ଓଡ଼ିଶାକୁ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ଓ ନିରାପଦ ରାଜ୍ୟ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି – ‘ସେଫ ଓଡ଼ିଶା ଫର ହର’ ଅଭିଯାନ । ବିଶେଷ କରି ପ୍ରତ୍ୟେକ ଦିନ ସ୍କୁଲ ଓ କଲେଜ ଯାଉଥିବା ଝିଅମାନେ ରାସ୍ତାଘାଟରେ କିଭଳି ବିଭିନ୍ନ ପ୍ରକାରର ନିର୍ଯାତନାର ଶିକାର ହୁଅନ୍ତି ତାହାକୁ ନେଇ ସେଫ ଓଡ଼ିଶା ଫର ହର ଏକ ସର୍ଭେ କରିଥିଲା। ଏହି ସର୍ଭେରେ ଜଣାପଡିଥିଲା ଯେ ସେମାନେ ଏହି ହିଂସା ଦ୍ୱାରା କେବଳ ଶାରିରୀକ ଭାବେ ନୁହେଁ ମାନସିକ ଭାବେ ମଧ୍ୟ ଆଘାତ ପାଇଥାଆନ୍ତି । ପ୍ରତିବର୍ଷ ରାଜ୍ୟରେ ବଢିଚାଲିଥିବା ମହିଳା ହିଂସାକୁ ରୋକିବା ପାଇଁ ଏହି ଅଭିଯାନ ପକ୍ଷରୁ ଏବେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟ କରାଯାଉଛି ।
ଶାନ୍ତିଲତା ରାଉତ
ଭୁବନେଶ୍ୱର
ନିକଟରେ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯାଇଥିବା ଏକ ରିପୋର୍ଟ ମୁତାବକ ଗତବର୍ଷ ୩୦, ୯୪୩ଟି ମହିଳା ବିରୋଧୀ ହିଂସା ମାମଲା ପଞ୍ଜୀକୃତ ହୋଇଛି । ସେଥିରୁ କେବଳ ଜୁନ ମାସରେ ସର୍ବାଧିକ ୨୮୩୪ ଟି ମହିଳା ବିରୋଧୀ ହିଂସା ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ୧୨୩୦ ଟି ମାମଲା ସମାଧାନ ହୋଇସାରିଥିବା ବେଳେ ଏବେ ମଧ୍ୟ ୨୯୩୫୪ ଟି କେସର ଫଇସଲା ନହୋଇ ପଡ଼ିରହିଛି । ଏହାର ଠିକ୍ ଦୁଇ ବର୍ଷ ତଳର ତଥ୍ୟକୁ ଅନୁଧ୍ୟାନ କଲେ ଜଣା ପଡେ ଯେ ୨୦୨୨ ରେ ମହିଳା ବିରୋଧୀ ହିଂସା ୯.୩ ପ୍ରତିଶତ ଥିଲା । ଏହାର ଠିକ୍ ବର୍ଷକ ପରେ ଅର୍ଥାତ୍ ୨୦୨୩ରେ ଏହା କମିବା ବଦଳରେ ଆହୁରି ୮ ପ୍ରତିଶତ ଅଧିକ ମାମଲା ରୁଜୁ ହୋଇଛି।
ଏଠାରେ ଉଲ୍ଲେଖ କରାଯାଇଥିବା ତଥ୍ୟରୁ ଜଣା ଯାଉଛି ଯେ ରାଜ୍ୟରେ ପ୍ରତିବର୍ଷ ମହିଳା ବିରୋଧୀ ହିଂସା ମାମଲା ବଢ଼ିବାରେ ଲାଗିଛି । ଓଡ଼ିଶାକୁ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ଓ ନିରାପଦ ରାଜ୍ୟ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ‘ ସେଫ ଓଡ଼ିଶା ଫର ହର’ ଅଭିଯାନ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଝିଅ, ଯୁବତୀ ଓ ମହିଳାମାନେ ବିଭିନ୍ନ ସ୍ଥାନରେ ଓ ସମୟରେ ଯେପରି- ଘରେ, ବାହାରେ, କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ହିଂସା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିପାରିବେ ସେ ବିଷୟରେ ସେମାନଙ୍କୁ ସଚେତନ କରିବା ।
