ଡଙ୍ଗରିଆ କନ୍ଧଙ୍କ ପାରମ୍ପରିକ କପଡାଗଣ୍ଡା ସାଲ ଦେଉଛି ପରିଚୟ ଓ ରୋଜଗାର

(ନିୟମଗିରି ପାହାଡ ଉପରେ ଡଙ୍ଗରିଆ କନ୍ଧ ଜନଜାତିର ମହିଳାମାନେ ବସି ତାଙ୍କ ପାରମ୍ପରିକ କପଡାଗଣ୍ଡା ସାଲ ବୁଣୁଛନ୍ତି )

ଏବେ ସବୁଠି ଫାଷ୍ଟ ଫ୍ୟାସନର ଯୁଗ । ତଥାପି ପାରମ୍ପରିକ ହସ୍ତତନ୍ତ ପ୍ରତି ଲୋକଙ୍କ ଚାହିଦା କମିନାହିଁ । ଡଙ୍ଗରିଆ କନ୍ଧ ଜନଜାତିଙ୍କ ପାରମ୍ପରିକ ରଂଗ ଓ କପଡାରେ ପ୍ରସ୍ତୁତ କପଡାଗଣ୍ଡା ଡିଜାଇନକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ କୋରାପୁଟର ଫୋକେଓଭ ସଂସ୍ଥା ଆରମ୍ଭ କରିଛି ଏକ ପ୍ରୟାସ । ସବୁଠାରୁ ବଡ କଥା ହେଉଛି ହସ୍ତତନ୍ତରୁ ଦୁରେଇ ଯାଇଥିବା ଏହି ଜନଜାତିର ଅନେକ ମହିଳାଙ୍କୁ ଏବେ ପୁଣିଥରେ ରୋଜଗାରର ସୁଯୋଗ ମିଳିଛି ।

