ଯୁବପିଢ଼ିଙ୍କ ପାଇଁ ଅନ୍ୟତମ ଫ୍ୟାସନ ହେଉଛି ଟାଟୁ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଦିବାସୀ ସଂପ୍ରଦାୟଙ୍କର ଟାଟୁ ସହ ରହିଛି ଶହ ଶହ ବର୍ଷର ପୁରୁଣା ସଂପର୍କ। ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ନିଜର ସୌନ୍ଦର୍ଯ୍ୟ, ସଂସ୍କୃତି ଓ ବିବାହରେ ଯୋଗ୍ୟତା ପାଇଁ ମୁହଁ ଓ ଶରୀରରେ ଚିତା ବା ଟାଟୁ କରୁଥିଲେ। ସାନ୍ତାଳ, ମୁଣ୍ଡା, ଓରାଓଁ ଓ ଗଣ୍ଡ ସଂପ୍ରଦାୟର ମହିଳାମାନେ ମୁହଁ, ହାତ, ପାଦ କିମ୍ବା ଶରୀରର ଅନ୍ୟ ଅଂଶରେ ଟାଟୁ କରିବାର ପରମ୍ପରା କାହିଁ କେଉଁ କାଳରୁ ରହିଥିବାବେଳେ ସମୟ ସହ ଏବେ ଏହା ହଜିବାରେ ଲାଗିଛି ।
କଲ୍ୟାଣୀ ସାହୁ
ଭୁବନେଶ୍ୱର
କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବୁଦୁଲିପଦର ଗାଁରେ ରହୁଥିବା ୬୦ବର୍ଷିୟ କୁଲେଲାଡୁ ଜାନି କୁହନ୍ତି ତାଙ୍କୁ ଯେତେବେଳେ ୧୨ ବର୍ଷ ବୟସ ହୋଇଥିଲା ତାଙ୍କ ଘର ଲୋକେ ତାଙ୍କ ମୁହଁରେ ଚିତା କୁଟାଇଥିଲେ । ସେ କିଛି କହିବା ପୂର୍ବରୁ, ତାଙ୍କୁ କୁହାଯାଇଥିଲା ଯେ ଏହାହିଁ କନ୍ଧ ଆଦିବାସୀ ସଂପ୍ରଦାୟର ପରମ୍ପରା । କିନ୍ତୁ ଏବେ ତାଙ୍କର ୧୭ବର୍ଷର ନାତୁଣୀ ମୁହଁରେ ଆଉ ଚିତା କୁଟାଇବାକୁ ପସନ୍ଦ କରୁନି । ଏପରିକି ତାଙ୍କ କନ୍ଧ ସଂପ୍ରଦାୟର ଅନ୍ୟ ଝିଅମାନେ ମୁହଁରେ ଚିତା କୁଟାଇବାକୁ ପସନ୍ଦ କରୁନାହାଁନ୍ତି । ସମୟ ବଦଳିଛି, ପିଲାମାନେ ସ୍କୁଲ ଯାଉଛନ୍ତି. ପାଠ ପଢୁଛନ୍ତି ଆଉ ସହରକୁ ଯାଇ ନିଜ ଗୋଡ଼ରେ ଠିଆ ହେବାକୁ ଚାହୁଁଛନ୍ତି । ଏଣୁ ମୁହଁରେ ଏଭଳି ଚିତାକୁଟା ପରମ୍ପରାକୁ ଆଉ ପସନ୍ଦ କରୁନାହାନ୍ତି ସେମାନେ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଦିବାସୀ ସଂପ୍ରଦାୟଙ୍କର ଏହି ପରମ୍ପରା ଶହ ଶହ ବର୍ଷ ପୁରୁଣା, ଯାହା ସେମାନଙ୍କର ସଂସ୍କୃତିର ପରିଚୟ, ସାମାଜିକ ସ୍ଥିତି ଓ ସୌନ୍ଦର୍ଯ୍ୟର ପ୍ରତୀକ ଭାବେ ବ୍ୟବହୃତ ହୋଇଆସିଛି। ବହୁ ବର୍ଷ ପୂର୍ବେ ଆଦିବାସୀ ସମ୍ପ୍ରଦାୟରେ, ମହିଳାମାନେ ସୌନ୍ଦର୍ଯ୍ୟ, ସଂସ୍କୃତି ଓ ବିବାହ ଯୋଗ୍ୟତା ପାଇଁ ମୁହଁ ଓ ଶରୀରରେ ଚିତା କିମ୍ବା ଟାଟୁ କରୁଥିଲେ। ଭାରତରେ ଝାଡ଼ଖଣ୍ଡ, ଛତିଶଗଡ଼ ସମେତ ଓଡ଼ିଶାର ଅନେକ ଆଦିବାସୀ ସମ୍ପ୍ରଦାୟ ଗୋଷ୍ଠୀ ଯେପରିକି ସାନ୍ତାଳ, ମୁଣ୍ଡା, ଓରାଓଁ ଓ ଗଣ୍ଡ ସମ୍ପ୍ରଦାୟରେ ଚିତା କୁଟା ସଂସ୍କୃତି ଓ ପରମ୍ପରା ଭାବେ ରହିଛି।
କାହିଁକି କରୁଥିଲେ ଚିତା
ପରମ୍ପରା ଅନୁସାରେ କନ୍ଧମାଳ ଜିଲ୍ଲାର କନ୍ଧ ଜନଜାତିର ମହିଳା ମାନେ ମୁହଁରେ ଏଭଳି ପାରମ୍ପରିକ ଚିତା କୁଟେଇ ଥାଆନ୍ତି । ଏହି ପାରମ୍ପରିକ ଚିତା ସେମାନଙ୍କ ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ନୁହେଁ, ବରଂ ସେମାନଙ୍କୁ ଅନ୍ୟ ପୁରୁଷଙ୍କ ଯୌନ ଶୋଷଣରୁ ରକ୍ଷା କରିବାପାଇଁ ଏକ ଅସ୍ତ୍ରଭଳି ବ୍ୟବହାର କରୁଥିଲେ । ବିଶେଷଜ୍ଞମାନେ କୁହନ୍ତି, ପୂର୍ବରୁ କନ୍ଧ ଜନଜାତିର ମହିଳା ମାନଙ୍କୁ ସେମାନଙ୍କ ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ ହୋଇ ରାଜପରିବାର, ଜମିଦାର, ବ୍ରିଟିସ ଶାସକମାନେ ନିୟମିତ ଯୌନ ନିର୍ଯ୍ୟାତନା ଦେଉଥିଲେ । ଫଳରେ ସେହିମାନଙ୍କ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମୁହଁ ଓ ଶରୀରରେ ଏଭଳି ଚିତା କୁଟାଉଥିଲେ । ମୁହଁରେ ଚିତା କୁଟାଇବା ଯୋଗୁଁ କମ୍ ଆକର୍ଷଣୀୟ ଦେଖାଯିବା ଦ୍ଵାରା ସେମାନେ ଜମିଦାର, ସ୍ଥାନୀୟ ରାଜପରିବାର ଏବଂ ବ୍ରିଟିଶ ଉପନିବେଶକାରୀଙ୍କ ଦ୍ୱାରା ହେଉଥିବା ଯୌନ ଶୋଷଣରୁ ନିଜକୁ ରକ୍ଷା କରିପାରୁଥିଲେ । ପରବର୍ତ୍ତୀ ସମୟରେ ଏହା କନ୍ଧ ସଂପ୍ରଦାୟଙ୍କର ଏକ ପରମ୍ପରା ପାଲଟିଗଲା । ଫଳରେ କନ୍ଧ ଝିଅମାନେ ୧୦-୧୨ ବର୍ଷ ବୟସ ହେଲାବେଳକୁ ତାଙ୍କ ମୁହଁରେ ଚିତା କରାଯାଉଥିଲା ।
ଏବିଷୟରେ ପଚରାଯିବାରେ ସରସ୍ବତୀ ମାଝି କୁହନ୍ତି, ପ୍ରକୃତି ଆମକୁ ସୁନ୍ଦର ଚେହେରା ଦେଇଛି। ଏହାକୁ ବିକୃତ କରିବାର ଆମର କୌଣସି ଅଧିକାର ନାହିଁ। ଆମେ ଆମର ପୂର୍ବପୁରୁଷଙ୍କଠାରୁ ଶୁଣିଛୁ ଯେ ଆଗେ କନ୍ଧ ସଂପ୍ରଦାୟର ମହିଳା ମାନଙ୍କୁ ବହୁଳ ଭାବେ ଶୋଷଣ କରାଯାଉଥିଲା । ରାଜା ଓ ଇଂରେଜମାନେ ଅଧିକାଂଶ ଗାଁରେ କର ଆଦାୟକାରୀ ଓ ସୂଚନାଦାତାଙ୍କୁ ନିୟୋଜିତ କରୁଥିଲେ। ସୂଚନାଦାତାମାନେ କର ଆଦାୟ ସାଙ୍ଗକୁ ଗାଁର ଯୁବତୀଙ୍କ ବିଷୟରେ ଖବର ଦେଉଥିଲେ । ପରେ ଯୁବତୀମାନଙ୍କୁ ରାଜପ୍ରାସାଦ କିମ୍ବା