ସଂକ୍ଷେପରେ ଅଭିଯାନ
ସେଫ ଓଡ଼ିଶା ଫର ହର ଅଭିଯାନର ମୁଖ୍ୟ ପ୍ରଣୟ ମଞ୍ଜରୀ କୁହନ୍ତି, ୨୦୨୦ ମସିହା କଥା । ସେତେବେଳେ ସେ ସୁନ୍ଦରଗଡ ଜିଲ୍ଲାକୁ କିଛି କାମ ପାଇଁ ଯାଇଥିଲେ । ସେଠି ତାଙ୍କ ରହଣୀ ସମୟରେ ଜଣେ ୧୪ବର୍ଷର କିଶୋରୀ ପ୍ରତି ବଳାତ୍କାର ହୋଇଥିବା ଘଟଣା ସାମନାକୁ ଆସିଲା । ଏକଥା ତାଙ୍କୁ ଅନେକ ମାତ୍ରାରେ ବ୍ୟଥିତ କଲା । ସେ ନିଷ୍ପତି ନେଲେ ଯେ ଓଡ଼ିଶା ରାଜ୍ୟକୁ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ କରିବା ପାଇଁ ଚେଷ୍ଟା କରିବେ । ଆଉ ସେହିଠାରୁ ମୂଳଦୂଆ ପଡିଲା ସେଫ ଓଡ଼ିଶା ଫର ହର ଅଭିଯାନର । ତାଙ୍କୁ ଏହି କାମରେ ତାଙ୍କର ୮ଜଣ ବନ୍ଧୁ ସହଯୋଗର ହାତ ବଢାଇଲେ ।
ପ୍ରଣୟ କୁହନ୍ତି, ସେଫ ଓଡ଼ିଶା ଫର ହର ଅଭିଯାନ ପାଇଁ ସେମାନେ ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ମହିଳାଙ୍କୁ ଚୟନ କରବାକୁ ଲକ୍ଷ୍ୟ ରଖିଛନ୍ତି । ଯେଉଁ ମହିଳା ତଥା ଯୁବତୀ ନିଜ ଅଞ୍ଚଳର ମହିଳାଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବା ସହ ସେମାନଙ୍କ ଉନ୍ନତି ପାଇଁ କିଛି କରିବାକୁ ଚାହୁଁଥାନ୍ତି ସେମାନଙ୍କୁ ଏହି ଅଭିଯାନରେ ସାମିଲ କରାହେବ । ଏହି ଯୁବତୀମାନଙ୍କ ଚୟନ ପରେ ସେମାନଙ୍କୁ ୩ବର୍ଷ ସଂସ୍ଥା ସହ ଯୋଡି ହୋଇରହିବା ସହ ଗୋଟେ ବର୍ଷର ଟ୍ରେନିଙ୍ଗ ଦିଆହେବ। ଏହିସମୟରେ ସେମାନଙ୍କୁ ନିଜର ବିଜନେସ ଆଇଡିଆ ସେୟାର କରିବା ପାଇଁ ସୁଯୋଗ ମିଳିବା ।
ପ୍ରଣୟ କୁହନ୍ତି ସେଫ ଓଡ଼ିଶା ଫର୍ ହର ଅଭିଯାନ ମାଧ୍ୟମରେ ସେମାନେ ଓଡ଼ିଶାର କିଛି ଗ୍ରାମକୁ ହିଂସାମୁକ୍ତ କରିବାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡିି ଜିଲ୍ଲା ମଦନପୁର ରାମପୁର ବ୍ଲକର ଡମ କୁର୍ଲାଖୁଣ୍ଟା ଗ୍ରାମ ପଞ୍ଚାୟତକୁ ବଛାଯାଇଛି । ଏହି ପଞ୍ଚାୟତର ପ୍ରତି ଗାଁରୁ ଜଣେ ଲେଖାଏଁ ମହିଳାଙ୍କୁ ଚୟନ କରାଯାଇଥିବା ବେଳେ ସେମାନଙ୍କ ଲିଡର ଭାବେ ପଂଚାୟତର ଜଣେ ମହିଳାଙ୍କୁ ଚୟନ କରାଯାଇଛି। ଏହି ମହିଳାମାନେ ମିଳିତ ଭାବେ ହିଂସାମୁକ୍ତ ଗ୍ରାମ ଗଠନ କରିବାରେ ସାହାଯ୍ୟ କରିବେ । ହିଂସାମୁକ୍ତ ଗ୍ରାମର ଉଦ୍ଦେଶ୍ୟ ହେଉଛି ଯେଉଁଠି ମହିଳାମାନେ ସମ୍ମୁଖୀନ ହେଉଥିବା ହିଂସା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିପାରୁଥିବେ ।
