ଅଭାବରେ ଦାଦନମୁହାଁ ଗଞାମ ଜିଲ୍ଲା ନୋଳିଆ ନୂଆଗାଁର ଯୁବକ; ଭବିଷ୍ୟତ ନେଇ ଚିନ୍ତିତ

କିଛି ବର୍ଷ ହେବ ସମୁଦ୍ରରେ ମାଛ କମିଯିବା, ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ଯୋଗୁଁ ଁ ବର୍ଷକୁ ସାତ ମାସ ମାଛ ଧରିବା ପାଇଁ କଟକଣା କରାଯିବା ଏବଂ ଜଳବାୟୁ ପରିବର୍ତନ ଯୋଗୁଁ ବଢିଚାଲିଥିବା ନିୟମିତ ବାତ୍ୟା, ଲଘୁଚାପ ଜନିତ ବର୍ଷା ଓ ଅତ୍ୟଧିକ ଗରମ ଯୋଗୁଁ ଏବେ ସମୁଦ୍ରରେ ମାଛ ଧରିବା ପୂର୍ବଭଳି ଲାଭ ଦାୟକ ହେଉନାହିଁ । ଫଳରେ ଏହା ଉପରେ ନିର୍ଭର କରି ଚଳୁଥିବା ଅନେକ ମତ୍ସଜୀବୀ ପରିବାର ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି, ସେମାନଙ୍କ ମଧ୍ୟରେ ଯୁବକଙ୍କ ସଂଖ୍ୟା ଅଧିକ । ଏ ବିଷୟରେ ରିପୋର୍ଟ କରିଛନ୍ତି ଦକ୍ଷିଣ ଫାଉଣ୍ଡେସନର କୋଷ୍ଟାଲ ଗ୍ରାସରୁଟ ଫେଲୋ ପି ଚନ୍ଦ୍ରମା ।

ଗଞାମ

ବୟସ ସେମାନଙ୍କର ୧୮ ରୁ ୨୨ ଭିତରେ ହେବ କିନ୍ତୁ ଘରୁ ଗୋଡ କାଢିଛନ୍ତି ଓଡ଼ିଶା ବାହାରକୁ ଯାଇ କାମ କରିବାକୁ । କାମ ନ କଲେ ଘରେ ଚୁଲି ଜଳିବ ନାହିଁ । ଗଞାମ ଜିଲ୍ଲା ନୋଳିଆ ନୂଆଗାଁ ର ଜି ଲିଙ୍ଗାରାଜୁ, ଏ ରାମେୟା, ଏ କାମେୟା ଓ ବି ପଟଡୁ ଭଳି ଅନେକ ଯୁବକ ଏବେ କେରଳ, ଗୋଆ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ କର୍ଣାଟକ ଯାଇ ବିଭିନ୍ନ ଟ୍ରଲର କମ୍ପାନୀ, ଚିଙ୍ଗୁଡି ଫ୍ୟାକଟ୍ରୀ ନଚେତ ଶ୍ରମିକ ଭାବେ କାମ କରୁଛନ୍ତି । ଗଞାମ ଜିଲ୍ଲା ସମୁଦ୍ରକୂଳରେ ଥିବା ମତ୍ସଜୀବୀ ଗାଁ ଗୁଡିକରୁ ଗତ କିଛି ବର୍ଷ ହେବ ଅନେକ ଯୁବକ ଯୁବତୀ ବାହାର ରାଜ୍ୟକୁ ଯାଇ କାମକରୁଛନ୍ତି । ଏବଂ ପ୍ରତିବର୍ଷ ସେମାନଙ୍କର ସଂଖ୍ୟା ବଢିବାରେ ଲାଗିଛି । ଏ ବିଷୟରେ ଅଧିକ ଜାଣିବା ପାଇଁ ଦକ୍ଷିଣ ଫାଉଣ୍ଡେସନର କୋଷ୍ଟାଲ ଗ୍ରାସରୁଟ ଫେଲୋ ପି ଚନ୍ଦ୍ରମା ଏହି ଗାଁ ଗୁଡିକୁ ଯାଇ ଦାଦନ ଯାଉଥିବା ଯୁବକ, ଯୁବତୀ ଓ ସେମାନଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ସେ ଆଲୋଚନା ବେଳେ ଜାଣିବାକୁ ପାଇଥିଲେ ଯେ ମତ୍ସଜୀବୀ ପରିବାରର ଏହି ଯୁବକ ମାନେ ଅଭାବ ହେତୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ନୋଳିଆ ନୂଆଗାଁର ଜି. ଲିଙ୍ଗାରାଜୁ କୁହନ୍ତି, ଆମର ମୁଖ୍ୟ ଜୀବିକା ହେଉଛି ମାଛ ଧରିବା, ଆମେ ଆମ ବାପା ଜେଜେଙ୍କ ସହ ସମୁଦ୍ରକୁ ମାଛ ମାରିବାକୁ ଯାଉଥିଲୁ । ମÿାଛ ବିକ୍ରି କରି ଯାହା ରୋଜଗାର ହେଉଥିଲା ସେଥିରେ ଭଲ ଭାବେ ପରିବାର ଚଳିଯାଉଥିଲା । କିନ୍ତୁ ଏବେ ସମୟ ବଦଳିଛି । ଜଳବାୟୁ ପରିବର୍ତନର ପ୍ରଭାବ ଯୋଗୁଁ ନିୟମିତ ସମୁଦ୍ରକୁ ଯାଇ ମାଛ ଧରିବା ସମ୍ଭବ ହେଉନାହିଁ । ତା ସାଙ୍ଗକୁ ଗଞାମ ଉପକୂଳକୁ ପ୍ରତିବର୍ଷ ଅଣ୍ଡାଦାନ ପାଇଁ ଆସୁଥିବା ଅଲିଭ ରିଡଲେ କଇଁଛ ଯୋଗୁଁ ମାଛ ଧରିବା ମତ୍ସଜୀବୀଙ୍କ ପାଇଁ ସଂପୂର୍ଣ ଭାବେ କଟକଣା କରାଯାଇଛି । ଏଭଳି ପରିସ୍ଥିତିରେ ଯୁବକମାନେ ବାହାର ରାଜ୍ୟକୁ ଯାଇ କାମ କରିବାକୁ ବାଧ୍ୟ ହେଉଛନ୍ତି ।
ସେ କହିଥିଲେ, ଅନ୍ୟମାନଙ୍କ ଭଳି ସେମାନଙ୍କର ମଧ୍ୟ ସ୍ୱପ୍ନ ଥିଲା ପାଠ ପଢି ଆଗକୁ ଏକ ଭଲ ଭବିିଷ୍ୟତ ଗଢିବାକୁ । କିନ୍ତୁ ପ୍ରତିବର୍ଷ ଗଞାମ ଉପକୂଳରେ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ ଦେଉଥିବା ଯୋଗୁଁ ନଭେମ୍ବରରୁ ମେ ମାସ ପ୍ରାୟ ସାତ ମାସ ମାଛ ଧରିବା କଟକଣା କରାଯାଇଛି । ଏହି କଟକଣା କଇଁଛମାନଙ୍କ ସୁରକ୍ଷା ପାଇଁ କରାଯାଇଥିଲେ ମଧ୍ୟ ସ୍ଥାନୀୟ ମତ୍ସଜୀବୀଙ୍କ ରୋଜଗାରକୁ ସଂପୂର୍ଣ ପ୍ରଭାବିତ କରୁଛି । ଫଳରେ ସେମାନଙ୍କ ପରିବାରର ବୟସ୍କମାନେ ସହରକୁ ଯାଇ ଶ୍ରମିକ ଭାବେ କାମ କରୁଛନ୍ତି । କିନ୍ତୁ ଯେଉଁଠି ବୟସ୍କମାନେ କାମ କରୁଛନ୍ତି ସେଇଠି ଯୁବକମାନେ କିଭଳି ଘରେ ରହିପାରିବେ ଏଣୁ ଏବେ ସେମାନେ ମଧ୍ୟ ବାହାରକୁ ଖଟିବାକୁ ଯାଉଛନ୍ତି । କେରଳ, ଗୋଆ, ତାମିଲନାଡୁ ଆଦି ରାଜ୍ୟରେ ଭଲ ପାରିଶ୍ରମିକ ମିଳୁଥିବାରୁ ସେମାନେ ସେଠି କାମ କରିବାକୁ ଯାଉଛନ୍ତି । ସେ କୁହନ୍ତି, ପ୍ରଥମେ ଏଭଳି ନିଷ୍ପତି ନେବା କାଠିକର ଥିଲା କିନ୍ତୁ ପରେ ଏହା ସେମାନଙ୍କ ପାଇଁ ବାଧ୍ୟବାଧକତା ଥିଲା । ଓଡ଼ିଶାରେ କାମର ଅଭାବ ହେତୁ ଆମେ ବାହାର ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଛୁ । ବାହାରକୁ ଗଲେ ଆମେ ଟିକେ ଅଧିକ ରୋଜଗାର କରି ପାରୁଛୁ ବୋଲି ସେ କହିଥିଲେ ।

