ଏକଥା ସତ ଯେ ପୁରୁଷଙ୍କ ତୁଳନାରେ ମହିଳା ମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ଏତେ ବେଶି ସଚେତନ ନୁହନ୍ତି । ସେମାନଙ୍କ ମଧ୍ୟରେ କିଛି ମହିଳା ସଚେତନ ହେଲେ ମଧ୍ୟ ଅର୍ଥର ଅଭାବ, ସୂଚନାର ଅଭାବ ଯୋଗୁଁ ପ୍ରାୟତଃ ସେମାନେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଛଘୁଂଚା ଦିଅନ୍ତି । ଭୁବନେଶ୍ୱର ଭଳି ସହରକୁ କାମ ଅନ୍ୱେଷଣରେ ଆସି ବିଭିନ୍ନ ବସ୍ତିରେ ରହୁଥିବା ଏହି ମହିଳାମାନଙ୍କୁ ଏକ୍ଷେତ୍ରରେ ସଚେତନ କରିବା ସହ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ସିୱାଇଏସଡି ( ସେଣଂଟର ଫର ୟ୍ୟୁଥ ଆଣ୍ଡ ଡେଭଲପମେଣଂଟ ) ସଂସ୍ଥାର ପାରାମେଡିକାଲ ସ୍ୱାସ୍ଥ୍ୟ ସାଥୀ ।
ଋତୁପର୍ଣା ଧଳସାମନ୍ତ
ଭୁବନେଶ୍ୱର;
ପରିବାରର ଦେଖାଶୁଣା ସାଙ୍ଗକୁ ପୁଣି କାମର ବୋଝ । ପ୍ରତ୍ୟେକ ଦିନ ବାଲି ସିମେଂଟ କାମ କରି କରି ୪୫ ବର୍ଷିୟ ନମିତାଙ୍କର ଅଂଟା ପିଠି ସବୁେବେଳେ ଯନ୍ତ୍ରଣା ହୁଏ । ହେଲେ ଅର୍ଥ ଅଭାବ ସାଙ୍ଗକୁ ପୁଣି କୋଉଠିକୁ ଯିବେ କାହାକୁ ପରାମର୍ଶ କରିବେ ସେ ବିଷୟରେ ତାଙ୍କର ଧାରଣା ନଥିବାରୁ ସେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରିପାରନ୍ତି ନାହିଁ । ବାଧ୍ୟ ହୋଇ ନିଜ ଶରୀରର କଷ୍ଟ ସହି ରହିଯାଆନ୍ତି ନଚେତ ପାଖ ଔଷଧ ଦୋକାନରୁ କିଛି ଔଷଧ କିଣି ଖାଇ ଦିଅନ୍ତି । ନମିତାଙ୍କ ଘର ଗଞାମରେ ଏବଂ ଗାଁରେ କାମର ଅଭାବ ହେତୁ ସେ ବେଶ କିଛି ବର୍ଷ ହେବ ରାଜଧାନୀ ଭୁବନେଶ୍ୱରକୁ ଆସି ଏକ ବସ୍ତିରେ ରହୁଛନ୍ତି । ନମିତା ଏକାକୀ ମହିଳା ଭାବେ ପରିବାରର ଦାୟିତ୍ୱ ତୁଲାଉଥିବାରୁ ଅର୍ଥ ଅଭାବରୁ ନିଜ ସ୍ୱାସ୍ଥ୍ୟ ପ୍ରତି ଏତେ ଯତ୍ନବାନ ହୁଅନ୍ତି ନାହିଁ । ନମିତାଙ୍କ ପରି ସରସ୍ୱତୀ ମଧ୍ୟ ନୟାଗଡରୁ ଆସି ଭୁବନେଶ୍ୱରର ଏହି ବସ୍ତିରେ ରହୁଛନ୍ତି । ସରସ୍ୱତୀଙ୍କ ବଡ ପରିବାର ଚଳାଇବାକୁ ଉଭୟ ସ୍ୱାମୀ ସ୍ତ୍ରୀ କାମ କରୁଥିଲେ ମଧ୍ୟ ପିଲାଙ୍କ ଦେଖାଶୁଣା, ପାଠପଢା ପୁଣି ଶାଶୁ ଶ୍ୱଶୁରଙ୍କ ଦାୟିତ୍ୱ ଏସବୁ ଭିତରେ ସେ କେବେ ନିଜ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସ୍ୱାମୀଙ୍କ ସହ ଆଲୋଚନା କରିପାରନ୍ତି ନାହିଁ । ଗତ କିଛି ମାସ ହେବ ତାଙ୍କର ମୁଣ୍ଡ ବୁଲେଇବା ସହ ହାଲିଆ ଲାଗୁଛି, ଏଥିପାଇଁ ତାଙ୍କର କାମରେ ମଧ୍ୟ ଅସୁବିଧା ହେଉଛି । ଅନ୍ୟ ଘରେ ରାନ୍ଧୁଣିଆ ଭାବେ କାମ କରି ପରିବାର ପୋଷୁଥିବା ସରସ୍ୱତୀଙ୍କ ଅସୁସ୍ଥତା ଯୋଗୁଁ କିଛି ପରିବାର ତାଙ୍କୁ କାମରୁ ବାହାର କରିଦେଇଛନ୍ତି । ଯାହା ତାଙ୍କ ଆୟ ଉପରେ ମଧ୍ୟ ପ୍ରଭାବ ପକାଉଛି । ତେବେ ନିକଟରେ ତାଙ୍କ ବସ୍ତିରେ ସେଚ୍ଛାସେବୀ ସଂସ୍ଥା ସିୱାଇଏସଡି ପକ୍ଷରୁ ଆୟୋଜନ କରାଯାଇଥିବା ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ନମିତା ଓ ସରସ୍ୱତୀଙ୍କ ଭଳି ଅନେକ ମହିଳା ନିଜ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବାର ସୁଯୋଗ ପାଇଥିଲେ ।
ଭୁବନେଶ୍ୱର ସହରର ବିଭିନ୍ନ ବସ୍ତିରେ ରହି କାମ କରି ପରିବାର ଚଳାଉଥିବା ଏହିମହିଳା ମାନେ ପ୍ରତ୍ୟେକ ଦିନ ସାମନା କରୁଥିବା ବିଭିନ୍ନ ସ୍ୱାସ୍ଥ୍ୟ ସଂପର୍କୀତ ସମସ୍ୟାକୁ ଦୃଷ୍ଟିରେ ରଖି ସେଚ୍ଛାସେବୀ ସଂସ୍ଥା ସିୱାଏସଡି ଏହି ବସ୍ତିଗୁଡିକରେ ଆରମ୍ଭ କରିଛି ପାରା ମେଡିକାଲ ସେବା । ଅର୍ବାନ ହେଲଥ ପ୍ରୋଜେକ୍ଟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ବର୍ତମାନ ଚାରୋଟି ବସ୍ତି ଯେପରି- ଶିଖରଚଣ୍ଡି, ଜଳିସାହି, ଧିରିକୁଡି ଓ ମହାବୀରବସ୍ତିରେ ଚାଲିଛି । ଏହି କାର୍ଯ୍ୟକ୍ରମର ସଂଯୋଜିକା ଭାବେ କାର୍ଯ୍ୟ କରୁଥିବା ଶ୍ରଦ୍ଧାଙ୍ଗିନୀ ମଲ୍ଲିକ କୁହନ୍ତି, ଏହି ପାରା ମେଡିକାଲ ସାଥୀ ଓ ସ୍ୱାସ୍ଥ୍ୟ ସାଥୀ ମାନେ ବସ୍ତିରେ ରହୁଥିବା ମହିଳାଙ୍କ ଘରକୁ ଘର ଯାଇ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସଚେତନ କରିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରୁଛନ୍ତିି ।

(ବସ୍ତିରେ ଘରକୁଘର ଯାଇ ସ୍ୱାସ୍ଥ୍ୟ ସାଥୀମାନେ ମହିଳାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି )
ସୁସ୍ଥ ଜୀବନଶୈଳୀ ଆପେଣଇବା ଉପରେ କାଉନସେଲିଂ