ସସ୍ମିତା ମଲ୍ଲ
କଟକ

ନିୟମଗିରି ପାହାଡ ଉପରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ଜନଜାତିଙ୍କ ପାରମ୍ପରିକ ବସ୍ତ୍ର କପଡାଗଣ୍ଡା ସାଲ ହେଉଛି ସେମାନଙ୍କ ସଂସ୍କୃତି ଓ ପରମ୍ପରାର ପ୍ରତୀକ । କୁହାଯାଏ ପିଢି ପରେ ପିଢି ଏହି ଜନଜାତିର ମହିଳାମାନେ ତାଙ୍କ ଚାରିପାଖରେ ଥିବା ଜଙ୍ଗଲ, ପାହାଡ, ନଦୀ, ଝରଣା ଓ ପଶୁପକ୍ଷୀଙ୍କ କାହାଣୀକୁ ବିଭିନ୍ନ ରଂଗ ଓ ଡିଜାଇନ ମାଧ୍ୟମରେ ତାଙ୍କ ପାରମ୍ପରିକ ପୋଷାକ କପଡାଗଣ୍ଡା ସାଲରେ ଉତାରିବାକୁ ଚେଷ୍ଟା କରିଆସିଛନ୍ତି । ଈଷତ ଧଳାରଂଗର କପଡା ଉପରେ ଲାଲ, ସବୁଜ ଓ ହଳଦିଆ ରଂଗରେ ପ୍ରସ୍ତୁତ ସୁତାକୁ ନେଇ ସେମାନେ ଏହିସବୁ ଡିଜାଇନ ପ୍ରସ୍ତୁତ କରିଥାଆନ୍ତି । ଲାଲ ରଂଗ ତ୍ୟାଗ ଓ ଉତ୍ସର୍ଗର କଥା କହୁଥିବା ବେଳେ, ସବୁଜ ରଂଗ ପ୍ରକୃତି ଓ ହଳଦିଆ ରଂଗ ସୁଖର ପ୍ରତୀକ ଭାବେ ବ୍ୟବହାର ହୋଇଥାଏ । ସାଧାରଣତଃ ଏହି ଜନଜାତିର ମହିଳାମାନେ ତାଙ୍କ ଚାରିପାଖରେ ଥିବା ଜଙ୍ଗଲରୁ ସଂଗୃହିତ ଫଳ, ଫୁଲ, ଓ ଗଛର ଛାଲିକୁ ବ୍ୟବହାର କରି ଏହି ସବୁ ରଂଗ ପ୍ରସ୍ତୁତ କରିଥାଆନ୍ତି । ସେମାନଙ୍କ ହାତ ତିଆରି ଏହି ବସ୍ତ୍ରକୁ ସେମାନେ ବିଭିନ୍ନ ପର୍ବପର୍ବାଣୀ ଓ ବିବାହରେ ପିନ୍ଧୁଥିଲେ । କିନ୍ତୁ ସମୟକ୍ରମେ ଏହି ବସ୍ତ୍ର ପ୍ରତି ନୂଆପିଢିର ଆଗ୍ରହ କମିଯିବା, ଆଧୁନିକତାର ପ୍ରବେଶ ଓ ଜଙ୍ଗଲରେ ପ୍ରାକୃତିକ ଉପାଦାନ ମିଳିବାରେ ଅସୁବିଧା କାରଣରୁ ଏହି ପାରମ୍ପରିକ ସାଲ ବୁଣା ସଂସ୍କୃତି ଧିରେ ଧିରେ କମିବାରେ ଲାଗିଲା ।
ତେବେ ୨୦୨୩ରେ ଏହି ପାରମ୍ପରିକ ହସ୍ତତନ୍ତକୁ ଲୋକଙ୍କ ପାଖରେ ପୁଣିଥରେ ପରିଚିତ କରାଇବା ଓ ଏହି ଜନଜାତିର ମହିଳାଙ୍କୁ ରୋଜଗାରର ସୁଯୋଗ ଦେବାପାଇଁ ଫୋକେଓଭ ସଂସ୍ଥା ପକ୍ଷରୁ କୋରାପୁଟଠାରେ ଆରମ୍ଭ ହେଲା ଏକ ପ୍ରୟାସ । ଏହାର ଉଦେ୍ଦଶ୍ୟ ଥିଲା ହସ୍ତତନ୍ତରେ ପାରମ୍ପରିକ ରଂଗର ଛଟାକୁ ପୁଣିଥରେ ଫେରାଇ ଆଣିବାର ଚେଷ୍ଟା କରିବା ଏବଂ ଏହି ଜନଜାତିର ମହିଳାଙ୍କୁ ରୋଜଗାରର ସୁଯୋଗ ଦେବା । ଫୋକେଓଭ ସଂସ୍ଥାର ପ୍ରତିଷ୍ଠାତା ଡ. କେ ଅନୁରାଧା କୁହନ୍ତି, ଗୋଟେ ସମୟରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ହସ୍ତତନ୍ତ ବେଶ ସମ୍ୃଦ୍ଧ ଥିଲା । ଏଠି ବସବାସ କରୁଥିବା ବିଭିନ୍ନ ଜନଜାତିର ଲୋକଙ୍କ ରଂଗ ପ୍ରସ୍ତୁତ କରିବାର ପ୍ରଣାଳୀ ଓ ବୁଣିବାର କୌଶଳ ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ଆଉ ଏହାହିଁ ଥିଲା ସେମାନଙ୍କ ସଂସ୍କୃତି ଓ ପରମ୍ପରା । କିନ୍ତୁ ଆଧୁନିକତାର ପ୍ରବେଶରେ ଧିରେ ଧିରେ ଏହି ପରମ୍ପରା ବୁଡିବାରେ ଲାଗିଲା । ବର୍ତମାନ ଫୋକେଓଭ ମାଧ୍ୟମରେ ସେମାନେ ହସ୍ତତନ୍ତର ପୁନରୁଦ୍ଧାର, ହଜିଯାଉଥିବା ପାରମ୍ପରିକ ଜ୍ଞାନକୌଶଳକୁ ବଂଚାଇ ରଖିବାର ଓ ସ୍ଥାନୀୟ ଜନଜାତିର ମହିଳାଙ୍କୁ ରୋଜଗାରର ସୁଯୋଗ ଦେବାକୁ ଚେଷ୍ଟା କରୁଛନ୍ତି ।
ଡ. ଅନୁରାଧା କୁହନ୍ତି, ହସ୍ତତନ୍ତର ଉଚ୍ଚ ବଜାର ଦର ଓ ମେସିନ ଲୁଗାର ବହୁଳ ବ୍ୟବହାର ତାଙ୍କପାଇଁ ଯଦିଓ ଏକ ପ୍ରତିବନ୍ଧକ ଭାବେ ଛିଡା ହେଲା । ତଥାପି ସେମାନେ ଦୃଢତାର ସହ ଏହାର ମୁକାବିଲା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସ୍ୃଷ୍ଟି କରିବାକୁ ଚେଷ୍ଟା ଜାରିରଖିଛନ୍ତି ।

(କପଡାଗଣ୍ଡା ସାଲରେ ବ୍ୟବହାର ହେଉଥିବା ବିଭିନ୍ନ ରଂଗର ସୂତା । ମହିଳାମାନେ ପାଖ ଜଙ୍ଗଲରୁ ବିଭିନ୍ନ ଫୁଲ, ଫଳ ଓ ଗଛର ଛାଲି ଆଣି ସେଥିରୁ ରଂଗ ପ୍ରସ୍ତୁତ କରିଥାଆନ୍ତି । ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ ଏହି ରଂଗ ପରିବେଶ ଅନୁକୂଳ ।)