(ଟ୍ରେନ ଅପେକ୍ଷାରେ ପୋଡମପେଟା ଗାଁର ଯୁବକମାନେ, ଗାଁ ପାଖରେ କାମର ଅଭାବ ହେତୁ ସେମାନେ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି )

ଋଣ ବୋଝରେ ଜୀବନ

ନିୟମିତ ଜଳବାୟୁ ପରିବର୍ତନର ପ୍ରଭାବ, ମାଛଧରିବା କଟକଣା ଯୋଗୁଁ ଅଧିକାଂଶ ମତ୍ସଜୀବୀ ହାତବାନ୍ଧି ବସୁଛନ୍ତି । ଫଳରେ ପରିବାର ଚଳାଇବାପାଇଁ ସେମାନେ ଋଣ କରିବାକୁ ବାଧ୍ୟ ହେଉଛନ୍ତି । ଏ ରାମେୟା କୁହନ୍ତି, ଏହି ଗାଁ ଗୁଡିକରେ ଏମିତି ବି ପରିବାର ଅଛନ୍ତି ଯେଉଁମାନେ ବଡ ବଡ ସମସ୍ୟା ନୁହେଁ ବରଂ ପ୍ରତିଦିନର ଛୋଟ ଆବଶ୍ୟକତାକୁ ପୂରଣ କରିବାପାଇଁ ଋଣ କରି ଚଳୁଛନ୍ତି । ରାଜ୍ୟ ବାହାରକୁ ଯାଇ ଅଧିକ ରୋଜଗାର କଲେ ସେମାନେ ପରିବାର ଚଳାଇବା ସହ ଋଣ ପରିଶୋଧ କରିପାରୁଛନ୍ତି । ରାମେୟା କୁହନ୍ତି, ସରକାର ଏହି କଟକଣା ଯୋଗୁଁ ପରିବାର ପିଛା ସାତ ମାସ ପାଇଁ ୧୫ ହଜାର ଲେଖାଏଁ ଟଙ୍କା ଦେଉଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ । ପୁଣି ଗୋଟେ ପରିବାର ମାତ୍ର ୧୫ ହଜାର ଟଙ୍କାରେ ସାତ ମାସ କେମିତି ଚଳିବ । ଲିଙ୍ଗାରାଜୁ କୁହନ୍ତି, କଇଁଛ ଅଣ୍ଡାଦାନ ପାଇଁ ସାତ ମାସ ବନ୍ଦ ରହୁଥିବା ବେଳେ ଆଉ ଦେଢ ମାସ ମାଛ ଜାଆଁଳ ପାଇଁ ବନ୍ଦ ରୁହେ । ଜଣେ ମତ୍ସଜୀବୀ ସମୁଦ୍ରକୁ ମାଛ ମାରିବାକୁ ନଯାଇ ଏତେ ଦିନ ଘରେ ବସିଲେ ପରିବାର କେମିତି ଚଳିବ । ଚନ୍ଦ୍ରମା ଏହି ମତ୍ସଜୀବୀ ପରିବାରଙ୍କ ସହ ଆଲୋଚନା ବେଳେ ଜାଣିବାକୁ ପାଇ ଥିଲେ ଯେ କେବଳ ପୁରୁଷ ମତ୍ସଜୀବୀ ମାନେ ସରକାରଙ୍କ ଠାରୁ ଭରଣପୋଷଣ ଅର୍ଥ ପାଇଥାଆନ୍ତି କିନ୍ତୁ ମହିଳା ମତ୍ସଜୀବୀ ସରକାରଙ୍କ ତାଲିକାରେ ନଥିବାରୁ ସେମାନେ ଏହାର ସୁବିଧା ପାଇପାରନ୍ତି ନାହିଁ । ମହିଳାମାନେ ସମୁଦ୍ରକୁ ମାଛ ଧରିବାକୁ ନଗଲେ ମଧ୍ୟ ମାଛ ଆଣି ହାଟରେ ବିକ୍ରି କରିବା ନଚେତ ଶୁଖୁଆ କରି ବଜାରରେ ବିକ୍ରି କରି