି, କିନ୍ତୁ ତାଙ୍କ ଭିତରେ କେହି କେହି ଏହି କୈଳିକ ବୃତିକୁ ଶିଖିବାକୁ ଆଗ୍ରହ ରଖୁଛନ୍ତି । ହୁଏତ କେବେ ଅସମୟରେ ଏହା ତାଙ୍କ କାମରେ ଲାଗିବ । ପୁଣି ତେଲିଙ୍ଗି ବାଜା ଆମ ପାଇଁ କେବଳ ବୃତି ନୁହେଁ ଏହା ଆମର ପରମ୍ପରା । ଆମର ତେଲିଙ୍ଗି ବାଜା ମା ଦୁର୍ଗାଙ୍କ କାମରେ ଲାଗୁଥିବାରୁ ଆମେ ମଧ୍ୟ ଏଥିପାଇଁ ଗର୍ବ ଅନୁଭବ କରୁ ବୋଲି କୁହନ୍ତି ଜଳଧର ।