ପରିବାର ଗୁଡିକରେ ପୁରୁଷଙ୍କ ସ୍ୱାସ୍ଥ୍ୟ ପ୍ରତି ଯେତେ ଧ୍ୟାନ ଦିଆଯାଏ ମହିଳାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସେତେଟା ଧ୍ୟାନ ଦିଆଯାଏ ନାହିଁ । ପୁଣି ବସ୍ତିରେ ରହୁଥିବା ମହିଳାମାନେ ଅସ୍ୱାସ୍ଥ୍ୟକର ପରିବେଶ, ପୁଷ୍ଟିକର ଖାଦ୍ୟର ଅଭାବ ଓ ସ୍ୱଚ୍ଛ ପାନୀୟ ଜଳର ଅଭାବ ଯୋଗୁଁ ଅନେକ ସମୟରେ ବିଭିନ୍ନ ପ୍ରକାରର ରୋଗର ଶିକାର ହେଲେ ମଧ୍ୟ ଏବିଷୟରେ କାହାସହ ଖୋଲାଖୋଲି ଆଲୋଚନା କରିପାରନ୍ତି ନାହିଁ । ସେମାନଙ୍କର ସ୍ୱାସ୍ଥ୍ୟ ସଂପର୍କୀତ ସମସ୍ୟା ବିଷୟରେ ଜାଣିବା ପାଇଁ ସିୱାଏସଡି ସଂସ୍ଥା ପକ୍ଷରୁ ବିଭିନ୍ନ ବସ୍ତିରେପ୍ରଥମେ ସ୍ୱାସ୍ଥ୍ୟ ଶିବିର ମାନ ଆୟୋଜନ କରାହେଲା । ଶ୍ରଦ୍ଧାଙ୍ଗିନୀ କୁହନ୍ତି, ଏହି ଶିବିରକୁ ଆସିଥିବା ଅନେକ ମହିଳା ଓ କିଶୋରୀ ବାଳିକା ସେମାନଙ୍କ ସ୍ୱାସ୍ଥ୍ୟ ସଂବନ୍ଧୀୟ ଅନୁୁଭୂତି ସବୁ ଆମକୁ କହିଥିଲେ । ସେଇଠି ଆମେ ଜାଣିବାକୁ ପାଇଥିଲୁ ଯେ ମହିଳାମାନେ ପରିବାରର ଅନ୍ୟ ସଦସ୍ୟଙ୍କ ଦେଖାଶୁଣାର ସବୁ ଦାୟିତ୍ୱ ନେଉଥିଲେ ମଧ୍ୟ ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସେତେଟା ସଚେତନ ନୁହନ୍ତି ।
ତେବେ ପାରା ମେଡିକାଲ ସ୍ୱାସ୍ଥ୍ୟ ସେବା ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ, ପାରା ମେଡିକାଲ ସାଥୀଙ୍କୁ ତିନି ମାସ ଟ୍ରେନିଂ ସହ ବିଭିନ୍ନ ସରଞାମ ବ୍ୟବହାରର ଟ୍ରେନିଂ ଦିଆଯାଇଛି । ଏଣୁ ସେମାନେ ମହିଳାମାନଙ୍କର ମଧୁମେହ, ରକ୍ରହୀନତା ଓ ଉଚ୍ଚ ରକ୍ତ୍ରଚାପ ଆଦି ବିଷୟରେ ପରୀକ୍ଷା କରି ସେମାନେ କିଭଳି ସୁଷମ ଖାଦ୍ୟ ସାଙ୍ଗକୁ ସୁସ୍ଥ ଜୀବନଶୈ÷ଳୀ ଆପେଣଇପାରିବେ ତା ଉପରେ ବୁଝେଇ ଥାଆନ୍ତି । ଏହି ପାରା ମେଡିକାଲ ସାଥୀ ମାନେ ଘରକୁ ଘର ଯାଇ ମହିଳା ମାନଙ୍କର ସ୍ୱାସ୍ଥ୍ୟ ସେବା ଯାଂଚ କରିବା ସହ ଆବଶ୍ୟକ ପଡିଲେ ସେମାନଙ୍କୁ ଡାକ୍ତରଙ୍କ ପାଖକୁ ପରାମର୍ଶ ପାଇଁ ନେଇଯାଆନ୍ତି । ଶ୍ରଦ୍ଧାଙ୍ଗିନୀ କୁହନ୍ତି, ମହିଳା ମାନେ ଋତୁସ୍ରାବ ବନ୍ଦ ହେବା ପୂର୍ବରୁ ଓ ପରେ ବିଭିନ୍ନ ପ୍ରକାରର ମାନସିକ ଓ ଶାରୀରିକ ସ୍ଥିତି ଦେଇ ଗତି କରନ୍ତି, କିନ୍ତୁ ଏବିଷୟରେ ଡାକ୍ତରଙ୍କ ପରାମର୍ଶ ଯେ ଆବଶ୍ୟକ ସେ ବିଷୟରେ ସେମାନେ ଅବଗତ ନୁହନ୍ତି । କିନ୍ତୁ ଆମ ସ୍ୱାସ୍ଥ୍ୟ ସାଥୀ ମାନେ ସେମାନଙ୍କୁ ଏକ୍ଷେତ୍ରରେ ସହଯୋଗ କରିଥାଆନ୍ତି ।
