ବର୍ତ୍ତମାନର ଆଧୁନିକତାରେ ହଜିଗଲାଣି ସେଇ ପୁରୁଣା ଦିନର ରଜ । ହରଗୌରା ପତ୍ର ବାଟି ହାତରେ ମଞ୍ଜୁଆତି ରଂଗ କରୁଥିବା ଅନେକ ପୌଢା ଏବର ଝିଅମାନଙ୍କ ମେହେନ୍ଦି ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଆନ୍ତି । ରଜରେ ମଞ୍ଜୁଆତି ପତ୍ରର ସୁଗନ୍ଧ ଏବର କେମିକାଲ ମିଶା ମେହେନ୍ଦିରେ ମିଳୁନାହିଁ । ତେବେ ସବୁଠାରୁ ବଡ ଦୁଃଖ ହେଉଛି ଆଜିକାଲିର ଝିଅମାନେ ଆଉ ରଜ ଗୀତ ଗାଇ ଶିଖିନାହାନ୍ତି । ଗାଁରେ ବଡ ବଡ ପୁରୁଣା ଆମ୍ବ ଗଛ ଦେଖିବାକୁ ମିଳୁନଥିବାରୁ ଦୋଳି ମଧ୍ୟ ସେପରି କରାହେଉନି । କେଉଁଠି କେମିତି ଟିକେ ପୁରୁଣା ସଂସ୍କୃତିକୁ ଜାବୁଡି ଧରିଛନ୍ତି ସିନା ଗାଁ ଲୋକ । ହେଲେ ସହରରେ ଆୟୋଜିତ ହେଉଥିବା ରଜ ମହୋତ୍ସବ ଏବେ ସମସ୍ତଙ୍କୁ ବେଶି ଆକୃଷ୍ଟ କରୁଚି ।
ଶାନ୍ତିଲତା ରାଉତ
କଟକ
କଟକ ଜିଲ୍ଲା ତିଗିରିଆ ବ୍ଲକ ଅନ୍ତର୍ଗତ ନୂଆପାଟଣାରେ ରୁହନ୍ତି ଶୈଳବାଳା ରାଉତ। ରଜ ଆସିଲେ ଏବେବି ତାଙ୍କ ମନ ଖୁସି ହୋଇଯାଏ ଏବଂ ଆଖି ଆଗରେ ନାଚି ଉଠେ ପିଲାବେଳେ ସେ ଖୁସିରେ ମନାଉଥିବା ରଜ । ସେତେବେଳର ରଜ ଥିଲା ଅଲଗା ନିଜ ପିଲାବେଳର ଦିନ ମନେ ପକାଇ ସେ କୁହନ୍ତି ସେତେବେଳେ ସପ୍ତାହକ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଯାଉଥିଲା । ଘରର ବୟସ୍କ ମହିଳାମାନେ ମିଶି ଢିଙ୍କିରେ ଧାନକୁଟିବା , ବଡ ବଡ ହାଣ୍ଡି ବସାଇ ଚୁଲିରେ ମୁଢି ଭାଜିବା ଆଦି କାମ ଆଗୁଆ କରିଦେଉଥିଲେ। କାହିଁକିନା ଓଡ଼ିଆ ଘରର ପରମ୍ପରା ହେଉଛି ରଜରେ ଝିଅର ଶାଶୁଘରକୁ ରଜ ଭାର ଯିବ । ଆଗେ ଝିଅ ଶାଶୁଘରରେ ଭାର ଦେବାକୁ ଗାଁରେ ଭାର ତିଆରି ଲୋକ ମିଳୁଥିଲେ କିନ୍ତୁ ଧିରେ ଧିରେ ସେ ପରମ୍ପରା ଉଭେଇ ଗଲାଣି ।