ଅନଲାଇନ ହିଂସାରେ ଓଡ଼ିଶା ଆଗରେ
୨୦୨୨ ମସିହାର ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ଅନଲାଇନ ହିଂସା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ପ୍ରଥମ । ସେହିବର୍ଷ ୫୪୨ଟି ଅନଲାଇନ ହିଂସା ମାମଲା ରୁଜୁ ହୋଇଥିବା ବେଳେ ମାନବ ଚାଲାଣରେ ମହିଳାଙ୍କ ମାମଲା ସଂଖ୍ୟା ହେଉଛି ୫୦୨ । ସେହିପରି ୧୮ ବର୍ଷରୁ କମ ବୟସର ଝିଅଙ୍କ ଚାଲାଣ ହେଉଥିବା ମାମଲା ସଂଖ୍ୟା ୩୫୩ ଥିବା ବେଳେ ଛୋଟ ଝିଅଙ୍କ ମାମଲା ସଂଖ୍ୟା ହେଉଛି ୧୪୦ । ପ୍ରଣୟ କୁହନ୍ତି, ଅନ୍ୟ ସବୁ ହିଂସାରେ ଅଭିଯୁକ୍ତ ବିଷୟରେ ପୀଡିତା ଜଣକ ଜାଣିପାରୁଥିବା ବେଳେ ଅନଲାଇନ ନିର୍ଯାତନାରେ ଅଭିଯୁକ୍ତକୁ ଜାଣିବା ସହଜ ହୋଇନଥାଏ । ଅନେକ ସମୟରେ ପରିଚିତ ଲୋକ, ବନ୍ଧୁ, ଅଥବା ପାର୍ଟନର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ଡିଜିଟାଲ ପ୍ଲାଟଫର୍ମରେ ଅପଲୋଡ କରିବାର ଧମକ ଦେଇ ଅଧିକ ଶାରୀରିକ, ମାନସିକ, ଯୈାନ ଓ ଆର୍ଥିକ ନିର୍ଯାତନା ଦେଇଥାଏ । ଯୁବତୀମାନେ ଯେଭଳି ଏଥିରେ ଭୟଭୀତ ନହୋଇ ଏହା ବିରୁଦ୍ଧରେ ସ୍ୱର ଉଠାଇବେ ସେଥିପାଇଁ ଇରେଜ ଦ ସେମ ଅର୍ଥାତ ଲଜ୍ଜାକୁ ପୋଛିଦିଅ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଏସବୁକୁ ଦୃଷ୍ଟିରେ ରଖି ସେଫ ଓଡ଼ିଶା ଫର ହର ପକ୍ଷରୁ ଏକ ସର୍ଭେ ହାତକୁ ନିଆଯାଇଥିଲା ଯେଉଁଥିରେ ପ୍ରତ୍ୟେକ ଦିନ ସ୍କୁଲ ଓ କଲେଜ୍ ଯାଉଥିବା ଝିଅମାନେ ରାସ୍ତାଘାଟରେ କିଭଳି ବିଭିନ୍ନ ପ୍ରକାରର ନିର୍ଯାତନାର ଶିକାର ହୁଅନ୍ତି ତାହାକୁ ଏହି ସର୍ଭେରେ ସାମିଲ କରାଯାଇଥିଲା। ପ୍ରଣୟ କୁହନ୍ତି, ଏହି ସର୍ଭେରେ ଜଣାପଡିଥିଲା ଯେ ସେମାନେ ଏହି ହିଂସା ଦ୍ୱାରା କେବଳ ଶାରିରୀକ ଭାବେ ନୁହେଁ ମାନସିକ ଭାବେ ମଧ୍ୟ ଆଘାତ ପାଇଥାଆନ୍ତି । ସେମାନଙ୍କୁ ମାନସିକ ଭାବେ ଦୃଢ କରିବାପାଇଁ ସେମାନଙ୍କ ସମସ୍ୟାକୁ ଆଲୋଚନା କରି ସମାଧାନର ବାଟ ବାହାର କରିବା ପାଇଁ ପ୍ରତି ମାସରେ ସ୍ପିକ ଏଗେନଷ୍ଟ ଭାଉଲେନ୍ସ ନାମରେ ଏକ କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ମହିଳାମାନେ ଘରେ, ବାହାରେ ଓ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାରର ହିଂସା ବିରୁଦ୍ଧରେ ଖୋଲାଖୋଲି ଆଲୋଚନା କରୁଛନ୍ତି । ଏଥିପାଇଁ ରାଜ୍ୟରେ ମହିଳାମାନଙ୍କ ପାଇଁ ଓ ଟ୍ରାନ୍ସ ମହିଳାଙ୍କ ପାଇଁ ମାଗଣା ବସ ଚଳାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ହିଂସାକୁ ରୋକିବାପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର କଣ କଣ ସବୁ ଯୋଜନା ରହିଛି ସେ ବିଷୟରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆଲୋଚନା ହେଉଛି ।
ମହିଳାମାନେ ଅସୁରକ୍ଷିତ ମନେ କଲେ ପ୍ରଥମେ ପୋଲିସ ଥାନା ଯାଇ ରିପୋର୍ଟ କରିଥାଆନ୍ତି, ପ୍ରଣୟ କୁହନ୍ତି ଏମିତି କିଛି ଘଟଣା ସାମନାକୁ ଆସିଛି ଯେଉଁଠି ଅନେକ ସମୟରେ ପୋଲିସ ଥାନାରେ ମହିଳାଙ୍କୁ ନିର୍ଯାତନାର ଶିକାର ହେବାକୁ ପଡିଛି । ଏହାକୁ ରୋକିବାପାଇଁ ମଧ୍ୟ ସେମାନେ ପଦକ୍ଷେପ ନେଉଛନ୍ତି ।
ଉଦାହରଣ ପାଲଟିଛନ୍ତି ମଞ୍ଜୁ ଓ ବୀଣାପାଣି
ଗାଁ ଗୁଡିକୁ ହିଂସାମୁକ୍ତ କରିବା ଲକ୍ଷ୍ୟରେ କାର୍ଯ୍ୟକରୁଥିବା ସେଫ ଓଡ଼ିଶା ଫର ହର ଅଭିଯାନରେ ବର୍ତମାନ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଡମ୍ କର୍ଲାଖୁଣ୍ଟା ଗ୍ରାମପଞ୍ଚାୟତର ମଞ୍ଜୁ ପାତ୍ର ସାମିଲ ହୋଇଥିବାବେଳେ କୋକସରା ବ୍ଲକ ଖୁିଆ ଗାଁର ବୀଣାପାଣି ସୁନାନୀ ସାମିଲ ହେବା ସହ ଗାଁକୁ ହିଂସାମୁକ୍ତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।
୨୫ ବର୍ଷୀୟ ମଞ୍ଜୁଙ୍କର ସ୍ୱପ୍ନଥିଲା ନିଜର ଏକ କାଫେ ଖୋଲିବେ ଯେଉଁଠି ପୁରୁଷ ଓ ମହିଳା ସମସ୍ତେ ଆସି ଖାଇବା ସହ କିଛି ସମୟ ଖୁସିବାସିରେ ବିତାଇବେ । ମଞ୍ଜୁ କୁହନ୍ତି, ତାଙ୍କ ଗାଁରେ ମହିଳାମାନଙ୍କୁ ସ୍ୱାଧୀନ ଭାବେ ବଂଚିବାର ଓ ନିଜର କିଛି କରିବାର ସୁଯୋଗ ନଥିଲା । ସେ ଏଥିରେ ପରିବର୍ତନ ଆଣିବା ସହ ଅନ୍ୟ ମହିଳାମାନେ ସାମନା କରୁଥିବା ଘରୋଇ ହିଂସା, ଯୈାତୁକ ଜନିତ ହିଂସା, ରାସ୍ତାଘାଟରେ ଝିଅ ଓ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ବିରୁଦ୍ଧରେ କାର୍ଯ୍ୟ କରିଥାଆନ୍ତି ।
ସେହିପରି କୋକସରା ବ୍ଲକରେ ଥିବା ଖୁଣ୍ଟିଆ ଗାଁର ବୀଣାପାଣି ସୁନାନି ମଧ୍ୟ ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ପ୍ରଣୟ କୁହନ୍ତି ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିଲେ ସେମାନଙ୍କ ପ୍ରତି ହେଉଥିବା ହିଂସାକୁ ଅନେକ ମାତ୍ରାରେ ରୋକାଯାଇପାରିବ ।