ଦୁର୍ଗାପୂଜା ହେଉ ଅବା ଗଣେଶ ପୂଜା ଓ ଗଜଲକ୍ଷ୍ମୀ ପୂଜା -ବାହାରେ ବୁଲି ବିଭିନ୍ନ ମେଢ ଓ ସାଜସଜ୍ଜା ଦେଖିବାକୁ କାହାକୁ ବା ଭଲ ନଲାଗେ । କିନ୍ତୁ ଆମ ଭିତରୁ କେହି କେବେ ଭାବିଛନ୍ତି ପୂଜା ସରିଯିବା ପରେ ଏହି ଆବର୍ଜନା ଗୁଡିକ କଣ ହୁଏ । ଏହାର ପରିବେଶ ଉପରେ କି ପ୍ରଭାବ ପଡେ । ପରିବେଶ ଅନୁକୂଳ ପୂଜା ଆୟୋଜନ କରିବାକୁ ପ୍ରଦୂଷଣ ବୋର୍ଡ ପକ୍ଷରୁ ଗାଇଡଲାଇନ ଥିଲେ ସୁଦ୍ଧା ଅନେକେ ଏହାକୁ ମାନନ୍ତି ନାହିଁ ।
ଭୁବନେଶ୍ୱର : ଦଶହରା ମଉଜ ପରେ ଆରମ୍ଭ ହୁଏ ମା ଙ୍କୁ ମେଲାଣି ଦେବା କାର୍ଯ୍ୟକ୍ରମ । ପ୍ରତିବର୍ଷ କଟକ ଭୁବନେଶ୍ୱରରେ କରାଯାଉଥିବା ଶହଶହ ଦୁର୍ଗା, ହରପାର୍ବତୀ , କୃଷ୍ଣ ଓ ହନୁମାନଙ୍କ ମୂର୍ତ୍ତି ନଦୀରେ ଭସା ଯାଉଥିବାରୁ ନଦୀଗୁଡିକର ପାଣି ପ୍ରଦୂଷିତ ହେବାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଥିଲା । ଏହାକୁ ଆଖିରେ ରଖି ଗତବର୍ଷ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପୂୁଜା କମିଟି ଓ ମୂର୍ତ୍ତି କାରଙ୍କ ପାଇଁ ଗାଇଡଲାଇନ ପ୍ରସ୍ତୁତ କରାଗଲା । ପ୍ରତିବର୍ଷ ଦୁର୍ଗାପୁଜା ଓ ଅନ୍ୟାନ୍ୟ ମୂର୍ତ୍ତି ଗଢିବା ସମୟରେ ପ୍ରାକୃତିକ ରଂଗ ବ୍ୟବହାର କରିବା ଓ ଅସ୍ଥାୟୀ ପୋଖରୀରେ ବିସର୍ଜ୍ଜନ କରିବା ଆଦି ବିଷୟରେ ବିଭିନ୍ନ ପୂଜା କମିଟି ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ସବୁ କରାଗଲା । ହେଲେ ସବୁବର୍ଷ ପରି ଏବର୍ଷ ମଧ୍ୟ ବିସର୍ଜ୍ଜନ ବେଳେ ଏଥିରେ ବ୍ୟତିକ୍ରମ ଦେଖାଯାଇଛି । କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପୂଜା କମିଟି ଲୋକେ ନିୟମ ମାନି ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରିଥିଲେ ସୁଦ୍ଧା ପୂଜାରେ ବ୍ୟବହୃତ ଠାକୁରାଣୀଙ୍କ ବସ୍ତ୍ର , ଫୁଲ, ପତ୍ର ଓ ସାଜସଜ୍ଜାରେ ବ୍ୟବହୃତ ହୋଇଥିବା ବିଭିନ୍ନ ସାମଗ୍ରୀକୁ ସିଧାସଳଖ ନଦୀରେ ଫିଙ୍ଗିଥିବା ଦେଖାଯାଇଛି ।