ଆଉ ଠିକ ରଜ ଆସିବା ଦିନେ, ଦୁଇଦିନ ଆଗରୁ ଗାଁର ଝିଅମାନେ ମିଳିମିଶି ଯାଇ ପିଠା ପାଇଁ ପତ୍ର, ଦାନ୍ତକାଠି ଆଣି ରଖିଦିଅନ୍ତି । ହଳଦୀବାଟି ଆଗୁଆ ଶିଳପୁଆ ଧୋଇ ଦିଆଯାଏ । ପୁଣି ରଜ ତିନି ଦିନ ଯାକ ଝିଅମାନେ କେହି କିଛି କାମ କରନ୍ତି ନାହିଁ । ଏହି ସମୟରେ ଧରିତ୍ରୀ ମା ରଜସ୍ୱଳା ହେଉଥିବାରୁ ଝିଅମାନେ କାମ ନକରିବାର ବିଧି ରହିଛି । ଶୈଳବାଳା କୁହନ୍ତି, ପହିଲି ରଜରେ ଦୋଳିକୁ ପୂଜା କରାଯାଏ । ଝିଅମାନେ ଆଗରୁ ହାତରେ ହରଗୌରା ପତ୍ର ବାଟି ଲଗେଇ ସାରିଥାନ୍ତି, ତାପରେ ନୂଆ ଲୁଗା ପିନ୍ଧି ମଥାରେ ନାଲି, ଧଳା କୁଙ୍କୁମ ଲଗେଇ, ପାଦରେ ଅଳତା ଓ ନଖରେ ନେଲପଲିସ ଲଗେଇ ବାହାରି ପଡନ୍ତି ଘର ଘର ବୁଲି ପିଠା ଖାଇବାକୁ । ଏହି ଦିନ ସେମାନଙ୍କୁ ବିଭିନ୍ନ ସାଙ୍ଗସାଥି ଘରୁ ଡାକରା ଆସିଥାଏ – କୋଉଠି ଭାଉଜ, କୋଉଠି ପିଉସୀ ମାଉସୀ ଯିଏ ଯାହା ପିଠାକରିଥାଏ ଏହି ଝିଅମାନଙ୍କୁ ଡାକି ପିଠା ଖାଇବାକୁ ଦିଅନ୍ତି । ଆଗେ ଝିଅମାନଙ୍କୁ ମାଟିରେ ଖାଲି ପାଦରେ ଚାଲିବାକୁ ମନା କରାଯାଉଥିଲା ଏଣୁ କଦଳୀ ପାଟୁଆର ଚପଲ ପିନ୍ଧି ଯା ଆସ କରୁଥିଲେ ।
ପହିଲି ରଜ ଦିନ ଦୋଳି ପୂଜା ସରିବା ପରେ ଆରମ୍ଭ ହୁଏ ଦୋଳି ଖେଳ । ଗୋଟିଏ ତେନ୍ତୁଳି ଗଛରେ ୧୧ ରୁ ୧୨ଟି ଦୋଳି ବନ୍ଧା ହୋଇଥାଏ । କେତେବେଳେ ଦଉଡିର ଦୋଳି ତ ପୁଣି କେତେବେଳେ ବାଉଁଶର ଦୋଳି । ଦୋଳି ଖେଳ ସାଙ୍ଗକୁ ସମସ୍ତେ ମଜିଯାଆନ୍ତି ପୁଚି, କବାଡି ବାଡିଡିଆଁ, ବୋହୁଚୋରି, ଲୁଚକାଳି, ତାସ, କାଚକଉଡି ଖେଳରେ । କାରଣ କେବଳ ରଜରେ ହିଁ ଝିଅମାନଙ୍କୁ ଏତେ ସବୁ ସ୍ୱାଧୀନତା ମିଳିଥାଏ । ପୁଣି ବିବାହ ହୋଇଗଲେ ଆଉ ଆଗଭଳି ମଉଜ କରିବାର ସ୍ୱାଧୀନତା ନଥାଏ ।
ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପାନ, ପୋଡପିଠା , ଆରିସା ଭଳି ଅନେକ ପିଠାପଣା । ରଜରେ ଝିଅମାନଙ୍କୁ ରୋଷେଇ ଘରେ ଯାଇ ରନ୍ଧାବଢା କରିବା ବାରଣ ହେତୁ ପୋଡପିଠା କରି ରଖାଯାଇଥାଏ । ଆଉ ତିନିଦିନ ଯାକ ସେମାନେ ପିଠାଖାଇ, ଦୋଳି ଖେଳି ମଉଜ ମଜଲିସ କରି ସମୟ କାଟି ଦିଅନ୍ତି ।
ନିଜ ଧର୍ମପାଳନ କରୁଛି ଚାଷୀ