ବଦଳିଛି ସ୍ଥାନୀୟ ମହିଳାଙ୍କ ଜୀବନ

୨୩ବର୍ଷିୟ ଲଚ୍ଛମା କାନ୍ତରୀଙ୍କ ଘର କୋରାପୁଟ ଜିଲ୍ଲା ସାନ୍ତେଇପୁଟ ଗାଁରେ । ଛୋଟବେଳେ ନିଜ ଗାଁରେ ଓ ପରିବାରର ଅନ୍ୟ ମହିଳାଙ୍କୁ ଦେଖି ହସ୍ତତନ୍ତ ବୁଣା କାମ ଶିଖିଥିଲେ । କିନ୍ତୁ ରୋଜଗାର ଅଭାବରୁ ସେ ଏ କାମ ଛାଡି ଶ୍ରମିକ ଭାବେ କାମ କରିବାରେ ଲାଗିଲେ । କିନ୍ତୁ ଫୋକେଓଭ ସଂସ୍ଥା ସହ ଜଡିତ ହେବା ପରେ ତାଙ୍କ ଜୀବନ ବଦଳିଛି । ବୈପାରୀଗୁଡା ଠାରେ ଥିବା ବୁଣାକାର କେନ୍ଦ୍ରରେ କାମ ଶିଖି ଏବେ ମାଲକାନଗିରିଠାରେ ମହିଳା ବୁଣାକାରମାନଙ୍କର ଏକ ଗୋଷ୍ଠୀ ଗଠନ କରି ଏହି ପାରମ୍ପରିକ ହସ୍ତତନ୍ତକୁ ବଂଚାଇ ରଖିବାପାଇଁ ଚେଷ୍ଟା କରୁଛନ୍ତି । ଲଚ୍ଛମା କୁହନ୍ତି, ଦିନେ ସେ ହସ୍ତତନ୍ତ କାମ ସଂପୂର୍ଣ ଛାଡି ଦେଇଥିଲେ । କିନ୍ତୁ ବିଭିନ୍ନ ପ୍ରଶିକ୍ଷଣ, କର୍ମଶାଳା ଓ ପ୍ରଦର୍ଶନୀରେ ଯୋଗଦେବା ପରେ ଏହା ତାଙ୍କ ଆତ୍ମବିଶ୍ୱାସକୁ ବଢାଇଛି । ଏବେ ସେ ପାରମ୍ପରିକ ହସ୍ତତନ୍ତର ସଂରକ୍ଷକ ସାଜିଛନ୍ତି । ଗଙ୍ଗେଇ ଚାଲାନଙ୍କର କାହାଣୀ ମଧ୍ୟ ଠିକ ସେହିପରି । ୨୪ବର୍ଷିୟ ଗଙ୍ଗେଇ କୁହନ୍ତି ଛୋଟବେଳେ ଯକ୍ଷ୍ମା ରୋଗରେ ପୀଡିତ ହେବାପରେ ସେ ବୁଣା କାମରୁ ଦୂରେଇ ଯାଇଥିଲେ ଓ ଚାଷ କାମକୁ ଆଦରି ନେଇଥିଲେ । କିନ୍ତୁ ପରେ ଖଜୁରିପଡା ବୁଣାକାର ପ୍ରଶିକ୍ଷଣ କେନ୍ଦ୍ରରେ କାମ ଶିଖି ଏବେ ଲମତାପୁଟ ବୁଣା କେନ୍ଦ୍ରରେ ବୁଣାକାର ସାଥୀ ଭାବେ ଅନ୍ୟ ବୁଣାକାରଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଗଙ୍ଗେଇ କୁହନ୍ତି, ମୁଁ କେବେ ଭାବି ନଥିଲି ଯେ ମୁଁ ପୁଣିଥରେ ବୁଣାକାର ହେବି ଓ ହସ୍ତତନ୍ତ କାମକୁ ପୁଣିଥରେ ଫେରିବି । ଫୋକେଓଭ ସଂସ୍ଥା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହି ସଂସ୍ଥା ସହ ଜଡିତ ଅନେକ ମହିଳା ଓ ଯୁବତୀ ଏବେ ସ୍ଥାନୀୟ ଅଂଚଳରେ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

(ଭୁବନେଶ୍ୱରରେ ଫୋକେଓଭର ଏକ ପ୍ରଦର୍ଶନୀରେ ଡଙ୍ଗରିଆ କନ୍ଧ ମହିଳାମାନେ ନିଜ ପରମ୍ପରା ବିଷୟରେ ଅତିଥି ମାନଙ୍କ ସହ ଆଲୋଚନା କରୁଛନ୍ତି ।)