ପ୍ରତିବର୍ଷ ପୂଜା ଋତୁ ଖୁଦୁରୁକୁଣୀ ରୁ ଆରମ୍ଭ ହୋଇ ଗଣେଶପୁଜା, ବିଶ୍ୱକର୍ମା ପୂଜା, ଦୁର୍ଗା ପୁଜା. କାଳୀପୁଜା, ଗଜଲକ୍ଷ୍ମୀପୁଜା, କା ର୍ତ୍ତିକ ପୁଜା ପରେ ଶେଷରେ ସରସ୍ୱତୀ ପୂଜାରେ ଶେଷହୁଏ । ଏହି ସମୟରେ କେବଳ କଟକ ଓ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ବିଭିନ୍ନ ପୁଜା ମଣ୍ଡପରେ ଶହଶହ ମେଢ ତିଆରି ହେବା ସହ ପୂଜା ଶେଷ ହେବା ପରେ ଟନ ଟନ ଆବର୍ଜନା ବାହାରିଥାଏ । କିଛି ପୂଜା କମିଟିଏଗୁଡିକ ଆବର୍ଜନା କୁଣ୍ଡରେ ଫିଙ୍ଗୁଥିବା ବେଳେ ଛୋଟ ଛୋଟ ଅନୁଷ୍ଠାନ ଓ ଘରେ ପୂଜା କରାଯାଉଥିବା ମୂର୍ତ୍ତିକୁ ଲୋକେ ପାଖରେ ଥିବା ନଦୀ କିମ୍ବା ପୋଖରୀରେ ଫିଙ୍ଗିଦେବା ହେଖାଯାଇଛି । ଜଣେ ପରିବେଶବିତଙ୍କ ମତରେ ପରିବେଶକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ । ପୂଜା କମିଟି ବା ଘରେ ପୂଜା କରୁଥିବା ଲୋକେ ଅବା ଛୋଟ ଛୋଟ ଅନୁଷ୍ଠାନ – ପୂଜା ଆୟୋଜନ କରିବା ବେଳେ ସେମାନେ ଦେଖିବା ଉଚିତ ଯେ ପୂଜା ସାଙ୍ଗକୁ ପରିବେଶ କିପରି ସ୍ୱଚ୍ଛ ରହିବ । ପୂଜାରୁ ବାହାରୁଥିବା ଆବର୍ଜନା ପରିବେଶକୁ ଯେପରି ନଷ୍ଟ କରୁନଥିବ ।
ଚାକଚକ୍ୟ ସାଙ୍ଗକୁ ପରିବେଶ ନଷ୍ଟ ହେଉଛି
୩୦ -୪୦ ବର୍ଷ ତଳେ କଟକ ଓ ଭୁବନେଶ୍ୱରରେ ଦୁର୍ଗା ପୂଜା ବେଳେ ଯେତିକି ଆବର୍ଜନା ବାହାରୁଥିଲା ଏବେ ସେଥିରେ ଯଥେଷ୍ଟ ବୃଦ୍ଧି ଘଟିଛି । ପୁଣି ମାଟିର ମୁର୍ତ୍ତି ବଦଳରେ ଏବେ ପ୍ଲାଷ୍ଟର ଅଫ ପ୍ୟାରିସର ମୂର୍ତ୍ତି ବିକ୍ରି ହେବାରେ ଲାଗିଛି । ତାସହ ମେଢ ସଜେଇବାବେଳେ ରଂଗୀନ ଜରି ଓ ଥର୍ମୋକଲର ଯଥେଷ୍ଟ ବ୍ୟବହାର ହେଉଛି । ପରିବେଶବିତଙ୍କ ମତରେ ପୁଜା ପରେ ଏଗୁଡିକୁ ନଦୀରେ ପକାଯାଉଥିବାରୁ ଏଥିଯୋଗୁଁ ନଦୀଜଳର ମାନ (କ୍ୱାଲିଟି) ହ୍ରାସ ପାଇବା ସହ ଜରି, ପ୍ଲାଷ୍ଟିକ ଓ ଥର୍ମୋକୋଲ ମାଟିରେ ସହଜରେ ମିଶି ପାରୁନଥିବାରୁ ଏହା ପରିବେଶ , ଜଳଚର ଜୀବ ଓ ମଣିଷଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବାର ଆଶଙ୍କା ରହିଛି । ଗତ କିଛି ବର୍ଷ ଧରି ନିଜଘରେ ଗଣେଶ ଓ ସରସ୍ୱତୀ ପୂଜାର ଆୟୋଜନ କରୁଥିବା ଭୁବନେଶ୍ୱରର ଲିଙ୍ଗରାଜ ମିଶ୍ର କୁହନ୍ତି, ଆଗେ ଆମେ ମୁର୍ତ୍ତିକାର ମାନଙ୍କ ପାଖକୁ ଯାଇ ନିଜେ ମୁର୍ତ୍ତି ପସନ୍ଦ କରି ଘରକୁ ଆଣୁଥିଲୁ । ପରେ ମୁର୍ତ୍ତିକାର ମାନେ ମାର୍କେଟରେ ବିକ୍ରି କରିବା ଆରମ୍ଭ କଲେ । ଏବେ ବଜାରରେ ଧାଡିକିଧାଡି ମୁର୍ତ୍ତି ମିଳୁଛି କିନ୍ତୁ ସେସବୁ ପ୍ଲାଷ୍ଟର ଅଫ ପ୍ୟାରିସରେ ତିଆରି । ହାଲୁକା, ସହଜରେ ରଂଗ ହୋଇପାରୁଥିବା ଏବଂ କମ ସମୟରେ ଅଧିକ ମାତ୍ରାରେ ତିଆରି ହୋଇପାରୁଥିବା ଯୋଗୁଁ ମୁର୍ତ୍ତିକାର ମାନେ ପ୍ଲାଷ୍ଟର ଅଫ ପ୍ୟାରିସରେ ମୁର୍ତ୍ତି ଗଢିବାକୁ ବେଶି ପସନ୍ଦକରୁଛନ୍ତି । ହେଲେ ଏହାର ପରିବେଶ ଉପରେ କି ପ୍ରଭାବ ପଡୁଛି ସେ ବିଷୟରେ ସେମାନେ ଅବଗତ ନୁହନ୍ତି । ଦୁଃଖର ବିଷୟ ଯେ ଏଗୁଡିକ ଶସ୍ତା ହେତୁ ଗ୍ରାହକମାନେ ମଧ୍ୟ ଏଗୁଡିକୁ କିଣି ନିଅନ୍ତି । ସେମାନେ ପ୍ଲାଷ୍ଟର ଅଫ ପ୍ୟାରିସରେ ତିଆରି ମୁର୍ତ୍ତି କିଣିବା ପୂର୍ବରୁ ଏହାର କୁପ୍ରଭାବ ବିଷୟରେ ଜାଣିବା ଆବଶ୍ୟକ ।

ସେହିପରି ଅନ୍ୟଜଣେ ବାସିନ୍ଦା ଗୀତାଞଳି ନାୟକଙ୍କ ମତରେ କେବଳ ମୁର୍ତ୍ତି ନୁହେଁ ସାଜସଜ୍ଜା ସାମଗ୍ରୀରେ ରଂଗୀନ ଜରି, ପ୍ଲାଷ୍ଟିକ ଓ ଥର୍ମୋକୋଲର ବ୍ୟବହାର ଯଥେଷ୍ଟ ବଢିଛି । ଆଗେ ସ୍କୁଲ, ଘର ଓ ବିଭିନ୍ନ ଅନୁଷ୍ଟାନରେ ପୁଜା ସମୟରେ ସାଜସଜ୍ଜାବେଳେ ରଂଗୀନ କାଗଜକୁ ବିଭିନ୍ନ ଡିଜାଇନରେ କାଟି ଅଠାଦେଇ ମେଢ ସଜା ଯାଉଥିଲା । କିନ୍ତୁ ଏବେ କାହା ପାଖରେ ସମୟ ନାହିଁ ପୁଣି ରଂଗୀନ କାଗଜରେ ଡିଜାଇନ କରିବା ସମସ୍ତଙ୍କୁ ଆସୁନଥିବାରୁ ବଜାରରେ ସହଜରେ ମିଳୁଥିବା ସାଜସଜା ଜିନିଷ କିଣି ଆଣି ଲଗେଇ ଦେଉଛନ୍ତି । ତାକୁ ବ୍ୟବହାର କରିବା ପୁର୍ବରୁ କେହି ଭାବୁନାହାନ୍ତି ପୂଜା ସରିବା ପରେ ଏହି ଆବର୍ଜନା ଗୁଡିକ ମାଟିରେ ମିଶିବାକୁ କେତେ ବର୍ଷ ଲାଗିବ । ପରିବେଶକୁ ନେଇ ସାଧାରଣ ଲୋକେ ସଚେତନ ନଥିବାରୁ ଏଭଳି ହେଉଛି ବୋଲି ସେ କହିଛନ୍ତି । ପୁଣି ସିଙ୍ଗଲ ୟୁଜ ପଲିଥିନ ବା ଥରେ ବ୍ୟବହାର ଯୋଗ୍ୟ ପଲିଥିନ ସଂପୂର୍ଣ ବ୍ୟାନ ଥିଲେ ମଧ୍ୟ ଅନେକ ପୂଜା ମଣ୍ଡପରେ ଏହି ପଲିଥିନର ବ୍ୟବହାର ଖୋଲାଖୋଲି ଭାବେ ହୋଇଥାଏ ଯାହା କର୍ତୃପକ୍ଷ ଜାଣି ଅଜଣା ରହିବା ପରି ଲାଗେ ।