ଓଡ଼ିଶା କୃଷି ଭିତିକ ରାଜ୍ୟ ହେତୁ ଏଠାକାର ସ୍ଥାନୀୟ ପର୍ବ କୃଷି ସହ ଜଡିତ । ରଜ ତିନି ଦିନ ଧରିତ୍ରୀ ମା ରଜସ୍ୱଳା ହେଉଥିବାରୁ ଏହି ସମୟରେ ଚାଷକାମ ସଂପୂର୍ଣ ବନ୍ଦ ରୁହେ । ବାଲିପାଟଣାର ସବିତା ପ୍ରଧାନ କୁହନ୍ତି, ରଜ ୩ ଦିନ ସରିବା ପରେ ଚତୁର୍ଥ ଦିନ ବସୁମତି ସ୍ନାନ କରାଯାଏ । ଏହି ଦିନ ମା ବସୁମତି ରଜସ୍ୱଳା ହେବା ପରେ ସ୍ନାନ କରନ୍ତି ବୋଲି ବିଶ୍ୱାସ ରହିଛି । ଏଣୁ ସବୁ ଝିଅମାନେ ମୁଣ୍ଡ ଧୋଇ ଗାଧାନ୍ତି । ଘରର ସବୁ ଜିନିଷ ଧୁଆ ଯାଏ । ଲୁଗାପଟା, ଢିଙ୍କି, ଶିଳପୁଆ, କୋଦାଳ ଠାରୁ ଆରମ୍ଭ କରି ସବୁ କିଛି ପରିଷ୍କାର କରାଯାଏ ।
ରଜ ଧରିତ୍ରୀ ମାର ପୂଜା ହେତୁ ମାଟି ମାକୁ ସମ୍ମାନ ଜଣାଇ ଚାଷ କାମ ହୁଏନି ହଳ ଲଙ୍ଗଳ ଓ ଚାଷକାମ ସହ ସଂପୃକ୍ତ ସବୁ ଜିନିଷ ପୂଜା କରାହୁଏ । କୁହନ୍ତି ମାଟି ମା ରଜସ୍ୱଳା ହେତୁ ସେ ଏହି ସମୟରେ ବିଶ୍ରାମ ନିଅନ୍ତି । ଯେହେତୁ ରାତି ସମୟରେ ଖାଦ୍ୟ ଖାଇବା ଅନୁଚିତ ବୋଲି କୁହାଯାଏ ଏଣୁ ଠିକ ଅପରାହ୍ଣ ୪ଟା ହେବା ମାତ୍ରେ ସମସ୍ତେ ଖାଇବା ଖାଇଦିଅନ୍ତିା ଏହି ସମୟରେ ବୃନ୍ଦାବତୀଙ୍କର ମଧ୍ୟ ପୂଜା ହୁଏ ନାହିଁ । ରଜ ୩ ଦିନ ସରିବା ପରେ ଚତୁର୍ଥ ଦିନ ବସୁମତି ସ୍ନାନ କରି ବୃନ୍ଦାବତୀଙ୍କର ପୂଜା କରାଯାଏ ।
କହିିବାକୁ ଗଲେ ପୂର୍ବର ରଜ ଆଉ ବର୍ତ୍ତମାନର ରଜ ଭିତରେ ଅନେକ କିଛି ବଦଳି ସାରିଛି । ମାତ୍ର ଚାଷୀ ଆଗଭଳି ଏବେ ବି ନିଜର ସବୁ ଧର୍ମ ପାଳନ କରୁଛି । ମାଟି ମାକୁ ସମ୍ମାନ ଜଣାଇ ରଜ ୩ ଦିନ ଯାଏଁ ଚାଷ କରେନାହିଁ । ଏହି ସମୟରେ ମାଟି ମା ରଜସ୍ୱଳା ହେଉଥିବାରୁ ୩ ଦିନ ଯାଏଁ ଲଙ୍ଗଳ ମୁନ ବି ସ୍ପର୍ଶ କରିବା ଅନୁଚିତ ବୋଲି କୁହାଯାଏ । ବର୍ଷ ତମାମ ଖଟୁଥିବା ଚାଷୀ ମଧ୍ୟ ଏହି ସମୟରେ ଟିକିଏ ଆରାମ କରିଥାଏ । ଆଉ ଅନ୍ୟପଟେ ଏହି ରଜ ବେଳେ ଆଷାଢ ମାସ ପ୍ରବେଶ କଲା ବୋଲି ସାରା ରାଜ୍ୟବାସୀଙ୍କୁ ସୂଚନା ମିଳିଥାଏ ।
ହଜିଗଲାଣି ପୁରୁଣା ସଂସ୍କୃତି