ଅନ୍ୟାନ୍ୟ ସ୍ଥାନକୁ ଡକାଯାଉଥିଲା, ଯେଉଁଠାରେ ସେମାନେ ଶୋଷଣର ଶିକାର ହେଉଥିଲେ। କନ୍ଧ ଆଦିବାସୀଙ୍କ ପାଖରେ ଅତ୍ୟାଚାରକୁ ବିରୋଧ କରିବାର କୌଣସି ସାମର୍ଥ୍ୟ ନଥିଲା । ଫଳରେ ମହିଳାମାନେ ଶୋଷଣରୁ ବଞ୍ଚିବା ପାଇଁ ଜଙ୍ଗଲକୁ ପଳାଇ ଯାଉଥିଲେ। ସେମାନଙ୍କ ପାଇଁ ନିଜକୁ ସୁରକ୍ଷିତ ରଖିବାର ଏହାହିଁ ଏକ ମାତ୍ର ଉପାୟ ଥିଲା । ପରେ ନିଜ ମୁହଁକୁ ବିକୃତ କରିବା ପାଇଁ ଏହି ଚିତା କୁଟା ପରମ୍ପରା ଆରମ୍ଭ ହୋଇଥିଲା ।
ଅନ୍ୟ ଜଣେ ମହିଳା ପ୍ରମିଳା ମାଝି ସେ ସମୟକୁ ମନେ ପକେଇ କହିଛନ୍ତି, ଏବେ ଭାବିଲେ ଦେହ ଥରି ଉଠୁଚି । ସେଇ ସମୟ ଥିଲା ବହୁ ଯନ୍ତ୍ରଣାଦାୟକ । ମୁହଁରେ ଛୁଞ୍ଚିକୁ ଫୋଡି ଚିତା କରାଯାଇଥାଏ । ଏହି ସମୟରେ ମୁହଁରୁ ରକ୍ତ ବାହାରି ଥାଏ । ମୁହଁ ଲାଲ ପଡି ଦରଜ ହେବା ଯୋଗୁଁ ବେଳେ ବେଳେ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ରହୁଥିଲା । ଏପରିକି ଅନେକ ସମୟରେ ମାସ ମାସ ଯାଏଁ ମୁହଁ ଫୁଲି ରହୁଥିଲା ଓ ନିଜକୁ ଚିହ୍ନି ହେଉନଥିଲା । ଗୋଟିଏ ସପ୍ତାହରୁ ଅଧିକ ସମୟ ଧରି, ଆମକୁ ଖାଇବାକୁ କଷ୍ଟ ହେଉଥିଲା। ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ପ୍ରାୟ ଦୁଇ ମାସ ଲାଗୁଥିଲା। କିନ୍ତୁ ଏହି ଯନ୍ତ୍ରଣାଦାୟକ ଅଗ୍ନିପରୀକ୍ଷା ପ୍ରତ୍ୟେକ କନ୍ଧ ମହିଳାଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା ହୋଇ ଯାଇଥିଲା।
ପରବର୍ତ୍ତୀ ସମୟରେ ସମୟ ସହିତ ଏହି ଚିତାକୁଟା କନ୍ଧ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ଓ ସୌନ୍ଦର୍ଯ୍ୟର ପ୍ରତୀକ ହୋଇଗଲା। ଚିତା କୁଟେଇ ନଥିବା କନ୍ଧ ମହିଳାଙ୍କୁ ପ୍ରାୟତଃ କନ୍ଧଜାତିର ପୁରୁଷ ବିବାହ କରିବାକୁ ରାଜି ହେଉନଥିଲେ । ଏପରିକି କନ୍ଧ ସଂସ୍କୃତିରେ ଚିତା କୁଟା କିମ୍ବା ଟାଟୁ ମହିଳାଙ୍କୁ ସାମାଜିକ ମାନ୍ୟତା ଓ ଆକର୍ଷଣ ପ୍ରଦାନ କରୁଥିଲା । କାରଣ ବିଶ୍ୱାସ କରାଯାଉଥିଲା ଯେ, ମୁହଁରେ ଚିତା କୁଟେଇଲେ ଏହା ସେମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରେ ଏବଂ ଏହା ବିନା ସେମାନେ ସଂପୂର୍ଣ୍ଣ କନ୍ଧ ହୋଇପାରନ୍ତି ନାହିଁ।