ନିଜର ଗୁଜୁରାଣ ମେଂଟାଇଥାଆନ୍ତି । କଟକଣା ଲାଗିଲେ ସେମାନଙ୍କୁ ମଧ୍ୟ ଆର୍ଥିକ କ୍ଷତି ସହିବାକୁ ପଡିଥାଏ । ବିଶେଷକରି ଏକାକୀ ମହିଳାମାନେ ଏହି କାମ କରୁଥିବାରୁ କଟକଣା ପରେ ତାଙ୍କ ପିଲାମାନେ ପାଠପଢା ଅଧାରେ ଛାଡି ବାହାରକୁ ଯିବାକୁ ବାଧ୍ୟ ହେଲେ ।
ଏ କାମେୟା କୁହନ୍ତି, ଗୋଟେ ସମୟଥିଲା ଦିନ ୧୦ଟା ବେଳେ ଆମେ କଲେଜ ଯିବାକୁ ବାହାରୁଥିଲୁ କିନ୍ତୁ କିଛି ଦିନ କଲେଜରେ ପାଠ ପଢିବା ପରେ ଆମେ ଦାଦନ ଯିବାକୁ ବାହାରିଲୁ । ଆମେ ଯଦି କାମ ନକରିବୁ ଆମ ପରିବାର କେମିତି ଚଳିବ । ଋଣ କେମିତି ଶୁଝା ହେବ । ଏହି ଯୁବକମାନେ କେରଳ, ଗୋଆ. ତାମିଲନାଡୁ ଯାଇ ସେଠି ବିଭିନ୍ନ ଟ୍ରଲର କମ୍ପାନୀରେ ମାଛ ଧରା କାମ କରୁଛନ୍ତି । ରାମେୟା କୁହନ୍ତି, ଆମେ ଆମ ବାପା ଜେଜେଙ୍କଠାରୁ କେବଳ ଏହି କାମ ଶିଖିଛୁ ଏଣୁ ବାହାରକୁ ଯାଇ ଆମେ ଅନ୍ୟ କାମ କେମିତି କରିପାରିବୁ । ସେମାନଙ୍କ ମଧ୍ୟରେ କେହି କେହି କପଡା ଫ୍ୟାକଟ୍ରୀରେ କାମ କରିଥିଲେ ମଧ୍ୟ ଅଳ୍ପ ଦିନରେ ସେଥିରୁ ବାହାରି ଆସିଛନ୍ତି । ଆମେ ସବୁବେଳେ ମୁକ୍ତଭାବରେ ବଂଚିଛୁ ସମୁଦ୍ରରେ ମାଛ ଧରିବା ଆମର କାମ ଆମେ ଫ୍ୟାକଟ୍ରୀରେ କପଡା ସିଲେଇ କାମ କଲେ ଅଣନିଶ୍ୱାସୀ ବୋଧ କରୁ । ତେବେ ବାହାରକୁ ଯାଇ କାମ କରିବା ଯେମିତି କଷ୍ଟ, ବାହାର ରାଜ୍ୟରେ ଖାପଖୁଆଇ ଚଳିବା ମଧ୍ୟ ସେତିକି କଷ୍ଟ । ଅନେକ ସମୟରେ ରହିବା ପାଇଁ ଭଲ ଘର ମିଳେନାହିଁ, ଖାଇବାର ସମସ୍ୟା, ଭଲ ପାଣି ପିଇବାର ସମସ୍ୟା, ପୁଣି ଭାଷା ବୁଝିବାର ସମସ୍ୟା । ଏସବୁ ସମସ୍ୟା ଥିଲେ ମଧ୍ୟ ସେମାନେ ରୋଜଗାରକରି ପରିବାରକୁ କିଛି ଟଙ୍କା ପଠେଇପାରୁଥିବାରୁ ଏ ସବୁ ସମସ୍ୟାକୁ ସହି ଯାଆନ୍ତି ।

(ପରିବାରକୁ ଦେଖିବା ପାଇଁ ଯେଉଁମାନେ ଗାଁ ପାଖରେ କାମ କରୁଛନ୍ତି ସେମାନେ ଯେତେପାଠ ପଢିଥିଲେ ମଧ୍ୟ ଶ୍ରମିକ ଭାବରେ କାମ କରିବାକୁ ବଧ୍ୟ ହେଉଛନ୍ତି )