ବୟସ୍କ ମହିଳାଙ୍କ ବ୍ୟତୀତ ବସ୍ତିରେ ରହୁଥିବା ଗର୍ଭବତୀ ଓ ପ୍ରସୂତି ମହିଳାମାନେ ଯେପରି ନିୟମିତ ଅଙ୍ଗନବାଡି ଆସିବେ ଓ ୟୁଏଚଏନଡି ( ଅର୍ବାନ ହେଲଥ ନ୍ୟୁଟ୍ରିସନ ଡେ) କାର୍ଯ୍ୟକ୍ରମରେ ଯୋଗ ଦେବେ ସେଥିପାଇଁ ସେମାନଙ୍କୁ ସଚେତନ କରାଯାଇଥାଏ । ଅନେକ ସମୟରେ ସଚେତନତାର ଅଭାବ, କାମର ବୋଝ ଓ ସାଙ୍ଗରେ କେହି ଯିବାକୁ ନଥିବାରୁ ଅନେକ ମହିଳା ପିଲାଙ୍କୁ ନେଇ ଅଙ୍ଗନବାଡି ଆସନ୍ତି ନାହିଁ କିମ୍ବା ସେମାନଙ୍କର ନିୟମିତ ଟୀକାକରଣ ପ୍ରତି ସେତେଟା ଧ୍ୟାନ ଦିଅନ୍ତି ନାହିଁ । ସ୍ୱାସ୍ଥ୍ୟ ସାଥୀ ମାନେ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଏବିଷୟରେ ବୁଝେଇବା ସହ ଗର୍ଭବତୀ ମହିଳାଙ୍କୁ ସୁଷମ ଖାଦ୍ୟ ଦେବା, ଖାଦ୍ୟରେ ଫଳକୁ ସାମିଲ କରିବା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆଦି ବିଷୟରେ ବୁଝାଇ ଥାଆନ୍ତି । ପୁଣି କୌଣସି ଗର୍ଭବତୀ ମହିଳାଙ୍କର କିଛି ସମସ୍ୟା ଉପୁଜିଲେ ସେମାନେ ଏଏନଏମ ଦିଦିଙ୍କୁ ମଧ୍ୟ ଏବିଷୟରେ ଅବଗତ କରାଇଥାଆନ୍ତି । ଶ୍ରଦ୍ଧାଙ୍ଗିନୀ କୁହନ୍ତି, ଖୁସିର କଥା ହେଉଛି ଏବେ ମହିଳାମାନେ ନିଜର କିମ୍ବା ପରିବାରର ଅନ୍ୟମାନଙ୍କର ସ୍ୱାସ୍ଥ୍ୟ ସଂପର୍କୀତ କୌଣସି ସମସ୍ୟା ହେଲେ ଆମ ସ୍ୱାସ୍ଥ୍ୟ ସାଥୀଙ୍କୁ ସିଧାସଳଖ ଫୋନ କରୁଛନ୍ତି ।

(ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ଅନେକ ମହିଳା ଓ କିଶୋରୀ ବାଳିକା ନିଜ ସ୍ୱାସ୍ଥ୍ୟ ସଂପର୍କୀତ ସମସ୍ୟା ବିଷୟରେ ଆଲୋଚନା କରୁଛନ୍ତି )
ସ୍ୱାସ୍ଥ୍ୟ ଶିବିର ଏକ ପ୍ଲାଟଫର୍ମ