ସମୟ ସହ ବଦଳିଛି ପରମ୍ପରା
ସମୟର ପରିବର୍ତ୍ତନ ସହିତ କନ୍ଧମାଳର ପାହାଡ଼ି ଅଞ୍ଚଳରେ ଆଧୁନିକତା ପ୍ରବେଶ କରିଛି, ଯାହା କନ୍ଧ ସମ୍ପ୍ରଦାୟର ପାରମ୍ପରିକ ପ୍ରଥାକୁ ବଦଳାଇ ଦେଇଛି। ଏବେ କନ୍ଧ ସଂପ୍ରଦାୟର ଝିଅମାନେ ପୁରୁଣା ରୀତିନୀତି ଛାଡ଼ି ପାଠ ପଢି ଆଗକୁ ବଢ଼ିବା ଆରମ୍ଭ କରିଛନ୍ତି। କନ୍ଧ ସମ୍ପ୍ରଦାୟ ସହିତ ଚାରି ଦଶନ୍ଧିରୁ ଅଧିକ ସମୟ ଧରି କାମ କରିଆସିଥିବା ସମାଜସେବୀ କୈଳାସ ଚନ୍ଦ୍ର ଦଣ୍ଡପାଟ କୁହନ୍ତି, ପ୍ରାୟତଃ ନବେ ଦଶକରୁ ମହିଳାଙ୍କ ମୁହଁରେ ଟାଟୁ କରିବା ପରମ୍ପରାକୁ ବିରୋଧ କରି ସେମାନଙ୍କୁ ସଚେତନ କରାଯାଉଛି । ଝିଅମାନେ ଆଉ ଘରର ଚାରିକାନ୍ଥ ଭିତରେ ନିଜକୁ ସୀମିତ ରଖିନାହାନ୍ତି, ସେମାନେ ସ୍କୁଲ ଯାଇ ଉଚ୍ଚଶିକ୍ଷିତା ହେଉଛନ୍ତି। ସେମାନେ ଆଉ ମୁହଁରେ ଚିତା କୁଟେଇବାକୁ ପସନ୍ଦ କରୁନାହାନ୍ତି । ପରମ୍ପରା କହି ପରିବାର ଲୋକେ ମଧ୍ୟ ଝିଅଙ୍କ ଉପରେ ଏହା ଲଦିଦେବାକୁ ଚାହୁଁ ନାହାନ୍ତି ।
ବର୍ତ୍ତମାନ ଯୁବକ ଓ ଯୁବତୀଙ୍କ ପାଇଁ ଟାଟୁ ଫ୍ୟାଶନ ପାଲଟି ଥିବାବେଳେ ଏହା ଯେ ଏକ ସଂପ୍ରଦାୟର ମହିଳାଙ୍କ ସୁରକ୍ଷାପାଇଁ ବ୍ୟବହାର ହେଉଥିଲା ଏହା ହୁଏତ ଖୁବ କମ ଲୋକ ଜାଣିଥିବେ । ପ୍ରଥମେ ବାଧ୍ୟବାଧକତାରେ କରାଯାଉଥିବା ଚିତା କୁଟା ପରେ ସେହି ସଂପ୍ରଦାୟର ମହିଳାଙ୍କ ସୌନ୍ଦର୍ଯ୍ୟ ଓ ପରିଚୟର ଚିହ୍ନ ପାଲଟିଗଲା । କିନ୍ତୁ ଏବେ ଏହି ପରମ୍ପରାରେ ଧୀରେ ଧୀରେ ପରିବର୍ତ୍ତନ ହେଖାଯାଉଛି।
ବର୍ତ୍ତମାନ କେବଳ ୪୦ବର୍ଷରୁ ଉର୍ଦ୍ଧ ମହିଳାଙ୍କ ମୁହଁରେ ଏହି ଚିତା କୁଟା ଦେଖିବାକୁ ମିଳୁଥିବା ବେଳେ ଆଗକୁ ଆଉ ଏହା ଦେଖାଯିବ ନାହିଁ ବୋଲି ବିଶେଷଜ୍ଞମାନେ କୁହନ୍ତି । ଦିନେ କନ୍ଧ ସଂପ୍ରଦାୟ ମହିଳାଙ୍କ ପରିଚୟର ପ୍ରତୀକ ପାଲଟିଥିବା ଏହି ଚିତା କୁଟା ଏବେ ସଂପୂର୍ଣ ଭାବେ ଲୋପପାଉଛି । ଅନେକେ ଏହାକୁ କନ୍ଧ ମହିଳାଙ୍କ ସ୍ୱାଧୀନତାର ପ୍ରତୀକ କହୁଥିବାବେଳେ ଏହା କନ୍ଧ ଆଦିବାସୀଙ୍କ ସ୍ୱାତନ୍ତ୍ରତାକୁ ହଜେଇ ଦେଉଛି କହିଲେ ଭୁଲ ହେବନାହିଁ । ମୁହଁରେ ଟାଟୁ ନକଲେ ମଧ୍ୟ ନିଜ ଆଦିବାସୀ ପରମ୍ପରାକୁ ବଂଚେଇ ରଖିବାପାଇଁ ସେମାନେ ଆଉ କିଛି ଉପାୟ କରିବା ଉଚିତ ବୋଲି ବିଶେଷଜ୍ଞମାନେ କହିଛନ୍ତି ।