ଚଷାଆଁରା ଗ୍ରାମରେ ରହୁଥିବା ସେବତୀ ରାଉତ ପୁରୁଣା ଦିନର ସ୍ମୃତିକୁ ମନେ ପକାଇ ଦୁଃଖରେ କୁହନ୍ତି, ସେଦିନ ଏବେ ହଜି ଗଲାଣି । ଏକାଠି ହୋଇ ଗାଁ ମୁଣ୍ଡ ତେନ୍ତୁଳି ଗଛ ତଳେ ଦୋଳି ଖେଳିବା ବେଳ ଆଉ ଦେଖାଯାଉନାହିଁ । ସେତେବେଳର ସାଙ୍ଗସାଥୀ ମେଳରେ ବୁଲିବା, ପିଠାପଣା ଖାଇବା ଦୋଳି ଖେଳିବା ଭଳି ସଂସ୍କୃତି ଗାଁରୁ ଦୂରେଇ ଗଲାଣି । ଆଗେ ସହରରେ କାମ କରୁଥିବା ପୁଅମାନେ ରଜରେ ଗାଁକୁ ଆସୁଥିଲେ ହେଲେ ଏବେ ସେମାନେ ଆଉ ରଜକୁ ଘରକୁ ଆସୁନାହାନ୍ତି ବରଂ ସହରରେ ରହି ରଜ ପାଳୁଛନ୍ତି ।
ନରସିଂହପୁର ଅଢେଇଗୁଣ୍ଡିରେ ରହୁଥିବା କଳ୍ପନା ବେହେରା ରଙ୍ଗଡାବ ୟୁପି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଛନ୍ତି । ରଜ ଆସିଲେ ଆଗେ ସେ ଗାଁକୁ ଯିବାକୁ ଅଧିକ ପସନ୍ଦ କରୁଥିଲେ କିନ୍ତୁ ଏବେ ଆଉ ସେ ମନ ଦିଅନ୍ତି ନାହିଁ । କଳ୍ପନା କୁହନ୍ତି, ଆଗର ସେ ରଜ ଆଉ ନାହିଁ ବରଂ ପିଲାମାନେ ସ୍ମାର୍ଟ ଫୋନରେ ବେଶି ସମୟ କାଟିବାକୁ ପସନ୍ଦ କରୁଛନ୍ତି । ଦୋଳି ଖେଳଠୁ ପିଠାପଣା ସବୁକିଛିକୁ ନେଇ ରିଲସ ପ୍ରସ୍ତୁତ କରିବାରେ ବେଶି ମନୋନିବେଶ କରୁଛନ୍ତି । ରଜ ମଉଜର ସ୍ଥାନ ଏବେ ସ୍ମାର୍ଟ ଫୋନ ନେଇଯାଇଛି କହିଲେ ଭୁଲ ହେବନାହିଁ । ତେବେ ଭୁବନେଶ୍ୱରରେ ରହୁଥିବା ସଂଗୀତା ଦାସଙ୍କ ମତରେ ସହରରେ ରହୁଥିବା ଲୋକଙ୍କୁ ରଜ ଉତ୍ସବର ଆନନ୍ଦ ହେବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରଜ ପାଳନ କରାଯାଉଛି । ପିଠାପଣା ବିକ୍ରିି ସାଙ୍ଗକୁ ଦୋଳିର ବ୍ୟବସ୍ଥା ମଧ୍ୟ କରାଯାଉଛି । ପୁଣି କେଉଁଠି କେଉଁଠି ନାଚ ଗୀତ ଓ କବିତାର ଆସର କରାଯାଉଛି । କେହି ପୁଣି ରଜରେ ନୂଆ ସିନେମା ଦେଖିବାକୁ ପସନ୍ଦ କରୁଛନ୍ତି ।
୭୦ ଦଶକରେ ଛୋଟ ବେଳେ ବାପଘରେ ପାଳନ କରୁଥିବା ରଜକୁ ମନେପକାଇ ଶୈଳବାଳା କୁହନ୍ତି, ଏହାରି ଭିତରେ ଅନେକ ବର୍ଷ ବିତିଗଲାଣି ସେଦିନର ରଜ ଓ ଆଜିର ରଜ ଭିତରେ ଆକାଶ ପାତାଳ ପାର୍ଥକ୍ୟ ଆସିଗଲାଣି । ସହରରେ ଯେତେ ରଜର କାର୍ଯ୍ୟକ୍ରମ ଚାଲୁଥିଲେ ବି ଗାଁର ରଜ ନିଆରା । ଓଡ଼ିଆ ଲୋକଙ୍କ ଏହା ସ୍ୱତନ୍ତ୍ର ଓ ନିଜସ୍ୱ ପର୍ବ ।