ପଛରେ ରହିିଯାଇଥିବା ପରିବାର

ଯେଉଁମାନେ ବାହାରରାଜ୍ୟକୁ ଦାଦନ ଖଟିବା ପାଇଁ ଗଲେ ସେମାନେ ଯେମିତି ବିଭିନ୍ନ ସମସ୍ୟାକୁ ସମ୍ମୁଖୀନ କରନ୍ତି, ସେମାନଙ୍କ କଥା ଭାବି ଭାବି ତାଙ୍କ ପରିବାର ମଧ୍ୟ ଅନେକ ଚିନ୍ତାରେ ଦିନ କାଟନ୍ତି । ୪୦ବର୍ଷିୟ ଅଦ୍ରୁ ଗୁରାମ୍ମାଙ୍କ ପୁଅମାନେ କେରଳ ଯାଇଛନ୍ତି ଦାଦନ ଖଟିବାପାଇଁ । ଅଦ୍ରୁ କୁହନ୍ତି, ପିଲାଙ୍କ କଥା ମନେପଡିଲେ ତାଙ୍କ ଆଖିରୁ ଧାରଧାର ଲୁହ ବହିଯାଏ । ମାଇଲ ମାଇଲ ଦୂରରେ ରହୁଥିବା ତାଙ୍କ ପିଲାମାନେ କେମିତି ରହୁଛନ୍ତି, କଣ ଖାଉଛନ୍ତି ଓ ସେମାନଙ୍କ ଦେହ କେମିତି ଅଛି -ଏସବୁ ଭାବିଲେ ସେ ତାଙ୍କ କୋହ ସମ୍ଭାଳି ପାରନ୍ତି ନାହିଁ । ସେ କୁହନ୍ତି, ସବୁଠାରୁ ବେଶି ମନେ ପଡ଼େ ପର୍ବପର୍ବାଣୀ ସମୟରେ । ଘରେ ପିଠାପଣା ହେଲେ ପିଲାଙ୍କ କଥା ମନେ ପଡେ । ନିଜର ଓ ସ୍ୱାମୀଙ୍କର ଦେହ ପା ଖରାପ ହେଲେ ମଧ୍ୟ ପିଲାଙ୍କୁ ସେ ଝୁରି ହୁଅନ୍ତି । ଅଦ୍ରୁ କୁହନ୍ତି, ଗଞାମ ଜିଲ୍ାରେ ବା ଓଡ଼ିଶାରେ କାମ କରୁଥିଲେ ଅସୁବିଧା ସମୟରେ ପିଲାଏ ଚାଲିଆସି ପାରନ୍ତେ କିନ୍ତୁ ଏବେ ଏତେ ଦୂରରେ ରହୁଛନ୍ତି ଯେ ସେମାନେ ଚାହିଁଲେ ମଧ୍ୟ ଆସି ପାରନ୍ତି ନାହିଁ । କୋଭିଡ ସମୟରେ ସେ ବହୁତ ଚିନ୍ତା କରୁଥିଲେ, ତାଙ୍କୁ ସେତେବେଳେ ବହୁତ ଭୟ ଲାଗୁଥିଲା । ତେବେ ପ୍ରତିଦିନ ମୋବାଇଲରେ ଭିଡ଼ିଓ କଲରେ କଥା ହେଳେ ତାଙ୍କୁ ଆତ୍ମସନ୍ତୋଷ ମିଳିଥାଏ ବୋଲି ସେ କହିଥିଲେ ।
ତେବେ ଏମାନଙ୍କ ଭିତରୁ କିଛି ଯୁବକ ନିଜ ଜିଲ୍ଲା ଗଞାମରେ ରହି କାମ କରୁଛନ୍ତି । ଏମାନେ ଶ୍ରମିକ ଭାବରେ କାମ କରୁଛନ୍ତି । ସେମିତି ଜଣେ ଯୁବକ ହେଉଛନ୍ତି ୨୫ ବର୍ଷିୟ ଉପାଡୁ ବାବାଜୀ । ସେ କୁହନ୍ତି, ଦଶମ ଶ୍ରେଣୀରେ ପାଠ ପଢୁଥିବାବେଳେ ସେ ଅଧାରୁ ପାଠ ଛାଡି ପରିବାରକୁ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ଦିନ ମଜୁରିଆ ଭାବେ କାମ କରିବା ଆରମ୍ଭ କଲେ । ସ୍କୁଲରେ ପଢିଲା ବେଳେ କିଛି ଚିନ୍ତା ନଥିଲା, ଚେହେରା ମଧ୍ୟ ତାଙ୍କର ବେଶ ଡଉଲ ଡାଉଲ ଥିଲା । କିନ୍ତୁ ଏବେ ଆଉ ସେ ଶରୀର ନାହିଁ । ବାଲି ସିମେଂଟ କାମ ବହୁତ କଷ୍ଟ ଏଥିରେ ଶରୀରକୁ ବହୁତ କଷ୍ଟ ହୁଏ । ସକାଳୁ ସଂନ୍ଧ୍ୟା ଯାଏଁ ଦିନ ମଜୁରିଆ ଭାବେ କାମ କରୁଥିବାରୁ ରାତିରେ ବହୁତ ହାଲିଆ ଲାଗେ । ତାଙ୍କର ଅନ୍ୟ ଭାଇମାନେ ବାହାରକୁ ଯାଇଥିବାରୁ ପରିବାର ଲୋକଙ୍କ ଦେଖାଶୁଣା ପାଇଁ ସେ ଏଇଠି ରହିଯାଇଛନ୍ତି ।