ପ୍ରଦୁଷଣ ବୋର୍ଡ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ
୨୦୨୪ ବର୍ଷରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନଦୀରେ ମୁର୍ତ୍ତି ବିସର୍ଜନର କୁପ୍ରଭାବକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରେ ଏ ବିଷୟରେ ସବିଶେଷ ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ମୁର୍ତ୍ତି କାରିଗର ମାନେ ମୁର୍ତ୍ତି ଗଢିବା ବେଳେ ରାସାୟନିକ ରଂଗ ବ୍ୟବହାର କରୁଥିବାରୁ ଏବଂ ମାଟିରେ ସହଜରେ ମିଶୁନଥିବା ବର୍ଜ୍ୟବସ୍ତୁ ବ୍ୟବହାର କରୁଥିବାରୁ ଏହାର ସିଧାସଳଖ ପ୍ରଭାବ ପାଣିର ମାନ ବା କ୍ୱାଲିଟି ଉପରେ ପଡୁଛି । ଯାହାକି ପରବର୍ତି ସମୟରେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବାର ଆଶଂକା ରହିଛି । ଏଣୁ ମୁର୍ତ୍ତିକାର ମାନେ ପ୍ରାକୃତିକ ରଂଗ ବ୍ୟବହାର କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି । ଏହାଛଡା ରାଜ୍ୟସରକାର ପରିବେଶ ଅନୁକୂଳ ଡାଏ ଓ ପ୍ରାକୃତିକ ରଂଗ ବ୍ୟବହାର କରିବାକୁ ମୁର୍ତ୍ତିକାରଙ୍କୁ ପ୍ରୋତ୍ସାହନ ଦେବା ଉଚିତ ବୋଲି ଏହି ରିପୋର୍ଟରେ କୁହାଯାଇଛି । ପୁଜା କମିଟି ଗୁଡିକ ମଧ୍ୟ ପ୍ରାକୃତିକ ରଂଗ ବ୍ୟବହାର ଉପରେ ଗୁରୁତ୍ନ ଦେବାକୁ ଏହି ରିପୋର୍ଟରେ ଦର୍ଶାଯାଇଛି । ତେବେ ଏହି ରିପୋର୍ଟରେ ପରିବେଶ ଅନୁକୂଳ ମୁର୍ତ୍ତି, ପ୍ରାକୃତିକ ରଂଗ ପ୍ଲାଷ୍ଟର ଅଫ ପ୍ୟାରିସ ବଦଳରେ ମାଟିର ବ୍ୟବହାର ସାଙ୍ଗକୁ ସବୁଠାରୁ ବେଶି ଗୁରୁତ୍ୱ ଦିଆଯାଇଛି ସିଙ୍ଗଲ ୟୁଜ ପଲିଥିନ ଓ ଥର୍ମୋକଲ ବ୍ୟବହାରକୁ ସଂପୂର୍ଣ ନିଷିଦ୍ଧ କରିବା ।