ପୁନରୁଦ୍ଧାର ହେଉଛି ପାରମ୍ପରିକ ଜ୍ଞାନକୌଶଳ

ଡଙ୍ଗରିଆ କନ୍ଧ ଜନଜାତି ମହିଳାଙ୍କ ଜୀବିକା, ଆତ୍ମସମ୍ମାନ ଓ ସାଂସ୍କୃତିକ ପରିଚୟର ମାଧ୍ୟମ ହେଉଛି ହସ୍ତତନ୍ତ । ଏହାର ପୁନରୁଦ୍ଧାର ପଛରେ ସବୁଠାରୁ ଅଧିକ ଭାଗିଦାରୀ ରହିଛି ସ୍ଥାନୀୟ ମହିଳାଙ୍କର । ଜଙ୍ଗଲରୁ କଂଚାମାଲ ସଂଗ୍ରହ, ପ୍ରାକୃତିକ ରଂଗ ପ୍ରସ୍ତୁତି ଓ ସୂତା କାଟିବା ଠାରୁ ବୁଣିବା ପର୍ଯ୍ୟନ୍ତ ସବୁକିଛି ଏହି ମହିଳାମାନେ କରିଥାଆନ୍ତି । ଏହି ହସ୍ତତନ୍ତ ବନ୍ଦ ହୋଇଯିବା ପରେ ଅନେକ ମହିଳା ବାହାର ରାଜ୍ୟକୁ ଦାଦନ ଖଟିବାକୁ ନଚେତ ସହରକୁ ଯାଇ ଶ୍ରମିକ ଭାବେ କାମ କରୁଥିଲେ । କିନ୍ତୁ ଫୋକେଓଭ ଆରମ୍ଭ ହେବା ପରେ ଏବେ ସେମାନେ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ପ୍ରଥମେ ୫୦ ଜଣ ମହିଳା ସାମିଲ ହୋଇଥିବା ବେଳେ ଏବେ ଏ ସଂଖ୍ୟା ବଢି ୧୨୦ରେ ପହଂଚିଛି । ଆଗକୁ ଅବିଭକ୍ତ କୋରାପୁଟ ଜିଲ୍ଲାର ୧୦୦୦ରୁ ଅଧିକ ମହିଳାଙ୍କୁ ଏଥିରେ ସାମିଲ କରିବାର ଲକ୍ଷ୍ୟ ରଖିଛି ଫୋକେଓଭ ସଂସ୍ଥା । ଫୋକେଓଭ ସଂସ୍ଥାର ପ୍ରତିଷ୍ଠାତା ଡ. ଅନୁରାଧା କୁହନ୍ତି, ଦିନେ ଅଭାବ ପାଇଁ ଯେଉଁମାନଙ୍କ ଜୀବନ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିଲା ଆଜି ସେମାନଙ୍କ ମୁହଁରେ ହସ ଫୁଟିଛି । ଏହି ସଂସ୍ଥା ମାଧ୍ୟମରେ ଆମେ ବୁଣାକାରଙ୍କୁ ଉଚିତ ପ୍ରାପ୍ୟ ଦେବା ସହ ଅତ୍ୟାଧୁନିକ ଦକ୍ଷତା ସମ୍ପନ୍ନ ପ୍ରଶିକ୍ଷଣର କୌଶଳ ଶିଖାଇବାର ଚେଷ୍ଟା କରୁଛୁ ।
୨୦୨୪ରେ କପଡାଗଣ୍ଡା ସାଲକୁ ଜି ଆଇ ମାନ୍ୟତା (ଭୌଗଳିକ ସୂଚକ) ମିଳିବା ସହ ଏହାକୁ ଜାତୀୟ ସ୍ତରରେ ମଧ୍ୟ ସ୍ୱୀକୃତି ମିଳିଛି ।ଫୋକେଓଭ ସଂସ୍ଥାରେ ଏହି ବୁଣାକାରମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପୋଷାକକୁ ଓଡ଼ିଶା ଓ ରାଜ୍ୟ ବାହାରେ ପ୍ରଦର୍ଶିତ କରିବାର ସୁଯୋଗ ପାଉଛନ୍ତି । ଲଚ୍ଛମା ଓ ଗଙ୍ଗେଇ କୁହନ୍ତି, ନିଜ ପରମ୍ପରାକୁ ଅନ୍ୟମାନଙ୍କ ଆଗରେ ପ୍ରଦର୍ଶନ କରିବା ଓ ଗ୍ରାହକଙ୍କ ସହ ସିଧାସଳଖ ଆଲୋଚନା କରିବା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇଛି । ସେମାନଙ୍କ ପାରମ୍ପରିକ ବସ୍ତ୍ର କପଡାଗଣ୍ଡା ସାଲ ସେମାନଙ୍କୁ ନୂଆ ପରିଚୟ ଦେଇଛି ।

Leave a Reply

Your email address will not be published. Required fields are marked *