ହୋମ ଭିଜିଟ ଓ କାଉନସେଲିଂ ସହିତ ସଂସ୍ଥା ପକ୍ଷରୁ ନିୟମିତ ସ୍ୱାସ୍ଥ୍ୟ ଶିବିର ମାନ ଆୟୋଜନ କରାଯାଇଥାଏ । କିନ୍ତୁ ଏସବୁ ଯେ ସବୁବେଳେ ସୁରୁଖୁରୁରେ ହୋଇଯାଏ ତା ନୁହେଁ । କେତେକ ପରିବାରରେ ଏବେ ମଧ୍ୟ ପିତୃକେନ୍ଦ୍ରିକ ମାନସିକତା ଥିବାରୁ ସେମାନେ ମହିଳାଙ୍କୁ ଏହି ସ୍ୱାସ୍ଥ୍ୟ ଶିବିର ଗୁଡିକୁ ଆସି ଆଲୋଚନା କରିବାକୁ ଅନୁମତି ଦିଅନ୍ତି ନାହିଁ । ସ୍ୱାସ୍ଥ୍ୟ ସାଥୀ ଭାବେ କାମ କରୁଥିବା ଲୀନା ମହାରଣା କୁହନ୍ତି, ଏସବୁ ଚ୍ୟାଲେଞକୁ ସାମନା କରିବା ଆମ ପାଇଁ କାଠିକର ପାଠ ହୋଇଯାଏ ତଥାପି ଆମେ ସେମାନଙ୍କ ଘରକୁ ଯାଇ ପୁରୁଷମାନଙ୍କୁ ବୁଝେଇବାକୁ ଚେଷ୍ଟା କରିଥାଉ । ଏହି ସ୍ୱାସ୍ଥ୍ୟ ଶିବିରରେ କିଶୋରୀ ବାଳିକାମାନେ ଯୋଗଦେଇ ସେମାନେ ନିୟମିତ ସମ୍ମୁଖୀନ ହେଉଥିବା ବିଭିନ୍ନ ଶାରୀରିକ ସମସ୍ୟା ବିଷୟରେ ଆଲୋଚନା କରନ୍ତି । ସ୍ୱାସ୍ଥ୍ୟ ସାଥୀ ଚମ୍ପାବତୀ ମୁର୍ମୁ କୁହନ୍ତି, ଏହି ଆଲୋଚନା ବେଳେ ଆମେ ଜାଣିବାକୁ ପାଇଥିଲୁ ଯେ ଅର୍ଥ ଅଭାବରୁ ଅନେକ ପରିବାରରେ କିଶୋରୀ ବାଳିକା ମାନେ ସାନୀଟାରୀ ପ୍ୟାଡ ବ୍ୟବହାର କରିବା ବଦଳରେ ପୁରୁଣା କପଡା ବ୍ୟବହାର କରନ୍ତି । ବସ୍ତିରେ ପାଣିର ଅଭାବ ଓ ଶୁଖେଇବାପାଇଁ ସ୍ଥାନର ଅଭାବ ହେତୁ ସେମାନେ କପଡା ଗୁଡିକର ସ୍ୱଚ୍ଛତା ପ୍ରତି ଏତେଟା ଧ୍ୟାନ ଦେଇପାରନ୍ତି ନାହିଁ । ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ସହ ଅନେକେ ସଂକ୍ରମଣର ଶିକାର ମଧ୍ୟ ହେଉଛନ୍ତି ।ବିଭିନ୍ନ ଅଙ୍ଗନବାଡିରେ କମମୂଲ୍ୟରେ ସାନିଟାରୀ ପ୍ୟାଡ ମିଳୁଥିବା ବିଷୟରେ ଜାଣିବା ପରେ ଏବେ ସେମାନେ ଏହାକୁ ବ୍ୟବହାର କରୁଛନ୍ତି ।
ଏଠି କିଶୋରୀ ବାଳିକାମାନଙ୍କର ଋତୁସ୍ରାବ ସଂପର୍କୀତ ସମସ୍ୟା, ଅସୁରକ୍ଷିତ ଯୋ÷÷ନ ସଂପର୍କ, ମାନସିକ ବିଷାଦ, ପୁଷ୍ଟିକର ଖାଦ୍ୟ ଓ ସୁସ୍ଥ ଜୀବନଶୈଳୀ ଉପରେ କାଉନସେଲିଂ କରାଯାଇଥାଏ । ସ୍ୱାସ୍ଥ୍ୟ ସାଥୀ ସଫିନା ଖାତୁନ କହିଛନ୍ତି, ଏହି ଶିବିରରେ ଭାଗ ନେଇଥିବା ଅନେକ କିଶୋରୀ କହିଛନ୍ତି ଯେ ସେମାନେ ଏସବୁ ବିଷୟରେ ପରିବାରରେ କିମ୍ବା ବାହାରେ କେଉଁଠି ମଧ୍ୟ ଆଲୋଚନା କରିପାରୁନଥିଲେ । ଏହି ଶିବିର ସେମାନଙ୍କୁ ସ୍ୱାସ୍ଥ୍ୟ ବିଷୟରେ ସିଧାସଳଖ କଥା ହେବାକୁ ଏକ ପ୍ଲାଟଫର୍ମ ଦେଇଛି । ଯେଉଁଠି ସେମାନେ ୍ସ୍ୱାସ୍ଥ୍ୟ ସଂବନ୍ଧୀୟ ସମସ୍ୟାର ସମାଧାନ ପାଇପାରୁଛନ୍ତି ।
(ଆବଶ୍ୟକତା ଦୃଷ୍ଟିରୁ କିଛି ନାଁ ପରିବର୍ତନ କରାଯାଇଛି ।)