ପୂଜା କମିଟି ଗୁଡିକ ପାଇଁ ପ୍ରସ୍ତୁତ କରାଯାଇଥିବା ଗାଇଡଲାଇନରେ କୁହାଯାଇଛି ଯେ କମ ଉଚ୍ଚତା ବିଶିଷ୍ଟ ଓ ସହଜରେ ମାଟିରେ ମିଶିଯାଉଥିବା ମୁର୍ତ୍ତି ଗଢିବା ସାଙ୍ଗକୁ ଏଥିରେ ପ୍ରାକୃତିକ ରଂଗ ବ୍ୟବହାର କରିବେ । ପ୍ରସାଦ ସେବନ ଓ ପ୍ରସାଦ ସାମଗ୍ରୀ ବଂଟନ ସମୟରେ ଥର୍ମୋକଲ ପ୍ଲେଟ ଓ ଥରେ ବ୍ୟବହାର ଯୋଗ୍ୟ (ସିଙ୍ଗଲ ୟୁଜ )ପଲିଥିନ ବ୍ୟବହାରକୁ ସଂପୂର୍ଣ ନିଷିଦ୍ଧ କରିବେ । ଭସାଣୀ ପୂର୍ବରୁ ପୂଜା ପାଇଁ ବ୍ୟବହାର ହୋଇଥିବା ସବୁ ସାମଗ୍ରୀ ଯେପରି- ଫୁଲ, ପତ୍ର, ବସ୍ତ୍ର ଓ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀକୁ ବାହାର କରି ଅଲଗା ଅଲଗା ଆବର୍ଜନା ସ୍ଥାନରେ ପକେଇ ସାରିବା ପରେ ଭସାଣୀ ପାଇଁ ମୁର୍ତ୍ତି ବିସର୍ଜନ କରିବେ । ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ପୂଜା ପୁର୍ବରୁ ଏ ବିଷୟରେ ସମସ୍ତଙ୍କୁ ସଚେତନ କରିବା ପାଇଁ ନିୟମିତ ଭାବେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ ଓ ଖବରକାଗଜରେ ବିଜ୍ଞାପନ ଦିଆଯାଇଥାଏ । ଏଥି ସାଙ୍ଗକୁ ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କରିବା ପାଇଁ ବିଏମସିକୁ କୁହାଯାଇଥାଏ ।
ତେବେ ନିଜ ନାମ ଗୋପନ ରଖି ପୂଜା କମିଟିର ଜଣେ ସଦସ୍ୟ କହିଛନ୍ତି, ବର୍ତ୍ତମାନ ଦୁର୍ଗାପୂଜା ସମୟରେ ଯେଉଁଭଳି ପ୍ରତିଯୋଗିତା ଚାଲିଛି ସେଥିରେ ଅନେକେ ଏହି ଗାଇଡଲାଇନ ମାନିବାପାଇଁ ପ୍ରସ୍ତୁତ ନୁହନ୍ତି । ତେବେ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବା ଓ ବ୍ୟବହୃତ ପୂଜା ସାମଗ୍ରୀକୁ ଅଲଗା କରିବା ନିୟମକୁ ସେମାନେ ପାଳନ କରୁଛନ୍ତି । ତେବେ ଜଳବାୟୁ ପରିବର୍ତନର ପ୍ରଭାବ ଯେଉଁଭଳି ଭାବେ ବଢିବାରେ ଲାଗିଛି ତାକୁ ଆଖିରେ ରଖି ସରକାର ସବୁ ପ୍ରକାରର ପ୍ରଦୂଷଣକୁ ରୋକିବା ପାଇଁ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନାଗରିକ ସଂଗଠନ ପକ୍ଷରୁ କୁହାଯାଇଛି ।