ବାହାରକୁ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିବା କିଛିି ଯୁବକଙ୍କୁ ଚନ୍ଦ୍ରମା ଭେଟିଥିଲେ ଛତ୍ରପୁର ରେଳଷ୍ଟେସନରେ । ସେମାନେ ବାହାରକୁ ଦାଦନ ଖଟିବାକୁ ଯିବାପାଇଁ ଟ୍ରେନକୁ ଅପେକ୍ଷା କରିଥିଲେ । ସେମାନଙ୍କ ଜୀବନ, ଆଶା, ଆକାଂକ୍ଷା ଓ ସମସ୍ୟା ବିଷୟରେ ପଚାରିବା ପରେ ସେମାନେ ଗୋଟି ଗୋଟି କରି ଏବିଷୟରେ କହିଥିଲେ । ସେମାନଙ୍କ କଥାରୁ ବେଶ ବାରି ହୋଇପଡୁଥିଲା ସେମାନଙ୍କ ଭିତରେ ଥିବା ଦୁଃଖ, ଅଭାବ, ପରିବାରର ବୋଝ, ଋଣଭାର, ନିଜର କୌଳିକ ବୃତି ଓ ଗାଁକୁ ଛାଡି ବାହାରକୁ ଯିବାର କ୍ଷୋଭ । ଏତିକି ବେଳେ ହଠାତ ଦୂରରୁ ଟ୍ରେନର ସାଇରନ ବାଜିଲା, ଏହି ଯୁବକମାନେ ନିଜ ନିଜ ବ୍ୟାଗ ଧରି କର୍ମ ସ୍ଥଳକୁ ଯିବାପାଇଁ ଟ୍ରେନ ଧରିଲେ । ସେଦିନ ସେମାନଙ୍କ ସହ କଥା ହୋଇ ଫେରିବା ବେଳେ ଲାଗୁଥିଲା ଆଜିଯଦି ନିଜ ଗାଁରେ ସେମାନଙ୍କୁ କାମ ମିଳିଥାଆନ୍ତା ବା ମାଛ ଧରି ପରିବାର ପେଟ ପୋଷିବାର ସୁଯୋଗ ଥାଆନ୍ତା ସେମାନଙ୍କୁ ଏତେ ଦୂର ଯିବାକୁ ପଡିନଥାଆନ୍ତା ।

(ଦକ୍ଷିଣ ଫାଉଣ୍ଡେସନର କୋଷ୍ଟାଲ ଗ୍ରାସରୁଟ ଫେଲୋ ଭାବେ ପି ଚନ୍ଦ୍ରିମା ଏହି ରିପୋର୍ଟଟି କରିଛନ୍ତି । ଷ୍ଟୋରିଜ ଓଡ଼ିଶା ପକ୍ଷରୁ ଏହି ରିପୋର୍ଟକୁ ସଂପାଦନା କରିଛନ୍ତି  ସସ୍ମିତା ମଲ୍ଲ । )

Leave a Reply

Your email address will not be published. Required fields are marked *